ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ଅପରେସନ ସିନ୍ଦୂର ଅଧୀନରେ ଦେଶରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଉତ୍ତେଜିତ ହୋଇପଡିଛି। ପାକିସ୍ତାନ ଏବେ ବି ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖି ସାଧାରଣ ଭାରତୀୟଙ୍କୁ ଟାର୍ଗେଟ କରିଛି। ପାକିସ୍ତାନ ପାଲଟା ଜବାବ ଦେଇ ଏଲଓସି ଉପରେ ଗୁଳି ଚଳାଇଛି। ଏହି ଗୁଳିକାଣ୍ଡରେ ୩ ଭାରତୟୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପୁଞ୍ଚ ଜିଲ୍ଲା ଅଧିକାରୀ କହିଛନ୍ତି ଯେ, ପାକିସ୍ତାନୀ ମୋର୍ଟାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଭାରତୀୟ ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଛି। ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ସେନାର ମଧ୍ୟ କ୍ଷତି ହୋଇଛି। ଡିଭିଜନାଲ କମିଶନର ଜମ୍ମୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜମ୍ମୁ, ସାମ୍ବା, କାଠୁଆ, ରାଜୌରୀ ଏବଂ ପୁଞ୍ଚର ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ।
ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ବନ୍ଦ କରିବାର କୌଣସି ସଙ୍କେତ ଦେଖାଉନାହିଁ। ଯେଉଁଠାରେ ଗୋଟିଏ ପଟେ ଭାରତ ପାକ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରୁଛି ଏବଂ ଅନ୍ୟପଟେ ପାକିସ୍ତାନ ଉତ୍ତ୍ୟକ୍ତ ହୋଇ ନିୟନ୍ତ୍ରଣ ରେଖାରେ ପୁଣି ଫାୟାରିଂ ଆରମ୍ଭ କରିଛି। ୨୦୨୫ ମଇ ୦୬ ତାରିଖ ବିଳମ୍ବିତ ରାତିରେ, ପାକିସ୍ତାନ ସେନା ଜମ୍ମୁ ଏବଂ କାଶ୍ମୀର ଆଡ଼କୁ ମୁହାଁଇଥିବା ନିୟନ୍ତ୍ରଣ ରେଖାରେ ମନଇଚ୍ଛା ଫାୟାରିଂ କରିଛି, ଯେଉଁଥିରେ ତୋପ ମାଡ଼ ମଧ୍ୟ ସାମିଲ ଥିଲା। ଏହି ଅଚାନକ ଗୁଳିଚାଳନା ଯୋଗୁଁ ତିନି ଜଣ ଭାରତୀୟ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ପାକିସ୍ତାନର ଏହି ଗୁଳିମାଡ଼ର ଉଚିତ ଜବାବ ଦେଇଥିଲା ଭାରତୀୟ ସେନା।
ଏହା ପୂର୍ବରୁ ମଧ୍ୟ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି, ଯାହାର ଭାରତ ଉଚିତ ଜବାବ ଦେଉଛି। ଅନ୍ୟପଟେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପୁଞ୍ଚ-ରାଜୌରୀ ସେକ୍ଟରର ଭୀମବର ଷ୍ଟ୍ରିଟ୍ ଏବଂ କୁପୱାଡା ଜିଲ୍ଲାର କର୍ଣ୍ଣାହ ଅଞ୍ଚଳରେ ଗୁଳିଚାଳନା କରିଛି। ଏହି ଆକ୍ରମଣ ପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି ଏବଂ ନିଜକୁ ସୁରକ୍ଷା ଦେବା ପାଇଁ ସେମାନେ ଭୂତଳ ବଙ୍କରରେ ଲୁଚି ରହିଛନ୍ତି।
ସୂଚନା ଥାଉକି, ପହଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବା ପାଇଁ କରାଯାଇଥିବା ଏହି ଏୟାରଷ୍ଟ୍ରାଇକରେ ଭାରତୀୟ ବାୟୁସେନା ବାହାୱାଲପୁର, କୋଟଲି ଏବଂ ମୁଜଫ୍ଫରାବାଦ ସମେତ ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଏ-ତୈବାର ମୁଖ୍ୟ ଶିବିରଗୁଡ଼ିକୁ ଧ୍ୱଂସ କରିଛି। ଏହି ଅଭିଯାନ ପାକିସ୍ତାନ ପୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ପାଇଁ ଏକ ବଡ଼ ଝଟକା ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ଆକ୍ରମଣରେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସ୍ୱୀକାର କରିଛି।
Comments are closed.