ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି ବିଏଲଏ । ପାକିସ୍ତାନ ଉପରେ ପୁଣି ବଡ ଧରଣର ଆକ୍ରମଣ କରିଛି ବିଏଲଏ । ବେଲୁଚିସ୍ତାନରେ ସେନା ଗାଡ଼ିକୁ ଟାର୍ଗେଟ କରାଯାଇଛି । ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।
ଏନ-୪୦ ହାଇୱେରେ ସେନାକୁ ନେଇ ଏକ ଟ୍ରକ୍ ଯାଉଥିବା ବେଳେ ବିସ୍ଫୋରଣ କରିଛି ବେଲୁଚିସ୍ତାନ ଲିବରେସନ ଆର୍ମି । ଏହି ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ବିଏଲଏ । ଏହାର ଫୋଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେପଟେ କିନ୍ତୁ ଆକ୍ରମଣରେ ୭ ସୈନ୍ୟ ପ୍ରାଣ ହରାଇଥିବା ପାକ ସେନା ପକ୍ଷରୁ କୁହାଯାଇଛି । ଆକ୍ରମଣ ପରେ ବାଲୁଚ ଲିବରେଶନ ଆର୍ମି ଏକ ବିବୃତ୍ତି ଜାରି କରି କହିଛି ଯେ, କିଛି ଘଣ୍ଟା ପୂର୍ବେ ନୋସ୍କିର ଆରସିଡି ହାଇୱେର ରାଖସାନ ମିଲ ନିକଟରେ ବିଏଲଏର ଏକ ଆତ୍ମଘାତୀ ୟୁନିଟ ପାକିସ୍ତାନୀ ସେନାର ଏକ କନଭଏକୁ ଟାର୍ଗେଟ କରିଥିଲା। ସେଥିରେ ୮ ବସ ଥିଲା, ଯେଉଁଥିରୁ ଗୋଟିଏ ବସ୍ ବିସ୍ଫୋରଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଛି । ଆକ୍ରମଣର ଅଳ୍ପ ସମୟ ପରେ, ବିଏଲଏର ଫତେହ ସ୍କ୍ବାର୍ଡ ଅନ୍ୟ ଏକ ବସ୍କୁ ସମ୍ପୂର୍ଣ୍ଣ ଭାବରେ ଘେରିଯାଇଥିଲେ। ସେଥିରେ ଥିବା ସମସ୍ତ ସେନା କର୍ମଚାରୀଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିଲେ । ଫଳରେ ଶତ୍ରୁପକ୍ଷର ମୋଟ ମୃତାହତ ସଂଖ୍ୟା ୯୦ ରେ ପହଞ୍ଚିଥିବା ବିଏଲ୍ଏ କହିଛି।
କହିରଖୁଛୁ ଯେ, ସପ୍ତାହେ ଭିତରେ ପାକ ସୈନ୍ୟ ଉପରେ ଏହା ବିଏଲଏର ଦ୍ବିତୀୟ ଆକ୍ରମଣ । ଗତ ମାର୍ଚ୍ଚ ୧୨ ତାରିଖରେ, ବିଏଲଏ କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା । ଟ୍ରେନ ଅପହରଣ ବେଳେ ସେଥିରେ ୪୫୦ରୁ ଅଧିକ ଯାତ୍ରା ଥିଲେ । ତେବେ ଟ୍ରେନରେ ଥିବା ବୃଦ୍ଧ, ମହିଳା ଓ ପିଲାକୁ ଛାଡ଼ି ଦେଇଥିବା ନେଇ କହିଥିଲା ବିଏଲଏ । ତା ପରେ ୨୧୪ ପଣବନ୍ଦୀ ସୈନ୍ୟଙ୍କୁ ହତ୍ୟା କରିଥିବା ବିଏଲଏ ପକ୍ଷରୁ କୁହାଯାଇଛି।
Comments are closed.