Latest Odisha News

BREAKING NEWS

Israel vs everyone: An Islamic Nato: ଇସଲାମିକ ନାଟୋ, ଭାରତ ପାଇଁ କେତେ ବିପଦ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ରାଜନୈତିକ ଅସ୍ଥିରତା ତୀବ୍ର ହେଉଛି। ସମ୍ପ୍ରତି ଇସ୍ରାଏଲ ଦୋହା ଉପରେ ଏକ ବିମାନ ଆକ୍ରମଣ କରିବା ପରେ ଏବେ ମଧ୍ୟପ୍ରାଚ୍ୟରେ ଏକ ଆରବ ନାଟୋ ପାଇଁ ପୁନର୍ବାର ଆହ୍ୱାନ ତେଜିଛି । ସୋମବାର ଦିନ ୪୦ରୁ ଅଧିକ ଆରବ ଏବଂ ଇସଲାମିକ ରାଷ୍ଟ୍ରର ନେତାମାନେ ଦୋହାରେ ଏକ ଜରୁରୀକାଳୀନ ସମ୍ମିଳନୀ ଡାକିଥିଲେ । ଇସ୍ରାଏଲକୁ ଏକ ମିଳିତ ପ୍ରତିକ୍ରିୟା ଦେବା ପାଇଁ ଏହି ରାଷ୍ଟ୍ର ଅଣ୍ଟା ଭିଡିଥିବା ବେଳେ ଏହା ଏବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଚିନ୍ତା ବଢାଇଛି । ଯଦିଓ ଆଲୋଚନା ନିନ୍ଦା ଏବଂ ଅସ୍ପଷ୍ଟ ପ୍ରତିଶ୍ରୁତି ବ୍ୟତୀତ ଆଉ କିଛି ସୃଷ୍ଟି କରିନଥିଲା, ତଥାପି ଏହା ସଦସ୍ୟ ରାଷ୍ଟ୍ର ପାଇଁ ନାଟୋ ଶୈଳୀର ସାମରିକ ମେଣ୍ଟର ଧାରଣାକୁ ଜୋର ତେଜିଛି । ଯେଉଁଥିରେ ପାକିସ୍ତାନ ଏବଂ ତୁର୍କୀ ଉଭୟ ଯୋଗ ଦେଇଥିଲେ ।  

ଆରବ ନାଟୋ କ’ଣ?

ଆରବ ନାଟୋ ଏକ ପ୍ରସ୍ତାବିତ ରଣନୈତିକ ମେଣ୍ଟ, ଏବଂ ଦୋହାରେ ଏକ ଜରୁରୀକାଳୀନ ଆରବ-ଇସଲାମିକ ସମ୍ମିଳନୀ । ଯାହାକୁ ୪୦ରୁ ଅଧିକ ମୁସଲିମ ଦେଶର ନେତାମାନେ ଦୃଢ଼ ସମର୍ଥନ କରିଥିଲେ।  ତେବେ ଏହି ଧାରଣା ପ୍ରଥମ ନୁହେଁ, ଏକ ଆରବ ନାଟୋର ଧାରଣା ପ୍ରଥମେ ୨୦୧୫ରେ ସାମ୍ନାକୁ ଆସିଥିଲା। ମିଶର ଏହାକୁ ବିଶ୍ୱ ମଞ୍ଚରେ ଉପସ୍ଥାପନ କରିଥିଲା। ସେହି ସମୟରେ, ୟେମେନରେ ରାଜନୈତିକ ସଙ୍କଟ ଗଭୀର ହେଉଥିଲା ଏବଂ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ସିରିଆ(ISIS) ଦେଖାଦେଇଥିଲା। ଏହା ଆରବ ବିଶ୍ୱକୁ ଏକତ୍ର କରିବାର ଆବଶ୍ୟକତା ସୃଷ୍ଟି କରିଥିଲା, ଯାହା ଆରବ ନାଟୋର ଧାରଣାକୁ ଜନ୍ମ ଦେଇଥିଲା । ଇଜିପ୍ଟ ଏହି ମେଣ୍ଟକୁ ବିଶ୍ୱ ନେତାମାନଙ୍କ ନିକଟରେ ଏକ ସାମୂହିକ ପ୍ରତିରକ୍ଷା ଢାଲ ଭାବରେ ନିରନ୍ତର ଉପସ୍ଥାପନ କରିଛି । ଯାହା ଆଞ୍ଚଳିକ ସ୍ଥିରତାକୁ ସୁଦୃଢ଼ କରିବ।

ମେଣ୍ଟରେ ଯୋଗ ଦେବେ ଏହି ୨୨ ଦେଶ…

ରିପୋର୍ଟ ଅନୁଯାୟୀ, ଆରବ ନାଟୋରେ କୁୱେତ, ମିଶର, ଜୋର୍ଡାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (UAE), ବାହାରିନ, ଓମାନ ଏବଂ କତାର ସମେତ ୨୨ ଜଣ ସଦସ୍ୟ ସାମିଲ ହୋଇପାରନ୍ତି। ଇରାକ ମଧ୍ୟ ଏହାର ଏକ ଅଂଶ ହୋଇପାରେ। କୁହାଯାଉଛି ଯେ ପାକିସ୍ତାନ ଏବଂ ତୁର୍କୀ ଭଳି ମୁସଲିମ ଦେଶ ମଧ୍ୟ ଏହି ମେଣ୍ଟରେ ସାମିଲ ହେବେ । ଯେଉଁମାନେ ବିଶ୍ୱରେ ମୌଳବାଦୀ ମୁସଲିମ ରାଷ୍ଟ୍ର ଭାବରେ ଖ୍ୟାତି ରଖନ୍ତି। ତଥାପି, ଏହି ସଂଗଠନ କେବେ କାର୍ଯ୍ୟକାରୀ ହେବ ତାହା ସ୍ପଷ୍ଟ ନୁହେଁ।

ଭାରତକୁ ଲାଭ ନା କ୍ଷତି?

ରାଜନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଏହା ଭାରତକୁ ଶକ୍ତି, ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ସମର୍ଥନ ଯୋଗାଇ ପାରିବ। ଏହା ଦେଶକୁ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବ। ଭାରତ ଏହାର ପ୍ରାୟ ୮୦% ଅଶୋଧିତ ତୈଳ ମଧ୍ୟପ୍ରାଚ୍ୟରୁ ଆମଦାନୀ କରେ। ଆରବ ନାଟୋ ISIS ଭଳି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ। ବିଶ୍ଳେଷକମାନେ ଆକଳନ କରନ୍ତି ଯେ ଯଦି ଏହି ମେଣ୍ଟ ୨୦୨୬ ସୁଦ୍ଧା କାର୍ଯ୍ୟକାରୀ ହୁଏ, ତେବେ ଏହା ମଧ୍ୟପ୍ରାଚ୍ୟରେ ଶକ୍ତି ସନ୍ତୁଳନକୁ ପରିବର୍ତ୍ତନ କରିପାରେ। ଅନ୍ୟପକ୍ଷରେ ଆରବ ନାଟୋ ପାକିସ୍ତାନକୁ ସାମରିକ ଏବଂ କୂଟନୈତିକ ସମର୍ଥନ ପ୍ରଦାନ କରି ଭାରତ ବିରୁଦ୍ଧରେ ଏହାର ଆକ୍ରମଣାତ୍ମକ ମନୋଭାବକୁ ମଜବୁତ କରିପାରେ। ଏହା ବ୍ୟତୀତ, ଯଦି ଆରବ ଦେଶଗୁଡ଼ିକ ଏକାଠି ହୁଅନ୍ତି, ତେବେ ସେମାନଙ୍କ ସହିତ ଆର୍ଥିକ, ସାମାଜିକ ଏବଂ ବାଣିଜ୍ୟ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ ।

Comments are closed.