Imran Khan: ଜେଲରୁ ବାହାରିବେ କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ?, ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ମେ ୯, ୨୦୨୩ ହିଂସା ସହିତ ଜଡିତ ଆଠଟି ମାମଲାରେ କୋର୍ଟ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଯାହା ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି କରିଛି । କିନ୍ତୁ ଏହାପରେ ମଧ୍ୟ ତାଙ୍କୁ ଇମ୍ରାନ ଜେଲରେ ହିଁ ରହିବେ କାରଣ, ତାଙ୍କ ଉପରେ ଲାଗିଥିବା ଅନ୍ୟ ଏକ ମାମଲା ଏବେ ବି କାର୍ଯ୍ୟକାରୀ ଅଛି ।
ଏନେଇ ପିଟିଆଇର ଅନ୍ତର୍ଜାତୀୟ ମୁଖପାତ୍ର ଜୁଲଫିକର ବୁଖାରୀ କହିଛନ୍ତି, ସୁପ୍ରିମ କୋର୍ଟ ମେ ୯ ମାମଲାରେ ଇମ୍ରାନ ଖାନଙ୍କୁ ଜାମିନ ଦେଇଛନ୍ତି। ଏବେ କେବଳ ଗୋଟିଏ ମାମଲାରେ ଜାମିନ ଆବଶ୍ୟକ, ତାହା ହେଉଛି ଅଲ-କାଦିର ଟ୍ରଷ୍ଟ ମାମଲା, ଯାହା ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇପାରିବ। ତଥାପି, ବୁଖାରୀ ସ୍ପଷ୍ଟ କରିଛନ୍ତି ଯେ ଏହି ଜାମିନ ସତ୍ତ୍ୱେ, ଖାନଙ୍କୁ ଏପର୍ଯ୍ୟନ୍ତ ମୁକ୍ତ କରାଯିବ ନାହିଁ, କାରଣ ସେ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ଅଲ-କାଦିର ଟ୍ରଷ୍ଟ ମାମଲାରେ ସଜା କାଟୁଛନ୍ତି ।
ତେବେ ୯ ମେ ୨୦୨୩ରେ ଇସଲାମାବାଦରେ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ଅନେକ ସହରରେ ହିଂସା ଏବଂ ଭଙ୍ଗାରୁଜା କରିଥିଲେ। ଏହା ପରେ, ଦଙ୍ଗା ପାଇଁ ଖାନ ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ)ର ଅନେକ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ପ୍ରଧାନ ବିଚାରପତି ଆଫ୍ରିଦିଙ୍କ ନେତୃତ୍ୱରେ ଏବଂ ବିଚାରପତି ଶଫି ସିଦ୍ଦିକି ଏବଂ ବିଚାରପତି ମିଆଁଗୁଲ ଔରଙ୍ଗଜେବଙ୍କୁ ନେଇ ସୁପ୍ରିମକୋର୍ଟର ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ, କୋର୍ଟ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିଥିଲେ। ଖାନଙ୍କ ପକ୍ଷରୁ ଓକିଲ ସଲମାନ ସଫଦର ଏବଂ ସରକାରଙ୍କ ପକ୍ଷରୁ ପଞ୍ଜାବର ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜୁଲଫିକର ନକଭି ଯୁକ୍ତି ଉପସ୍ଥାପନ କରିଥିଲେ। ଇମ୍ରାନ ଖାନଙ୍କ ଦଳ ପିଟିଆଇ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ #VictoryForImranKhan ହ୍ୟାସଟ୍ୟାଗ୍ ସହିତ ଖୁସି ପ୍ରକାଶ କରିଥିଲା।
୭୨ ବର୍ଷୀୟ ଇମ୍ରାନ ଖାନ ମେ ୯ ଦଙ୍ଗା (ଲାହୋର କର୍ପସ କମାଣ୍ଡରଙ୍କ ଘର ଉପରେ ଆକ୍ରମଣ ସମେତ) ସହିତ ଜଡିତ ମାମଲାରେ ଲାହୋରର ଆତଙ୍କବାଦ ବିରୋଧୀ କୋର୍ଟରେ ଜାମିନ ଆବେଦନ କରିଥିଲେ, ଯାହା ନଭେମ୍ବର ୨୦୨୪ରେ ଖାରଜ ହୋଇଯାଇଥିଲା। ପରେ, ଲାହୋର ହାଇକୋର୍ଟ ମଧ୍ୟ ୨୪ ଜୁନ ୨୦୨୫ରେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏପ୍ରିଲ ୨୦୨୨ରେ ତାଙ୍କୁ ପଦରୁ ହଟାଇବା ପରଠାରୁ ଇମ୍ରାନ ଖାନ ଅନେକ ମାମଲା ସାମ୍ନା କରୁଛନ୍ତି। ଅଗଷ୍ଟ ୨୦୨୩ରୁ ସେ ରାୱଲପିଣ୍ଡିର ଉଚ୍ଚ-ସୁରକ୍ଷା ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି।
Comments are closed.