ନୂଆଦିଲ୍ଲୀ: ବିଶ୍ବ ଆଗରେ ଆତଙ୍କବାଦର କାରଖାନା…ହେଲେ ଏବେ ପ୍ରହସନ କରୁଛି ପାକିସ୍ତାନ…ଆଫଗାନିସ୍ତାନରେ ବଢୁଥିବା ଆତଙ୍କବାଦକୁ ଭୟ କରୁଛି…ମୂଳପୋଛ କରିବା ପାଇଁ ଦେଇଛି ଆହ୍ବାନ…
ଯେଉଁ ଦେଶ ବର୍ଷ ବର୍ଷ ଧରି ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଲୁଚାଇ ରଖିଥିଲା, ସେ ଏବେ ଆତଙ୍କବାଦୀଙ୍କୁ ଭୟ କରୁଛି। ବିଶ୍ବ ମଞ୍ଚରେ ଆଫଗାନିସ୍ତାନର ନାମ ନେଇ ଆତଙ୍କବାଦୀଙ୍କ ଉପସ୍ଥିତି ପାଇଁ ଚିନ୍ତା ପ୍ରକାଶ କରୁଛି। ପାକିସ୍ତାନ ବିଶ୍ୱ ସ୍ତରରେ ଯିଏ ଆତଙ୍କବାଦର କାରଖାନା ଭାବରେ ଜଣାଶୁଣା, ଏବେ ସେ ବିଶ୍ବ ଦରବାରରେ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସ୍ବର ଶାଣିତ କରି ଏକ ବଡ ପ୍ରହସନ କରିଛି ।
ଆତଙ୍କରେ ଆତଙ୍କୀ ରାଷ୍ଟ୍ର
ପାକିସ୍ତାନ, ଚୀନ୍, ରୁଷ ଏବଂ ଇରାନ ଏକ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନ ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏହି ଚାରି ଦେଶ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ଉପସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇ ଏବେ ସମାଲୋଚିତ ହୋଇଛି ପାକିସ୍ତାନ । ଆତଙ୍କବାଦୀଙ୍କୁ ନେଇ ଚୀନ୍, ରୁଷ ଏବଂ ଇରାନର ଚିନ୍ତା ବୁଝାମଣାଯୋଗ୍ୟ, କିନ୍ତୁ ଆତଙ୍କବାଦୀଙ୍କ ପ୍ରତି ସବୁବେଳେ ନିଜର ସୋହାର୍ଦ୍ଦ୍ୟ ଦେଖାଉଥିବା ପାକିସ୍ତାନ କୁମ୍ଭୀର କାନ୍ଦଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଆତଙ୍କବାଦୀ ନେଇ କ’ଣ କହିଲା ପାକିସ୍ତାନ?
ଆଫଗାନିସ୍ତାନରେ ବଢୁଥିବା ଆତଙ୍କୀ କାର୍ଯ୍ୟକଳାପ ନେଇ ପାକିସ୍ତାନର ସ୍ୱତନ୍ତ୍ର ପ୍ରତିନିଧି ମହମ୍ମଦ ସାଦିକ କହିଛନ୍ତି ଯେ ଆଂଚଳିକ ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରୁଷର ରାଜଧାନୀ ମସ୍କୋରେ ଆଫଗାନିସ୍ତାନ ପାଇଁ ସ୍ୱତନ୍ତ୍ର ପ୍ରତିନିଧିଙ୍କ ଏକ ବୈଠକ ଡକାଯାଇଥିଲା। ବୈଠକରେ ଅଂଶଗ୍ରହଣକାରୀ ଦେଶଗୁଡ଼ିକ ସର୍ବସମ୍ମତିକ୍ରମେ ଏକ ସ୍ଥିର, ସାର୍ବଭୌମ ଏବଂ ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନ ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଆତଙ୍କବାଦ ଏବଂ ବାହ୍ୟ ହସ୍ତକ୍ଷେପର କବଳରୁ ମୁକ୍ତ ଦେଶ ଆଫଗାନିସ୍ତାନ ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହିତ ପାକିସ୍ତାନ କିଛି ନିର୍ଦ୍ଦିଷ୍ଟ ଆତଙ୍କୀ ଗୋଷ୍ଠୀଙ୍କୁ ନେଇ ବି ଚିନ୍ତା ପ୍ରକାଶ କରିଛି । ସାଦିକ୍ କହିଛନ୍ତି, ” TTP, BLA, ETIM, ଜୈଶ-ଉଲ-ଆଦଲ, ISIL ଏବଂ ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକର ନିରନ୍ତର ଉପସ୍ଥିତି ଏବେ ଚିନ୍ତା ବଢାଇଛି । ଏହି ସାଧାରଣ ବିପଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରଗୁଡ଼ିକ ସମସ୍ତ ପ୍ରକାରର ଆତଙ୍କବାଦର ମୁକାବିଲା ପାଇଁ ଉତ୍ତମ ସମନ୍ୱୟ ଏବଂ ସହଯୋଗମୂଳକ କାର୍ଯ୍ୟର ଗୁରୁତ୍ୱପୂର୍ଣ୍ଣତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପାକିସ୍ତାନର ଆତଙ୍କୀ ଇତିହାସ
ବର୍ଷ ବର୍ଷ ଧରି ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଆସିଛି । ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗର ଯୁକ୍ତି ହେଉଛି ଏହାର ଅଧିକାରୀଙ୍କ ଦ୍ୱାରା ସାର୍ବଜନୀନ ବିବୃତ୍ତି, ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ହିଁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ ଏକ ଟେଲିଭିଜନ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ଦେଶ ତିନି ଦଶନ୍ଧି ଧରି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିଆସୁଛି । ଯାହାକୁ ନିଜେ ସେ ଭୁଲ୍ ବୋଲି ବର୍ଣ୍ଣନା କରିଥିଲେ। ଏଥିସହିତ ପୂର୍ବତନ ପାକିସ୍ତାନୀ ରାଷ୍ଟ୍ରପତି ପରଭେଜ ମୁଶାରଫ ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ସେନା ୧୯୯୦ ଦଶକରେ ଭାରତ-ଶାସିତ କାଶ୍ମୀରରେ ଲଢ଼ିବା ପାଇଁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ତାଲିମ ଦେଇଥିଲେ। ଖାଲି ସେତିକି ନୁହେଁ, ୨୦୦୮ ମୁମ୍ବାଇ ଆକ୍ରମଣ ଏବଂ ୨୦୨୫ ପହଲଗାମ ଆକ୍ରମଣ ଭଳି ବଡ଼ ଆକ୍ରମଣ ପାଇଁ ଦାୟୀ ଲସ୍କର-ଏ-ତୈବା (LeT) ଏବଂ ଜୈଶ-ଏ-ମହମ୍ମଦ (JeM) ଭଳି ଜାତିସଂଘ ଦ୍ୱାରା ମନୋନୀତ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର ମୁଖ୍ୟାଳୟ ବି ପାକିସ୍ତାନରେ ଅବସ୍ଥିତ। ଏଥିସହିତ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଅଲ-କାଏଦା ନେତା ଓସାମା ବିନ୍ ଲାଡେନଙ୍କୁ ୨୦୧୧ରେ ପାକିସ୍ତାନର ଆବୋଟାବାଦର ଏକ କମ୍ପାଉଣ୍ଡରେ ଠାବ କରାଯାଇ ହତ୍ୟା କରାଯାଇଥିଲା । ଆଉ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ସମୟରେ ନିହତ ଆତଙ୍କବାଦୀଙ୍କ ଶବଦାହରେ ଯେଭଳି ଭାବେ ପାକିସ୍ତାନ ସେନା ଅଧିକାରୀମାନେ ଯୋଗ ଦେଇ ଲୁହ ଢାଳିଥିଲେ ତାହା ପାକିସ୍ତାନର ଆତଙ୍କୀ ପ୍ରେମକୁ ପ୍ରମାଣ ସହିତ ପଦାରେ ପକାଇଛି ।
ଅଣ୍ଟି ଛୁରି ତଣ୍ଟି କାଟୁଛି
ପାକିସ୍ତାନରେ ଆଭ୍ୟନ୍ତରୀଣ ଆତଙ୍କୀ ଆକ୍ରମଣ ମୁଣ୍ଡା ବିନ୍ଧାର କାରଣ ପାଲଟିଛି । ଦୀର୍ଘ ଦିନ ଧରି ନିଜ ସୀମା ମଧ୍ୟରେ ଆତଙ୍କବାଦର ଶିକାର ହୋଇଆସୁଛି । ଏଥିପାଇଁ ୨୦୧୮ ମସିହାରୁ ପାକିସ୍ତାନ ଗ୍ରେ ଲିଷ୍ଟରେ ରହିଥିବା ବେଳେ ୧୯୯୮ ମସିହାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆଇନ ଅନୁଯାୟୀ ପାକିସ୍ତାନକୁ ଏକ ବିଶେଷ ଚିନ୍ତାର ଦେଶ (ସିପିସି) ଭାବରେ ନାମିତ କରାଯାଇଛି। ୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ବିପଦ ବୃଦ୍ଧି ପାଇଥିଲା। ୨୦୨୧ ତୁଳନାରେ ଆକ୍ରମଣ ଏବଂ ମୃତାହତଙ୍କ ସଂଖ୍ୟା ଅଧିକ ଥିଲା। ପରେ ୨୦୨୨ ମସିହାରେ ସିପିସିକୁ ପୁନଃନିର୍ମାଣ କରାଯାଇଥିଲା। ଦେଶରେ ଆକ୍ରମଣ କରିବା ଉପରେ ଧ୍ୟାନ ଦେଇଥିବା ପ୍ରମୁଖ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ମଧ୍ୟରେ TTP, ବଲୁଚିସ୍ତାନ ଲିବରେସନ ଆର୍ମି (BLA) ଏବଂ ISIS-K ଅନ୍ତର୍ଭୁକ୍ତ।
Comments are closed.