Latest Odisha News

BREAKING NEWS

ମୁଶରଫଙ୍କ ରାସ୍ତାରେ ପାକିସ୍ତାନ ସେନା ମୁଖ୍ୟ !

ନୂଆଦିଲ୍ଲୀ: ଭାରତ ସହ ଶାନ୍ତି ଚାହୁଁନି ପାକିସ୍ତାନ ! ହିନ୍ଦୁଙ୍କ ବିରୋଧରେ ପାକ୍ ସେନା ମୁଖ୍ୟଙ୍କ ମନରେ ଘୃଣା ! କାଶ୍ମୀର ନେଇ ମୁଶରଫଙ୍କ ବାଟରେ ମୁନିର ! ଇସଲାମାବାଦରେ ପ୍ରବାସୀ ପାକିସ୍ତାନୀ ସମ୍ମିଳନୀରେ ପାକ୍ ସେନା ମୁଖ୍ୟ ଅସିମ ମୁନିରଙ୍କ ସମ୍ବୋଧନରୁ ମିଳିଛି ଏଭଳି ସଂକେତ । ମୁନିରଙ୍କ ସମ୍ବୋଧନରୁ ପାକିସ୍ତାନର ଆଭିମୁଖ୍ୟ ତଥା ଆଗାମୀ ଦିନରେ ଦେଶର ନୀତି ନେଇ ଅନେକ କିଛି ସ୍ପଷ୍ଟ ହୋଇଛି । ମୁସଲିମଙ୍କୁ ହିନ୍ଦୁଙ୍କଠାରୁ ଅଲଗା କହିବା ସହ ଦୁଇ ରାଷ୍ଟ୍ରୀୟ ଥିଓରୀକୁ ଠିକ୍ ବୋଲି ଦର୍ଶାଇବାକୁ ଉଦ୍ୟମ କରିଛନ୍ତି ତ କାଶ୍ମୀରକୁ ପାକିସ୍ତାନ ଗଳାର ଶିରା କହିଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଭାରତ ସହ ଶାନ୍ତି ସ୍ଥାପନ କରିବାକୁ ଚାହୁଁନି ପାକିସ୍ତାନ । ପରଭେଜ୍ ମୁଶରଫଙ୍କ ବାଟରେ ଆଗଉଛନ୍ତି ଅସିମ ମୁନିର ।

କାଶ୍ମୀରକୁ ନେଇ କ’ଣ କହିଲେ ମୁନିର?

କାଶ୍ମୀର ଇସଲାମାବାଦର ଗଳାର ଶିରା ରହିଛି, ଆଗକୁ ବି ରହିବ । ଏହାକୁ ପାକିସ୍ତାନ କେବେ ଭୁଲିବନି ବୋଲି ମୁନିର କହିଛନ୍ତି । କାଶ୍ମୀରୀ ଭାଇଙ୍କୁ ସେମାନଙ୍କ ସଂଘର୍ଷରେ ଏକା ଛାଡିବୁନି ବୋଲି ସେ କହିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି, ପାକିସ୍ତାନ କାଶ୍ମୀରକୁ ନେଇ ମନୋଭାବ ପରିବର୍ତ୍ତନ ମୁଡରେ ନାହିଁ । ଏହାସହ ୧୯୪୭ରେ ବିଭାଜନର ଆଧାର ରହିଥିବା ଟୁ ନାସନ ଥିଓରୀକୁ ଠିକ୍ ଦର୍ଶାଇଛନ୍ତି ମୁନିର । ହିନ୍ଦୁଙ୍କଠାରୁ ସେମାନେ ଅଲଗା । ଧର୍ମ ଅଲଗା, ରୀତିନୀତି ଅଲଗା, ପରମ୍ପରା ଓ ବିଚାରଧାରା ମଧ୍ୟ ଅଲଗା । ଆଉ ଏହାକୁ ନଜରରେ ରଖି ପୂର୍ବପୁରୁଷ ସଂଘର୍ଷ କରିଥିଲେ। ଲଗାତର ସଂଘର୍ଷ ପରେ ପାକିସ୍ତାନ ଗଠନ ହୋଇଥିଲା । ତେଣୁ ନିଜ ପର ପୀଢିକୁ ପାକିସ୍ତାନର ଏହି କାହାଣୀ କହିବାକୁ ଭୁଲି ନଯିବାକୁ ମୁନିର କହିଛନ୍ତି ।

ସମାଧାନ ଚାହୁଁନି ପାକିସ୍ତାନ

ଅସିମ ମୁନିରଙ୍କ ଏଭଳି ବୟାନ ପରେ ସେ ପୂର୍ବତନ ସେନା ମୁଖ୍ୟ ପରଭେଜ ମୁଶରଫଙ୍କ ରାସ୍ତାରେ ଚାଲିଥିବା କୁହାଯାଉଛି । କାରଗିଲ ଉପରେ ଆଗୁଆ ଆକ୍ରମଣ କରି ଭାରତ ସହ ଯୁଦ୍ଧ ପାଇଁ ବାଟ ଖୋଲିଥିଲେ ମୁଶରଫ। ଏପରିକି କାଶ୍ମୀରକୁ ଆତଙ୍କବାଦୀ ପଠାଇବାକୁ ପାକିସ୍ତାନର ନୀତି ବନାଇ ଦେଇଥିଲେ । କାଶ୍ମୀରକୁ ନେଇ ଆକ୍ରାମକ ଓ ବିବାଦୀୟ ବୟାନବାଜି କରୁଥିଲେ ମୁଶରଫ । କାରଗିଲ ଉପରେ କବଜା କରି କାଶ୍ମୀରକୁ ଭାରତଠାରୁ ଅଲଗା କରିବାକୁ ପ୍ଲାନ୍ କରିଥିଲେ । ହେଲେ ମୁଶରଫଙ୍କୁ ମୁହଁତୋଡ୍ ଜବାବ ଦେଇଥିଲା ଭାରତୀୟ ସେନା । ଏବେ ଅସିମ ମୁନିରଙ୍କ ସମ୍ବୋଧନରେ ବି ମୁଶରଫଙ୍କ ଭଳି ସ୍ବର ଶୁଣିବାକୁ ମିଳୁଛି ।

ବଲୁଚିସ୍ତାନକୁ ନେଇ ବିବାଦୀୟ ବୟାନ

ପାକିସ୍ତାନଠାରୁ ଅଲଗା ହେବାକୁ ସଂଘର୍ଷ କରୁଥିବା ବଲୁଚିସ୍ତାନକୁ ନେଇ ବି ବିବାଦୀୟ ବୟାନ ଦେଇଛନ୍ତି ଅସିମ ମୁନିର । ବଲୁଚିସ୍ତାନ ହେଉଛି ପାକିସ୍ତାନର ଗର୍ବ, ତାକୁ ଏତେ ସହଜରେ କେହି ନେଇ ପାରିବେନି । କହିଛନ୍ତି, କେବଳ ୧୫ଶହ ଲୋକ ବଲୁଚିସ୍ତାନକୁ ଅଲଗା କରିପାରିବେନି । ଏବେ କଣ ୧୦ଜନ୍ମରେ ବି ବଲୁଚିସ୍ତାନକୁ ଦେଶରୁ ଅଲଗା କରିପାରିବେନି । ଶୀଘ୍ର ସେଠାକାର ଆତଙ୍କବାଦୀଙ୍କୁ ପରାସ୍ତ କରାଯିବ ବୋଲି ମୁନିର କହିଛନ୍ତି । ତେବେ ବାସ୍ତବ ଚିତ୍ର ଭିନ୍ନ । ବଲୁଚିସ୍ତାନ ସହ ଖୈବର ଫଖତୁନଖ୍ବାରେ ବି ପାକ୍ ବିରୋଧୀ ବିଦ୍ରୋହ ଅସମ୍ଭାଳ ହେବାରେ ଲାଗିଛି । ଅସିମ ମୁନିରଙ୍କ ଏହି ବୟାନକୁ ୧୯୭୦ରେ ତତ୍କାଳୀନ ସେନା ମୁଖ୍ୟ ୟାହ୍ବା ଖାନଙ୍କ ବୟାନ ସହ ତୁଳନା କରାଯାଉଛି । ସେତେବେଳେ ପୂର୍ବ ପାକିସ୍ତାନର ବିଦ୍ରୋହକୁ ସେ ଗୁଜବ କହିଥିଲେ । ତେବେ ୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ନୂଆ ଦେଶ ହୋଇଥିଲା ବାଂଲାଦେଶ ।

Comments are closed.