Latest Odisha News

BREAKING NEWS

ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବିବାଦୀୟ ବୟାନ ଦେଇ ଚାଞ୍ଚଲ୍ୟ ଖେଳାଇଛନ୍ତି। ନିଜର ‘ଷ୍ଟେଟ୍ ଅଫ୍ ଦି ୟୁନିଅନ’ ଅଭିଭାଷଣରେ ଟ୍ରମ୍ପ ଏମିତି କିଛି କହିଛନ୍ତି, ଯାହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ବଢାଇ ଦେଇଛି। ଟ୍ରମ୍ପ ଦାବି କରିଛନ୍ତି ଯେ, ଯଦି ସେ ମଧ୍ୟସ୍ଥି କରିନଥାନ୍ତେ, ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆଜି ଜୀବିତ ନଥାନ୍ତେ।

୨୦୨୫ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିଲା ଭାରତୀୟ ସେନା। ଟ୍ରମ୍ପଙ୍କ କହିବା ଅନୁସାରେ, ସେହି ସମୟରେ ସ୍ଥିତି ଏତେ ଭୟଙ୍କର ଥିଲା ଯେ ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ଦେଖାଦେଇଥିଲା।

ଟ୍ରମ୍ପ ଆହୁରି କହିଛନ୍ତି, “ମୁଁ ହସ୍ତକ୍ଷେପ କରି ନଥିଲେ ୩ କୋଟି ୫୦ ଲକ୍ଷ ଲୋକ ମରିଥାନ୍ତେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ବଞ୍ଚି ନଥାନ୍ତେ।” କେବଳ ସେତିକି ନୁହେଁ, ନିଜର ଚିରାଚରିତ ଢଙ୍ଗରେ ଟ୍ରମ୍ପ କହିଛନ୍ତି ଯେ, ସେ ଉଭୟ ଦେଶକୁ ‘୨୦୦ ପ୍ରତିଶତ ଟ୍ୟାରିଫ୍’ ବା ବାଣିଜ୍ୟିକ ଶୁଳ୍କ ଲଗାଇବାର ଧମକ ଦେଇଥିଲେ। ଯଦି ଯୁଦ୍ଧ ବନ୍ଦ ନହୁଏ, ତେବେ ଆମେରିକା କୌଣସି ବ୍ୟାପାର କରିବ ନାହିଁ ବୋଲି କହିଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ସରକାର ସବୁବେଳେ କହି ଆସିଛନ୍ତି ଯେ ପାକିସ୍ତାନ ସହ ଆଲୋଚନା ଏକ ଦ୍ୱିପାକ୍ଷିକ ବିଷୟ ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ। ତେଣୁ ଟ୍ରମ୍ପଙ୍କ ଏହି ବୟାନ କେବଳ ନିଜକୁ ବଡ଼ ଦେଖାଇବା ପାଇଁ ବୋଲି କୁହାଯାଉଛି।

Leave A Reply

Your email address will not be published.