Latest Odisha News

BREAKING NEWS

ପାକିସ୍ତାନରେ ଆତଙ୍କବାଦର ତାଣ୍ଡବ: ମାତ୍ର ୯ ମାସରେ ଟଳିଲେଣି ୧୦୦୦ରୁ ଅଧିକ ସୈନ୍ୟ

ଇସଲାମାବାଦ: ଯେଉଁ ଦେଶ ଦଶନ୍ଧି ଦଶନ୍ଧି ଧରି ଆତଙ୍କବାଦକୁ ନିଜର ସରକାରୀ ନୀତି ଭାବେ ବ୍ୟବହାର କରିଆସୁଥିଲା, ଆଜି ସେହି ଦେଶ ନିଜେ ଆତଙ୍କବାଦର ନିଆଁରେ ଜଳୁଛି । ପାକିସ୍ତାନ ନିଜେ ସୃଷ୍ଟି କରିଥିବା ‘ଭସ୍ମାସୁର’ ଏବେ ତା’ ନିଜ ପାଇଁ କାଳ ସାଜିଛି । ସାମ୍ନାକୁ ଆସିଥିବା ଏକ ସଦ୍ୟତମ ତଥା ଚାଞ୍ଚଲ୍ୟକର ରିପୋର୍ଟ ଅନୁଯାୟୀ, ଦେଶରେ ଆତଙ୍କବାଦୀ ଆକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ଉପରକୁ ଉଠିବାରେ ଲାଗିଛି । ଗତ ୯ ମାସ ମଧ୍ୟରେ ପାକିସ୍ତାନରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ୧୦୦୦ରୁ ଅଧିକ ସୈନ୍ୟ ଏବଂ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଲାଣି । କୌଣସି ଯୁଦ୍ଧ ନଥାଇ ମଧ୍ୟ ସେନାକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ୁଥିବାରୁ, ଏହା ପାକିସ୍ତାନ ସରକାରଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର କାରଣ ପାଲଟିଛି ।

ସୂଚନା ଅନୁଯାୟୀ, ପାକିସ୍ତାନର ଖାଇବର ପାଖ୍‌ତୁନଖ୍ୱା ଏବଂ ବେଲୁଚିସ୍ତାନ ପ୍ରଦେଶ ଏବେ ଆତଙ୍କବାଦୀଙ୍କ ମୁଖ୍ୟ ଆଡ୍ଡାସ୍ଥଳୀ ପାଲଟିଛି । ପ୍ରତିଦିନ ସେଠାରେ ସେନାର ପାଟ୍ରୋଲିଂ ଗାଡ଼ି, ଚେକ୍‌ପୋଷ୍ଟ ଏବଂ ପୋଲିସ ଷ୍ଟେସନ୍ ଉପରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ଏବଂ ଗୁଳିମାଡ଼ କରାଯାଉଛି। ତେହେରିକ୍-ଇ-ତାଲିବାନ୍ ପାକିସ୍ତାନ ଏବଂ ବେଲୁଚ୍ ବିଚ୍ଛିନ୍ନତାବାଦୀ ଗୋଷ୍ଠୀମାନେ ପାକିସ୍ତାନୀ ସେନାକୁ ସିଧାସଳଖ ଟାର୍ଗେଟ୍ କରୁଛନ୍ତି। ଆଫଗାନିସ୍ତାନରେ ତାଲିବାନ୍ କ୍ଷମତାକୁ ଫେରିବା ପରେ ଟିଟିପି ଆତଙ୍କବାଦୀମାନେ ମନୋବଳ ପାଇ ଅଧିକ ସକ୍ରିୟ ତଥା ହିଂସ୍ର ହୋଇପଡ଼ିଛନ୍ତି ।

ସାଧାରଣତଃ ଯେକୌଣସି ଦେଶ ପାଇଁ ଗୋଟିଏ ବର୍ଷରେ ହଜାରେ ଯବାନ ହରାଇବା ଏକ ସାଧାରଣ କଥା ନୁହେଁ । ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଏହା ହେଉଛି ପାକିସ୍ତାନର ଦୋମୁହାଁ ନୀତିର ସ୍ପଷ୍ଟ ପରିଣାମ। ଗୋଟିଏ ପଟେ ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଓ ତାଲିମ ଯୋଗାଇବା ଏବଂ ଅନ୍ୟ ପଟେ ନିଜ ଦେଶ ଭିତରେ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେବା କାରଣରୁ ପାକିସ୍ତାନ ଏବେ ରକ୍ତାକ୍ତ ହେଉଛି । ଆତଙ୍କବାଦୀଙ୍କୁ ପୋଷିବାର ନୀତି ଆଜି ଦେଶର ସୁରକ୍ଷା ବ୍ୟବସ୍ଥାକୁ ଫମ୍ପା କରିଦେଇଛି ।

ବର୍ତ୍ତମାନ ପାକିସ୍ତାନ ଏକ ଗଭୀର ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କିଣିବାକୁ ପଇସା ନଥିବା ବେଳେ, ସୁରକ୍ଷା ବ୍ୟବସ୍ଥାର ଏଭଳି ଚରମ ବିପର୍ଯ୍ୟୟ ସାଧାରଣ ନାଗରିକଙ୍କ ମନରେ ଭୟ ଖେଳାଇ ଦେଇଛି । ସରକାର ଏବଂ ସେନା ଏହି ଆକ୍ରମଣଗୁଡ଼ିକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଦେଶରେ ଏକ ଆଭ୍ୟନ୍ତରୀଣ ଅସ୍ଥିରତା ଏବଂ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

Leave A Reply

Your email address will not be published.