ଇସଲାମବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାନ ଏକ ବଡ଼ ଘୋଷଣା କରିଛି । ପାକିସ୍ତାନ ୨୪-୨୫ ଏପ୍ରିଲରେ ଆରବ ସାଗରର ତା’ର ସାମୁଦ୍ରିକ ଅଞ୍ଚଳରେ କରାଚି ଉପକୂଳରେ ଏକ ଭୁପୃଷ୍ଠରୁ ଭୁପୃଷ୍ଠ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି । ପାକିସ୍ତାନ ମଧ୍ୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି ।
ପାକିସ୍ତାନ ପକ୍ଷରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା ବିଜ୍ଞପ୍ତି ଏପ୍ରିଲ ୨୩ ଭାରତୀୟ ସମୟ ରାତି ୯ଟା ୩୦ରେ ଜାରି ହୋଇଥିଲା, ଯେଉଁ ସମୟରେ ଭାରତର ମନ୍ତ୍ରୀମଣ୍ଡଳୀୟ ସୁରକ୍ଷା କମିଟି (CCS) ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନ ବିରୋଧରେ ପଦକ୍ଷେପ ନେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବସିଥିଲା ।
ପାକିସ୍ତାନ ମଧ୍ୟ ଆରବ ସାଗର ଉପରେ ଏକ ନୋ-ଫ୍ଲାଏ ଜୋନ୍ ଘୋଷଣା କରିଛି । ପାକିସ୍ତାନ କରାଚି ନିକଟସ୍ଥ ଆରବ ସାଗରର ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରିବ । ସେହି ସମୟରେ, ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ପରୀକ୍ଷଣ ଉପରେ କଡ଼ା ନଜର ରଖିଛନ୍ତି । ପାକିସ୍ତାନ ତାର ବାୟୁସେନାକୁ ସୁରକ୍ଷା ନେଇ ଆଲର୍ଟରେ ରଖିଛି ।
ଭାରତୀୟ ବିମାନର ଗତିବିଧି ଉପରେ ନଜର ରଖିବ । CCSରେ ଭାରତ ୫ଟି ବଡ଼ ପଦକ୍ଷେପ ନେବା ପରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅନ୍ୟପକ୍ଷରେ, ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସଜାଗ ଅଛନ୍ତି । ମୁମ୍ବାଇ ଏବଂ ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।
ଏହା ସହିତ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେବା ପାଇଁ ଅନନ୍ତନାଗ ପୋଲିସ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ଆତଙ୍କବାଦୀମାନେ ଆଦିଲ ହୁସେନ୍ ଥୋକର, ଅଲି ଭାଇ ଏବଂ ହାସିମ ମୁସା ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ ଅର୍ଥାତ୍ ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିଲା, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ ।
Comments are closed.