ନୂଆଦିଲ୍ଲୀ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଶକ୍ତ ବିରୋଧ କରୁଛନ୍ତି ଆମେରିକା ଓ ଇସ୍ରାଏଲ୍ । ଉଭୟ ଦେଶ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ତେବେ ଯେଉଁ ଲକ୍ଷ୍ୟ ନେଇ ଆମେରିକା ଇରାନର ନତାଞ୍ଜ, ଫୋର୍ଡୋ ଓ ଇସଫାହାନ ପରମାଣୁ ଠିକଣାରେ ବୋମା ପକାଇଥିଲା । ଯେଉଁଥି ପାଇଁ ଇସ୍ରାଏଲ୍ ଇରାନ ଉପରେ ଆକ୍ରମଣ କରିଥିଲା । ଏବେ ପାକିସ୍ତାନ ଏହା ବିରୋଧରେ ଖୋଲାଖୋଲି ବୟାନ ଦେଇଛି । ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଇରାନର ପରମାଣୁ ସ୍ବପ୍ନକୁ ସମର୍ଥନ କରୁଥିବା କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଏବେ ଟ୍ରମ୍ପଙ୍କୁ କି ଜବାବ ଦେବେ ସେନା ମୁଖ୍ୟ ଅସିମ ମୁନିର?
ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମର୍ଥନ
ପାକିସ୍ତାନ ଗସ୍ତରେ ଯାଇଛନ୍ତି ଇରାନ ରାଷ୍ଟ୍ରପତି ମସୁଦ ପେଜେକ୍ସିଆନ । ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ବିପାକ୍ଷିକ ଚୁକ୍ତି ହୋଇଛି, ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଇରାନର ପରମାଣୁ ସ୍ବପ୍ନକୁ ପାକିସ୍ତାନର ସମର୍ଥନ । ଇରାନ ଏବଂ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଚରମରେ ରହିଛି । ବିଶେଷ କରି ଗତ ଜୁନ୍ ମାସରେ ଆମେରିକାର ଆକ୍ରମଣ ପରଠୁ ଅଶାନ୍ତି ଲାଗି ରହିଛି । ଏଭଳି ସ୍ଥିତିରେ ପାକିସ୍ତାନ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଖୋଲା ସମର୍ଥନ କରିବା ଆମେରିକା ସହ ଏହାର ସଂପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଏଭଳି ବୟାନ ଆଞ୍ଚଳିକ ଶକ୍ତି ସନ୍ତୁଳନକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି କୁହାଯାଉଛି ।
ଆମେରିକା ସହ ସଂପର୍କ ନେଇ ପ୍ରଶ୍ନ
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୀତିରେ ଏବେ ଫୋକସରେ ରହିଛି ପାକିସ୍ତାନ । ଟ୍ରମ୍ପ ପାକିସ୍ତାନ ଉପରେ ମାତ୍ର ୧୯ପ୍ରତିଶତ ଟାରିଫ ଲଗାଇଛନ୍ତି । ଏହାସହ ପାକିସ୍ତାନ ସହ ତେଲ ଡିଲ୍ କରିଛି ଆମେରିକା । ଟ୍ରମ୍ପଙ୍କ ଏସବୁ ନିଷ୍ପତ୍ତିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପାକିସ୍ତାନ ନେତୃତ୍ବ। ହେଲେ ଏବେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମର୍ଥନ କରି ନିଜ ଦୋମୁହାଁ ନୀତି ଦେଖାଇଛନ୍ତି । ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ କରିବାର ଅଧିକାର ଇରାନର ରହିଥିବା ଶହବାଜ ସରିଫ କହିଛନ୍ତି । ଇରାନରେ ଇସ୍ରାଏଲ୍ ଆକ୍ରମଣର ନିନ୍ଦା କରିବା ସହ ଦେଶ ସୁରକ୍ଷା ନେଇ ତେହେରାନର ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ଇରାନକୁ ଆମେରିକା, ଇସ୍ରାଏଲର ବିରୋଧ
ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଇରାନ ଓ ଇସ୍ରାଏଲ୍ ବିରୋଧ କରୁଛନ୍ତି । ଉଭୟ ଦେଶ ଇରାନର ପରମାଣୁ ହତିଆର ବନାଇବା ଆଶଙ୍କାକୁ ଜାତୀୟ ତଥା ଆଞ୍ଚଳିକ ସୁରକ୍ଷା ପାଇଁ ବିପଦ ମନେ କରୁଛନ୍ତି । ଇରାନ ପରମାଣୁ ବୁଝାମଣା ୨୦୧୫ ଆଧାରରେ ଆମେରିକା ଦେଶର ପରମାଣୁ ଗତିବିଧି ଉପରେ ନଜର ରଖିବା ସହ ପ୍ରତିବନ୍ଧକ ଲଗାଇଥିଲା । ତେବେ ୨୦୧୮ରେ ଏହାକୁ ରଦ୍ଦ କରିବା ସହ ଟ୍ରମ୍ପ ପ୍ରଶାସନ କଡା ପ୍ରତିବନ୍ଧକ ଲଗାଇଥିଲେ । ଇସ୍ରାଏଲ୍ ମଧ୍ୟ ନିଜ ସୁରକ୍ଷା ଦୃଷ୍ଟିରୁ ଇରାନକୁ ବିପଦ ମନେ କରୁଛି । ଉଭୟ ଦେଶ ଆଇଏଇଏର ଶକ୍ତ ନଜର ସହ ଇରାନ ଉପରେ ଚାପ ସୃଷ୍ଟି କରିବାକୁ ଚାହିଁଛନ୍ତି ।
ଟ୍ରମ୍ପଙ୍କୁ କି ସଫେଇ ଦେବେ ମୁନିର?
ଇରାନର ପରମାଣୁ ସ୍ବପ୍ନକୁ ଶହବାଜଙ୍କ ସମର୍ଥନ ପରେ ଏବେ କଣ କରିବେ ମୁନିର? ପାକିସ୍ତାନ କେବଳ ଇରାନର ଶାନ୍ତିପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ସଫେଇ ଦେଇପାରନ୍ତି ମୁନିର । ଏହାଦ୍ବାରା ପାକିସ୍ତାନ ସାମରିକ ପରମାଣୁ ହତିଆର ନୁହେଁ ବରଂ କେବଳ ଶାନ୍ତିପୂର୍ଣ୍ଣ କାରଣକୁ ସମର୍ଥନ କରୁଥିବା ସନ୍ଦେଶ ଦେଇପାରନ୍ତି । ତେବେ ଏଥିରେ ଆମେରିକା କେତେ ସନ୍ତୁଷ୍ଟ ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଇରାନ-ଇସ୍ରାଏଲ୍ ଯୁଦ୍ଧ ସମୟରେ ଇରାନର ଜଣେ ପୂର୍ବତନ ଜେନେରାଲ ପାକିସ୍ତାନକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ଇସ୍ରାଏଲ୍ ଇରାନ ଉପରେ ପରମାଣୁ ବୋମା ପକାଇଲେ ଇସ୍ରାଏଲ୍ ଉପରେ ପରମାଣୁ ଆକ୍ରମଣ କରିବାକୁ ପାକିସ୍ତାନ ଆଶ୍ବାସନା ଦେଇଥିବା ସେ କହିଥିଲେ । ପରେ ପାକିସ୍ତାନ ଏହାକୁ ଖଣ୍ଡନ କରିଥିଲା । ଏବେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମର୍ଥନ କରି ଡବଲ୍ ଗେମ୍ ଖେଳିଛି ପାକିସ୍ତାନ ।
Comments are closed.