Latest Odisha News

ଆସନ ଟଳମଳ ବେଳେ ଭାରତକୁ ପୁଣି ପାକ୍ ପିଏମଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆସନ୍ତାକାଲି ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇପାରେ । ଏହା ପୂର୍ବରୁ କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦ୍ୱିତୀୟଥର ପାଇଁ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସାରା ବିଶ୍ୱ ଭାରତର ପାସପୋର୍ଟକୁ ସମ୍ମାନ ଦିଏ। ଯେଉଁ ସମ୍ମାନ ଭାରତ ପାଏ ସେହି ସମ୍ମାନ ପାକିସ୍ତାନ ପାଏ ନାହିଁ ।

ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିବାକୁ ଯାଇ ଇମ୍ରାନ୍ କହିଛନ୍ତି, ନୂଆଦିଲ୍ଲୀର ବୈଦେଶିକ ନୀତି ବହୁତ ଭଲ । ସେମାନେ ଅନେକ ଦେଶ କଥା ହୁଅନ୍ତି । ତେଣୁ ଆମର ପାସପୋର୍ଟ ତୁଳନାରେ ଭାରତର ପାସପୋର୍ଟକୁ ଅଧିକ ସମ୍ମାନ ମିଳେ । ଏପରି କହିବା ପଛର ଉଦ୍ଦେଶ୍ୟ ବୁଝାଇବାକୁ ଯାଇ ଇମ୍ରାନ କହିଛନ୍ତି, ଭାରତର ବୈଦେଶିକ ନୀତି ଚାପମୁକ୍ତ, ସ୍ୱାଧୀନ । ଆମ ଦେଶର ବୈଦେଶିକ ନୀତି ମଧ୍ୟ ଏପରି ହେବା ଦରକାର । ପାକିସ୍ତାନର ମାଲାକାଣ୍ଡ ଦରଗାଇରେ ରାଲି କରିବା ଅବସରରେ ସେ ଏପରି କହିଛନ୍ତି। ଭାରତର ବୈଦେଶିକ ନୀତି ଭାରତବାସୀଙ୍କୁ ବେଶ୍ ସୁହାଉଛି।

ଅନ୍ୟପଟେ ପାକିସ୍ତାନର ବିରୋଧୀ ଦଳ ନେତା ଶେହବାଜ ସରିଫ କହିଛନ୍ତି, ଇମ୍ରାନ ଏପରି କହିବା ଶୋଭା ଦେଉନି । ଯେଉଁ ଭାରତ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ ଅନ୍ତର୍ଜାତୀୟ ମଞ୍ଚରେ ଦାୟୀ କରୁଛି ସେତେବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସେହିପରି ପାକିସ୍ତାନକୁ ବୈଶିକ ସ୍ତରରେ ବିପଦ ଘେରରେ ରଖିଥିବାରୁ ଇମ୍ରାନଙ୍କ ଉପରେ ବର୍ଷିଛନ୍ତି ସରିଫ ।

ତେବେ ଆସନ୍ତାକାଲି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ଇମ୍ରାନ୍ କହିଛନ୍ତି ଯେ ତାଙ୍କ ପାଖରେ ସୂଚନା ରହିଛି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି।’ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି ବୋଲି ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି । ଏହା ପୂର୍ବରୁ ପାକିସ୍ତାନର ସୂଚନା ପ୍ରସାରଣ ମନ୍ତ୍ରୀ ଫାଓ୍ୱାଦ ଚୌଧୁରୀ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ହେଉଛି ବୋଲି ଦାବି କରିଥିଲେ।

Leave A Reply

Your email address will not be published.