Latest Odisha News

ରସାତଳକୁ ଯାଉଛି ପାକିସ୍ତାନ ଅର୍ଥନୀତି: ପେଟ୍ରୋଲ ୨୭୨ ଓ ଡିଜେଲ୍ ୨୮୦ ଟଙ୍କା ବଢିଲା

ଇସ୍‌ଲାମାବାଦ: ଧୀରେ ଧୀରେ ନିୟନ୍ତ୍ର ବାହାରକୁ ଚାଲିଯାଉଛି ପାକିସ୍ତାନ ଅର୍ଥନୀତି। ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ରହିଛି। ଏହାରି ଭିତରେ ପୁଣି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବଢ଼ାଇଛନ୍ତି ପାକିସ୍ତାନ ସରକାର।  ପେଟ୍ରୋଲ୍ ମୂଲ୍ୟରେ ୨୨ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ୍ ମୂଲ୍ୟରେ ୧୭ ଟଙ୍କା ବୃଦ୍ଧି ହୋଇଛି।

ବର୍ଦ୍ଧିତ ମୂଲ୍ୟ ଅନୁସାରେ ପାକିସ୍ତାନରେ ବର୍ତ୍ତମାନ ପେଟ୍ରୋଲ୍ ଲିଟର ପିଛା ୨୭୨ ପାକିସ୍ତାନୀ ଟଙ୍କାରେ ମିଳୁଥିବା ବେଳେ ଡିଜେଲ୍ ମିଳୁଛି ୨୮୦ ପାକିସ୍ତାନୀ ଟଙ୍କାରେ। ପୂର୍ବରୁ ମହଙ୍ଗାମାଡ଼ ସବୁଥିବା ପାକିସ୍ତାନ ଉପରେ ପେଟ୍ରୋଲ ଓ ଡିଜେଲ୍‌ ମୂଲ୍ୟ  ବୃଦ୍ଧି ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି। ଗତ କିଛିଦିନ ତଳେ ପେଟ୍ରୋଲ ଓ ଡିଜେଲ୍ ଦରର ୩୨ ଟଙ୍କା ବୃଦ୍ଧି କରିଥିଲେ ପାକିସ୍ତାନ ସରକାର।

ନୂଆ ଦର ନିର୍ଦ୍ଧାରିତ କରିବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେୱାଜ ସରିଫଙ୍କ ସରକାର ସଂସଦରେ ସପ୍ଲିମେଣ୍ଟାରୀ ଫାଇନାନ୍ସିଆଲ୍ ବିଲ୍ ଆଗତ କରିଥିଲେ। ଦେଶରେ ୧୭୯ ବିଲିୟନ ରାଜସ୍ୱ ବଢାଇବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯିବା  ସହ ୧୮ ପ୍ରତିଶତ ଜିଏସ୍‌ଟି ବଢାଇବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବୃଦ୍ଧି ହୋଇଛି। ତେବେ କେବଲେ ପେଟ୍ରୋଲ ଓ ଡିଜେଲ୍‌ରେ ମୂଲ୍ୟ ବୃଦ୍ଧି ହୋଇନାହିଁ। କିରୋସିନ ତେଲ ବି ଲିଟର ପ୍ରତି ୨୦୨ ଟଙ୍କାରେ ମିଳୁଛି। ଗୁରୁବାର ରାତି ୧୨ଟା ପରେ ନୂଆ ମୂଲ୍ୟ ଲାଗୁ ହୋଇଛି।

ସେହିପରି କ୍ଷୀର ଲିଟର ପ୍ରତି ୨୧୦ ପାକିସ୍ତାନୀ ଟଙ୍କା ଥିବା ବେଳେ ଚିକେନ କିଲୋ ୭୦୦-୮୦୦ ଟଙ୍କା ରହିଛି। ସେହିପରି ଗହମ, ଅଟା, ଚିନି ପନିପରିବା ଆଦି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି।

Comments are closed.