Latest Odisha News

BREAKING NEWS

ଆଜି ତ୍ରିପୁରାରେ ଭୋଟ ଗ୍ରହଣ; ମତଦାନ କରୁଛନ୍ତି ଭୋଟର

ନୂଆଦିଲ୍ଲୀ : ଆଜି ତ୍ରିପୁରା ବିଧାନସଭା ନିର୍ବାଚନ  । ୬୦ ଟି ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ  । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।  ପ୍ରାୟ ୨୮ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ । ଏହି ନିର୍ବାଚନରେ ମୋଟ ୨୫୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତେବେ ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ଭୋଟର । ଏଥିସହ ମୋଟ ୩ ହଜାର ୩୩୭ ବୁଥରେ ମତଦାନ ହେଉଛି । ଶାନ୍ତି ଶୃଙ୍ଖଳା ପାଇଁ ୨୫ ହଜାର କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ୧୧୦୦ କେନ୍ଦ୍ର ସ୍ପର୍ଶକାତର ରହିଥିବା ବେଳେ ୨୮ଟି କେନ୍ଦ୍ର ଅତ୍ୟନ୍ତ ସ୍ପର୍ଶକାତର ଘୋଷଣା କରାଯାଇଛି ।

ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ୨୮.୧୩ ଲକ୍ଷ । ଏହି ନିର୍ବାଚନରେ ମୋଟ ୬୦ ଆସନରୁ ବିଜେପି ପ୍ରାର୍ଥୀ ୫୫ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ସହ ମେଣ୍ଟ କରିଥିବା ଇଣ୍ଡିଜେନିଅସ ପିପୁଲସ ଫ୍ରଣ୍ଟ ଅଫ ତ୍ରିପୁରା ବା (IPFT) ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ସେପଟେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମେଣ୍ଟରେ ଥିବା ସିପିଆଇ, ଆରଏସପି ୪୭ଟି ଆସନରେ ଲଢେଇ କରୁଛନ୍ତି । ସେହିପରି ଆଞ୍ଚଳିକ ଟିପରା ମୋଥା ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ତ୍ରିପୁରାର ଚିଫ୍‌ ଇଲେକ୍ଟୋରାଲ୍‌ ଅଫିସର୍‌ ଗିତ୍ତେ କିରଣକୁମାର ଦିନାକର୍‌ରାଓ ଗଣମାଧ୍ୟମକୁ କହିଛନ୍ତି, ଭୋଟ୍‌ ଗ୍ରହଣର ପ୍ରଥମ ୩୦ ମିନିଟ୍‌ ଭିତରେ ରାଜ୍ୟର କୌଣସି ପ୍ରାନ୍ତରେ କିଛି ଅପ୍ରୀତିକର ଘଟଣା ଘଟିଥିବା କିମ୍ବା ‘ଇଭିଏମ୍‌’ରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିବା ରିପୋର୍ଟ ଆସିନାହିଁ।

ଏଥର ମଧ୍ୟ ସରକାର ଗଠନ ଲକ୍ଷ୍ୟ ରଖିଛି ବିଜେପି । ବିଜେପିକୁ ପୁଣି କ୍ଷମତା ଦେବେ ନା ବାମ ଦଳକୁ କ୍ଷମତାକୁ ଫେରାଇବେ ତାହା ନିର୍ଣ୍ଣୟ କରିବେ ଜନତା। ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ ତ୍ରିପୁରାବାସୀ କାହାକୁ ନିଜ ନେତା ରୂପେ ଚୟନ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଦେଶର ନିର୍ବାଚନରେ ତ୍ରିପୁରା ହେଉଛି ପ୍ରଥମ ରାଜ୍ୟ। ତେବେ ଚଳିତ ଫେବ୍ରୁଆରି ୨୭ରେ ନାଗାଲାଣ୍ଡ୍‌ ଓ ମେଘାଳୟ ବିଧାନସଭା ନିମନ୍ତେ ଭୋଟ୍‌ ଗ୍ରହଣ କରାଯିବ।

Leave A Reply

Your email address will not be published.