କାବୁଲ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି । ଆଫଗାନିସ୍ତାନର ରାଜଧାନୀ କାବୁଲ୍ ଉପରେ ପାକିସ୍ତାନର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ରେ ଶହ ଶହ ଲୋକଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି ।
ସୋମବାର ରାତି ପ୍ରାୟ ୯ଟା ସମୟରେ କାବୁଲ୍ରେ ଏକ ବଡ଼ ଧରଣର ବିସ୍ଫୋରଣରେ ଥରିଉଠିଥିଲା ସମ୍ପୂର୍ଣ୍ଣ ସହର । ତାଲିବାନ ସରକାରଙ୍କ କହିବା ଅନୁଯାୟୀ, ପାକିସ୍ତାନୀ ବାୟୁସେନା କାବୁଲ୍ରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ପ୍ରାୟ ୪୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫୦ ରୁ ଅଧିକ ଗୁରୁତର ହୋଇଥିବା ଜଣାପଡ଼ିଛି ।
ଆଫଗାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ୨୦୦୦ ଶଯ୍ୟା ବିଶିଷ୍ଟ ଓମିଦ୍ ଆଡିକ୍ସନ ଟ୍ରିଟମେଣ୍ଟ ହସ୍ପିଟାଲ୍ କୁ ପାକିସ୍ତାନ ଟାର୍ଗେଟ୍ କରିଛି। ଏହି ଆକ୍ରମଣରେ ହସ୍ପିଟାଲର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ତାଲିବାନ ଏହାକୁ ‘ମାନବିକତା ବିରୋଧରେ ଅପରାଧ’ ଏବଂ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛି।
ଅନ୍ୟପଟେ ପାକିସ୍ତାନ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ପାକିସ୍ତାନର କହିବା ଅନୁଯାୟୀ ସେମାନେ କୌଣସି ସାଧାରଣ ନାଗରିକ କିମ୍ବା ହସ୍ପିଟାଲକୁ ନିଶାଣ କରିନାହାନ୍ତି । ସେମାନଙ୍କର କାର୍ଯ୍ୟାନୁଷ୍ଠାନ କେବଳ ଆତଙ୍କବାଦୀ କ୍ୟାମ୍ପ ଏବଂ ସାମରିକ ଘାଟି ବିରୋଧରେ ଥିଲା ।
ଏହି ଘଟଣାକୁ ନେଇ ଆଫଗାନିସ୍ତାନ କ୍ରିକେଟର ରାଶିଦ୍ ଖାନ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଏହାକୁ ଏକ ‘ଯୁଦ୍ଧ ଅପରାଧ’ ବୋଲି କହି ନିନ୍ଦା କରିଛନ୍ତି। ଗତ କିଛି ସପ୍ତାହ ଧରି ସୀମାରେ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଏହି ଘଟଣା ପରେ ଏକ ଗମ୍ଭୀର ମୋଡ଼ ନେଇଛି।।
Comments are closed.