ଇସଲାମବାଦ:ଗତବର୍ଷ ବନ୍ୟାରେ ପାକିସ୍ତାନକୁ ସହାୟତା ଦେଇଥିଲା ତୁର୍କୀ । ଏବେ ସେହି ସହାୟତା ସାମଗ୍ରୀକୁ ସହାୟତା ଭାବେ ଫେରାଇଛି ପାକିସ୍ତାନ । ଏକଥା ଆମେ କହୁନି, ନିଜେ ପାକିସ୍ତାନର ସାମ୍ବାଦିକମାନେ ଏପରି ସତ୍ୟକୁ ସାମ୍ନାକୁ ଆଣିଛନ୍ତି । ପାକିସ୍ତାନ ଏସବୁ ସାମଗ୍ରୀକୁ C-130 ବିମାନରେ ତୁର୍କୀ ଭୂକମ୍ପ ପ୍ରପୀଡିତ ଅଞ୍ଚଳକୁ ପଠାଇଛି ।
ପାକିସ୍ତାନର ଜଣେ ସାମ୍ବାଦିକ ସହିଦ ମାସୁଦ ଅଭିଯୋଗ କରିଛନ୍ତି, ତୁର୍କୀ ଦେଇଥିବା ସମାନ ଜିନିଷକୁ ଭୂକମ୍ପ ସହାୟତା ନାଁରେ ତୁର୍କୀକୁ ଫେରାଇଛି ପାକିସ୍ତାନ । ଏପରି ଘଟଣା ସିଧାସଳଖ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମୁଖା ଖୋଲି ଦେଇଛି । କାରଣ ନିଜେ ପ୍ରଧାନମନ୍ତ୍ରୀ ସରିଫଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରିଲିଫ ସାମଗ୍ରୀ ତୁର୍କୀକୁ ପଠା ଯାଇଥିଲା । ପାକିସ୍ତାନର ‘ଜିଏନ୍ଏନ୍’ ନିଉଜ୍ ଚାନେଲ୍ରେ ସେ ଏହି ବିବାଦୀୟ ସତ୍ୟ ସାମ୍ନାକୁ ଆଣିଛନ୍ତି ସଂପୃକ୍ତ ସାମ୍ବାଦିକ ।
ଏଠି କହିରଖିବୁ, ତୁର୍କୀରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲାଣି । ଦେଶ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଲାଗିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର ତୁର୍କୀ ଗସ୍ତରେ ଯାଇଥିଲେ । ସରିଫଙ୍କର ୮ ତାରିଖ ତୁର୍କୀ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ଭୂକମ୍ପ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା । ହେଲେ ଏହାର ମାତ୍ର ଅଳ୍ପ କିଛି ଦିନ ପରେ ସରିଫ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସହ ତୁର୍କୀ ଯାଇଥିଲେ ।
ସେତେବେଳେ ବି ପ୍ରଶ୍ନ ଉଠିଥିଲା, ଯେଉଁ ଦେଶ ନିଜ ପାଇଁ ଅନ୍ୟ ଦେଶ ପାଖରେ ହାତ ପତଉଛି ସେ ତୁର୍କୀର ଏ ବିପଦ ସମୟରେ କି ସହାୟତା ବା ଦେବ ? ଅନ୍ୟପକ୍ଷେ ଭୂକମ୍ପ ପ୍ରପୀଡିତଙ୍କ ସହାୟତା ଉପରୁ ଧ୍ୟାନ ହଟାଇ ପାକ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତରେ ବ୍ୟସ୍ତ ରହିଥିବା ତୁର୍କୀରାଷ୍ଟ୍ରପତି ରେଚେପ ତୈୟପ ଏର୍ଦୋଗନଙ୍କଙ୍କୁ ମଧ୍ୟ ଏଥିପାଇଁ ସମାଲୋଚନା ଶରବ୍ୟ ହେବାକୁ ପଡିଥିଲା ।
Comments are closed.