Latest Odisha News

ପାକିସ୍ତାନ ଓ ଆଫଗାନିସ୍ତାନ ଅସ୍ତ୍ରବିରତି ସମୟ ବୃଦ୍ଧି; ଆଲୋଚନା ଶେଷ ନ ହେବା ଯାଏଁ ଅସ୍ତ୍ରବିରତି ଲାଗୁ ରହିବ

କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ହେଲା ଅସ୍ତ୍ରବିରତି ସମୟ ସୀମା । ବୁଧବାର ଏହା ୪୮ ଘଣ୍ଟା ଥିବାବେଳେ, କତରର ଦୋହାରେ ହେବାକୁ ଥିବା ଆଲୋଚନା ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ରହିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ବୈଠକରେ ଯୋଗଦେବାକୁ ଦୋହାରେ ପାକିସ୍ତାନର ପ୍ରତିନିଧିମଣ୍ଡଳ ପହଞ୍ଚି ସାରିଥିବା ଖବର ରହିଥିବାବେଳେ, ତାଲିବାନୀ ପ୍ରତିନିଧିମଣ୍ଡଳ ଶନିବାର ପହଞ୍ଚିବା ଆଶା କରାଯାଉଛି ।

ପାକିସ୍ତାନ ଏବଂ ଆଫଗାନ ସୁରକ୍ଷା ବାହିନୀ ମଧ୍ୟରେ ସୀମାରେ କିଛି ଦିନ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ ପରେ ଅକ୍ଟୋବର ୧୫ରେ ପ୍ରଥମେ ଏକ ଅସ୍ଥାୟୀ ଯୁଦ୍ଧବିରତି ସ୍ଥିର ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷର ୨୪ରୁ ଅଧିକ ସେନା ପ୍ରାଣ ହରାଇଥିଲେ ଏବଂ ଶହ ଶହ ଆହତ ହୋଇଥିଲେ । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଦାବି କରିଥିଲେ ଯେ, ପାକିସ୍ତାନୀ ସେନାର ଅନୁରୋଧରେ ୪୮ ଘଣ୍ଟାର ଏହି ଯୁଦ୍ଧବିରତି ଘୋଷଣା କରାଯାଇଥିଲା ।

ଉଭୟ ପକ୍ଷ ପରସ୍ପରକୁ ଉତ୍ତେଜନା ସୃଷ୍ଟି କରିବାର ଅଭିଯୋଗ ଆଣିଥିଲେ । ସୀମା ଗୁଳିରେ ପାକିସ୍ତାନ ୨୦ ଜଣ ତାଲିବାନ ସୈନ୍ୟଙ୍କୁ ହତ୍ୟା କରିଥିବା ଦାବି କରିଥିଲା, ଯେତେବେଳେ ତାଲିବାନ ୫୮ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ଏବଂ କିଛି ପାକିସ୍ତାନୀ ପୋଷ୍ଟ କବଜା କରିଥିବା ଦାବି କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ପାକିସ୍ତାନ ପକ୍ଷରୁ କାବୁଲ ଉପରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ ପରେ ତାଲିବାନ ପକ୍ଷରୁ ପାକିସ୍ତାନ ସୀମାରେ ଆକ୍ରମଣ କରାଯାଇଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷର ଅନେକ ସୈନିକ ପ୍ରାଣ ହରାଇଥିଲେ ।

Comments are closed.