ଇସଲାମବାଦ: ପାକିସ୍ତାନର ଅବସ୍ଥା ସାଂଘାତିକ । ଦେଶର ଦୟନୀୟ ଅର୍ଥନୀତି ନେଇ ଶେଷରେ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ସେ କହିଛନ୍ତି ଯେ, “ଇଜ୍ଜତ ଦେଇ କରଜ ମାଗିବାକୁ ପଡୁଛି।” ଦେଶର ଋଣ ବୋଝ ଏମିତି ସ୍ଥିତିରେ ପହଞ୍ଚିଛି ଯେ, ପ୍ରତିଟି ପାକିସ୍ତାନୀଙ୍କ ମୁଣ୍ଡରେ ଏବେ ଲକ୍ଷ ଲକ୍ଷ ଟଙ୍କାର କରଜ ।
କାଙ୍ଗାଳ ପାକିସ୍ତାନର ଅସଲ ଚେହେରା ଏବେ ପଦାରେ ପଡ଼ି ହାଟରେ ଗଡୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଶେହବାଜ ସରିଫ୍ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟ ଦେଶ ଆଗରେ ହାତ ପାତିଲେ କେବଳ ମୁଣ୍ଡ ନୁଆଁଇବାକୁ ପଡ଼େ ନାହିଁ, ବରଂ ନିଜର ‘ସମ୍ମାନ’ ମଧ୍ୟ ହରାଇବାକୁ ପଡିଥାଏ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।
ଆମେ ବିଭିନ୍ନ ଦେଶକୁ ଯାଇ କହୁଛୁ ଯେ ଆମର ଏତିକି ବିଲିୟନ ଡଲାରର ଗ୍ୟାପ୍ ଅଛି, ସାହାଯ୍ୟ କରନ୍ତୁ। ସେମାନେ ମନା କରୁନାହାନ୍ତି ସତ, କିନ୍ତୁ ମନେ ରଖିବା ଉଚିତ ଯେ ଯିଏ କରଜ ମାଗିବାକୁ ଯାଏ, ତାର ମୁଣ୍ଡ ସବୁବେଳେ ନଇଁ ରହିଥାଏ ବୋଲି କହିଛନ୍ତି ସରିଫ୍ ।
ପାକିସ୍ତାନର ଅର୍ଥନୈତିକ ସ୍ଥିତି ଏବେ ଭୟଙ୍କର ରୂପ ଧାରଣ କରିଛି। ତଥ୍ୟ ଅନୁସାରେ: ପାକିସ୍ତାର ପ୍ରତି ବ୍ୟକ୍ତି ପିଛା କରଜ ୩ ଲକ୍ଷ ୩୩ ହଜାର ଟଙ୍କାରେ ପହଞ୍ଚିଲାଣି । ୨୦୨୫ ଡିସେମ୍ବର ସୁଦ୍ଧା ଦେଶର ମୋଟ ବୈଦେଶିକ ଋଣ ପରିମାଣ ପହଞ୍ଚିଲାଣି ୫୨.୩୬ ବିଲିୟନ ଆମେରିକୀୟ ଡଲାରରେ । ଯାହା ଗତ ବର୍ଷ ତୁଳନାରେ ୧୩% ବୃଦ୍ଧି ଘଟିଛି ।
ଶେହବାଜ ସରିଫ୍ ଆହୁରି ମଧ୍ୟ କହିଛନ୍ତି ଯେ, କରଜ ଦେଉଥିବା ଦେଶଗୁଡିକର ଏମିତି କିଛି ସର୍ତ୍ତ ମାନିବାକୁ ପଡୁଛି, ଯାହା ସେମାନେ ଆଦୌ ଚାହୁଁନାହାନ୍ତି। ନିଜର ଆତ୍ମସମ୍ମାନକୁ ବଳି ଦେଇ ପାକିସ୍ତାନ ଆଜି ବିଶ୍ୱ ଦରବାରରେ ଭିକାରୀ ସାଜିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଯେଉଁ ଋଣ ବୋଝ ପ୍ରତି ବ୍ୟକ୍ତି ପିଛା ପ୍ରାୟ ୨.୯୪ ଲକ୍ଷ ଥିଲା, ତାହା ଏବେ ୩.୩୩ ଲକ୍ଷ ଅତିକ୍ରମ କରିଛି । ଆଗାମୀ ଦିନରେ ପାକିସ୍ତାନର ସ୍ଥିତି ଆହୁରି ସଂଗୀନ ହେବ ଏହା ଜଳଜଳ ହୋଇ ଦିଶୁଛି ।