Latest Odisha News

ସତ ମାନିଲା ପାକିସ୍ତାନ; କାରଗିଲ ଯୁଦ୍ଧରେ ରହିଥିଲା ସଂପୃକ୍ତି

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧର ପ୍ରାୟ ୨୫ ବର୍ଷ ପରେ ପାକିସ୍ତାନ ଶେଷରେ ସତ ସ୍ବୀକାର କରିଛି।

୧୯୯୯ରେ ଭାରତ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧରେ ପାକିସ୍ତାନ ନିଜର ସମ୍ପୃକ୍ତିକୁ ସ୍ୱୀକାର କରିଛି। ଦେଶର ପ୍ରତିରକ୍ଷା ଦିବସର ବିଶେଷ ଅବସରରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର୍ ନିଜ ଦୋଷ ସ୍ୱୀକାର କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସେ ଭାରତ ସହ ଯୁଦ୍ଧରେ ପ୍ରାଣ ହରାଇଥିବା ପାକିସ୍ତାନୀ ସୈନିକମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମୟରେ ସେ କାର୍ଗିଲ ଯୁଦ୍ଧରେ ଅଂଶଗ୍ରହଣକୁ ସ୍ବୀକାର କରିବା ସହ କହିଛନ୍ତି, ୧୯୪୮, ୧୯୬୫, ୧୯୭୧ ଯୁଦ୍ଧ ହେଉ କିମ୍ବା ୧୯୯୯ର କାର୍ଗିଲ ଯୁଦ୍ଧ ହେଉ ଏଥିରେ ହଜାର ହଜାର ସୈନିକ ଦେଶ ତଥା ଇସଲାମ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

ସେନା ମୁଖ୍ୟଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ଜେନେରାଲ ମୁନିରଙ୍କ ଏହି ବିବୃତ୍ତିକୁ ଗତ ୨୫ ବର୍ଷ ମଧ୍ୟରେ କାର୍ଗିଲ ଯୁଦ୍ଧକୁ ନେଇ ପାକିସ୍ତାନ ସେନାର ପ୍ରଥମ ସ୍ୱୀକାରୋକ୍ତି ଭାବରେ ବିବେଚନା କରାଯାଉଛି। ଏହାପୂର୍ବରୁ ପାକିସ୍ତାନ ସେନାର କୌଣସି ଜେନେରାଲ ପଦବୀରେ ଥାଇ କାର୍ଗିଲ ଯୁଦ୍ଧ ସମ୍ପର୍କରେ ଏପରି ବିବୃତ୍ତି ଦେଇ ନ ଥିଲେ।

ତେବେ ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ପରଭେଜ ମୁଶରଫ ମଧ୍ୟ କାର୍ଗିଲ ଯୁଦ୍ଧ ସମ୍ବନ୍ଧରେ ନିଜର ଭୁଲକୁ ସ୍ବୀକାର କରିଥିଲେ। କିନ୍ତୁ ସେତେବେଳକୁ ସେ ଅବସର ନେଇସାରିଥିଲେ।

 

Comments are closed.