- ଭାରତର କୂଟନୈତିକ ବିଜୟରେ ଜଳୁଛି ପାକିସ୍ତାନ
- ସୋସିଆଲ ମିଡିଆରେ ଟ୍ରମ୍ପଙ୍କୁ ସମାଲୋଚନା
- ପାକିସ୍ତାନୀଙ୍କ କ୍ରୋଧ: “ସମ୍ମାନ କିଣାଯାଏନି, ଚାପଲୁସି କରି ମଧ୍ୟ ହାରିଲା ପାକିସ୍ତାନ”
- ଭାରତ-ଆମେରିକା ମଧ୍ୟରେ ଐତିହାସିକ ଟ୍ରେଡ୍ ଡିଲ୍,
- ଆମେରିକା ବଜାରରେ ଶସ୍ତା ହେବ ଭାରତୀୟ ସାମଗ୍ରୀ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତି ଆଜି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚୁକ୍ତି ପରେ ଆମେରିକାକୁ ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ଟ୍ୟାକ୍ସ ବା ଟାରିଫ୍କୁ ୫୦ ପ୍ରତିଶତରୁ ହ୍ରାସ କରାଯାଇ ୧୮ ପ୍ରତିଶତ କରାଯାଇଛି। ତେବେ ଏହି ଖବର ଆସିବା ପରେ ପଡ଼ୋଶୀ ପାକିସ୍ତାନରେ ଏବେ ହଇଚଇ ସୃଷ୍ଟି ହୋଇଛି। ଭାରତକୁ ମିଳିଥିବା ଏହି ସୁବିଧାକୁ ଦେଖି ପାକିସ୍ତାନୀ ନାଗରିକ ଏବେ ନିଜ ସରକାର ଓ ଟ୍ରମ୍ପଙ୍କ ଉପରେ ବର୍ଷିଛନ୍ତି।
ଗତ ୨ ଫେବୃଆରୀରେ ଭାରତ ଓ ଆମେରିକା ମଧ୍ୟରେ ଏହି ବଡ଼ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରୁ ପେନାଲ୍ଟି ଟାରିଫ୍ ହଟାଇ ଦେଇଛନ୍ତି। ଫଳରେ ଭାରତୀୟ ଟେକ୍ସଟାଇଲ୍, ଫାର୍ମା ଏବଂ ଆଇଟି କ୍ଷେତ୍ରକୁ ଏକ ବଡ଼ ବୁଷ୍ଟ ମିଳିଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆରେ ଇଣ୍ଡିଆ ଗେଟ୍ର ଫଟୋ ଶେୟାର କରି ଭାରତ ସହ ଥିବା ବନ୍ଧୁତାକୁ ପ୍ରଶଂସା କରିଛନ୍ତି।
ଅନ୍ୟପଟେ, ପାକିସ୍ତାନ ଏବେ ନିଜର ଅସହାୟତାକୁ ନେଇ କାନ୍ଦୁଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନା ମୁଖ୍ୟ ଆସିମ ମୁନୀର ଆମେରିକାରେ ଦୀର୍ଘ ଦିନ ଧରି ଲବି କରିବା ସହ ଟ୍ରମ୍ପଙ୍କୁ ଖୁସି କରିବାକୁ ଚାପଲୁସି କରିଥିଲେ। ଏପରିକି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମଧ୍ୟ ନାମାଙ୍କିତ କରିଥିଲେ। କିନ୍ତୁ ଏ ସବୁ ସତ୍ତ୍ୱେ ପାକିସ୍ତାନ ଉପରେ ୧୯ ପ୍ରତିଶତ ଟାରିଫ୍ ଲାଗୁ ହୋଇଛି, ଯାହା ଭାରତ ତୁଳନାରେ ୧ ପ୍ରତିଶତ ଅଧିକ।
ସେପଟେ ସୋସିଆଲ ମିଡିଆରେ ପାକିସ୍ତାନୀ ଜନତା ଲେଖୁଛନ୍ତି ଯେ ଭାରତ ନିଜର ଆର୍ଥିକ ଶକ୍ତି ବଳରେ ସମ୍ମାନ ପାଇଛି, କିନ୍ତୁ ପାକିସ୍ତାନ କେବଳ ଭିକ ମାଗୁଛି।
ପୂର୍ବତନ ମନ୍ତ୍ରୀ ହମ୍ମାଦ ଅଜହର କହିଛନ୍ତି— “ଫଟୋ ଉଠାଇଲେ ବୈଦେଶିକ ନୀତି ଚାଲେନି, ଏଥିପାଇଁ ଆର୍ଥିକ ଶକ୍ତି ଦରକାର।”
ଡିଜିଟାଲ କ୍ରିଏଟର ବଜାହତ ଖାନ ଲେଖିଛନ୍ତି— “ଟ୍ରମ୍ପ ଜଣେ ବ୍ୟବସାୟୀ, ସେ ଭାରତକୁ ଏକ ପାର୍ଟନର ଭାବେ ଦେଖିଲେ କିନ୍ତୁ ପାକିସ୍ତାନକୁ ଜଣେ ସେଲସମ୍ୟାନ୍ ଭାବେ।”
ଭାରତ ରୁଷଠାରୁ ତେଲ କିଣିବା ସତ୍ତ୍ୱେ ନିଜର ‘ଷ୍ଟ୍ରାଟେଜିକ ଅଟୋନୋମି’ ବା ରଣନୈତିକ ସ୍ୱାଧୀନତା ବଜାୟ ରଖିଛି। ଆଉ ଏହି ଦମଦାର କୂଟନୀତି ଆଗରେ ଆମେରିକା ମଧ୍ୟ ନଇଁଛି। ଆଗାମୀ ୧୦ ବର୍ଷରେ ଭାରତର ରପ୍ତାନି ୧୫୦ ବିଲିୟନ ଡଲାର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଭାରତର ଏହି ଉତ୍ଥାନ ଦେଖି ପାକିସ୍ତାନ ରାଗରେ ଜଳି ଯାଉଛି ।