ବେଙ୍ଗାଲୁରୁ: ଗୁଇନ୍ଦା ସଂସ୍ଥାକୁ ବଡ ସଫଳତା । ପାକିସ୍ତାନୀ ଗୁପ୍ତଚର ସାଜିଥିବା ଆଉ ଜଣେ ଭାରତୀୟ ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା । କେନ୍ଦ୍ର, ରାଜ୍ୟ ଏବଂ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାଗୁଡ଼ିକର ମିଳିତ ଅଭିଯାନରେ, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ)ରେ କାର୍ଯ୍ୟରତ ଥିବା ଜଣେ ବରିଷ୍ଠ ଇଞ୍ଜିନିୟରଙ୍କୁ ଗିରଫ କରିଛି । ବିଟକଏନ୍ ପେମେଣ୍ଟ ବିନିମୟରେ ପାକିସ୍ତାନକୁ ସମ୍ବେଦନଶୀଳ ପ୍ରତିରକ୍ଷା ସମ୍ବନ୍ଧୀୟ ସୂଚନା ଲିକ୍ କରିବା ଅଭିଯୋଗରେ ଗିରଫ ହୋଇଛି ଉକ୍ତ ଇଞ୍ଜିନିୟର ।
ତେବେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ବେଙ୍ଗାଲୁରୁରେ ଥିବା ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ) କର୍ମଚାରୀ ଦୀପରାଜ ଚନ୍ଦ୍ରନକୁ ପାକିସ୍ତାନୀ ଗୁପ୍ତଚର ଭାବେ ଚିହ୍ନଟ କରିଛି । ଅଭିଯୁକ୍ତ ଦୀପରାଜ ଚନ୍ଦ୍ରନ ଉତ୍ତର ପ୍ରଦେଶର ଗାଜିଆବାଦର ବାସିନ୍ଦା ହୋଇଥିବା ବେଳେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ଉତ୍ପାଦ ବିକାଶ ଏବଂ ନବସୃଜନ କେନ୍ଦ୍ର ବିଭାଗରେ କାର୍ଯ୍ୟ କରୁଥିଲେ ।
ତେବେ କହିରଖୁଛୁ, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ହେଉଛି, ଏକ ଭାରତୀୟ ସାର୍ବଜନୀନ କ୍ଷେତ୍ରର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ କମ୍ପାନୀ । ଯାହାର ମୁଖ୍ୟାଳୟ ବେଙ୍ଗାଲୁରୁରେ ରହିଛି । ଏହା ମୁଖ୍ୟତଃ ଭୂମି ଏବଂ ଏରୋସ୍ପେସ୍ ପ୍ରୟୋଗ ପାଇଁ ଉନ୍ନତ ଇଲେକ୍ଟ୍ରୋନିକ୍ ଉତ୍ପାଦ ନିର୍ମାଣ କରିଥାଏ । । ଆଉ ଏଥିରେ କାର୍ଯ୍ୟକାରୀ ହେଉଥିବା ଉତ୍ପାଦନ ପ୍ରଣାଳୀ, ଅଫିସ୍ ଲେଆଉଟ୍ ଏବଂ ବରିଷ୍ଠ ଅଧିକାରୀମାନଙ୍କ ବିବରଣୀ ପରି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ପାକିସ୍ତାନୀ କାର୍ଯ୍ୟକର୍ତ୍ତାମାନଙ୍କୁ ଦେଇଚାଲିଥିଲା ଚନ୍ଦ୍ରନ୍ । ଗୁଇନ୍ଦା ସଂସ୍ଥାଗୁଡ଼ିକ ସନ୍ଦେହ କରୁଛନ୍ତି, ଚନ୍ଦ୍ରନ୍ ପାକିସ୍ତାନରେ ତାଙ୍କ ଏଜେଣ୍ଟମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଇମେଲ୍, ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ସମେତ ଏନକ୍ରିପ୍ଟ କରାଯାଇଥିବା ଯୋଗାଯୋଗ ଚ୍ୟାନେଲ୍ ରଖିଥିଲା । ଯାହାକୁ ନେଇ, ଅଭିଯୁକ୍ତ କିପରି ଏକ ଗୁପ୍ତ ଇମେଲ୍ ଆକାଉଣ୍ଟ୍ ତିଆରି କରିଥିଲେ ଏବଂ ବର୍ଗୀକୃତ ସୂଚନା ଡ୍ରାଫ୍ଟ କରିଥିଲେ ସେ ବିଷୟରେ ଆଶ୍ଚର୍ଯ୍ୟଜନକ ବିବରଣୀ ସେୟାର କରିଛନ୍ତି, ମାମଲାର ତଦନ୍ତ ଅଧିକାରୀ । ତେବେ କାଳେ ଧରାପଡିଯିବ ସେଥିପାଇଁ, ଚନ୍ଦ୍ରନ୍ ସିଧାସଳଖ ଇମେଲ୍ ପଠାଇବା ପରିବର୍ତ୍ତେ ଲଗ୍-ଇନ୍ କ୍ରେଡେନ୍ସିଆଲ୍ସ ସେୟାର କରୁଥିଲା । ଯାହା ଦ୍ୱାରା ପାକିସ୍ତାନର କାର୍ଯ୍ୟକର୍ତ୍ତାମାନେ ଇମେଲ୍ ଡ୍ରାଫ୍ଟରେ ରଖାଯାଇଥିବା ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିପାରିବେ । ତେବେ ଏନେଇ ବର୍ତ୍ତମାନ ଅଧିକ ତଦନ୍ତ ଚଳାଇଛି ଗୁଇନ୍ଦା ସଂସ୍ଥା ।
ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶରୁ ସମାନ ଘଟଣା ସାମ୍ନାକୁ ଆସିଥିଲା । ଆତଙ୍କବାଦୀ ବିରୋଧୀ ସ୍କ୍ୱାଡ୍ (ଏଟିଏସ୍) , ଗତ ୧୮ ତାରିଖରେ ପାକିସ୍ତାନର ଜଣେ ଗୁପ୍ତଚର ଏଜେଣ୍ଟ , କୁମାର ବିକାଶ ନାମକ ଜଣେ ବ୍ୟକ୍ତିଙ୍କୁ ସମ୍ବେଦନଶୀଳ ସୂଚନା ଲିକ୍ କରିବା ଅଭିଯୋଗରେ ଗିରଫ କରିଥିଲା । କୁମାର ବିକାଶ କାନପୁର ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଜୁନିଅର ୱାର୍କସ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲା । ମିଳିଥିବା ସୂଚନା ଅନୁସାରେ, କୁମାର ବିକାଶ ଫେସବୁକ୍ ମାଧ୍ୟମରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିଥିଲେ । ପାକିସ୍ତାନୀ ଏଜେଣ୍ଟ ନିଜକୁ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚଇଏଲ) କର୍ମଚାରୀ ଭାବରେ ପରିଚୟ ଦେଇଥିଲେ । ବଉ ପରସ୍ପରର ଗୁପ୍ତତା ଲୁଚାଇ ରଖିବା ପାଇଁ ଉଭୟ ଲୁଡୋ ଆପ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ ।