ନୂଆଦିଲ୍ଲୀ: ଇମ୍ରାନ ଖାନଙ୍କ ଗିରଫକୁ ନେଇ ଜଳୁଥିଲା ପାକିସ୍ତାନ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଏହା ଥମିନି । ପାକିସ୍ତାନ ରାଜନୀତିରେ ଦେଖା ଦେଇଛି ହଟଚମଟ । ଇମ୍ରାନଙ୍କ ମୁକ୍ତି ନିର୍ଦ୍ଦେଶ ଦେବା ପରେ ସୁପ୍ରିମ କୋର୍ଟ ବିଚାରପତିଙ୍କ ଉପରେ ବର୍ଷିଛନ୍ତି ପାକ ମସ୍ତ୍ରୀ ମାରିୟମ ଆଉରଙ୍ଗଜେବ । ବିଚାରପତିଙ୍କ ଘର ଜଳିଯିବ ବୋଲି ସେ ଧମକ ଦେଇ କହିଛନ୍ତି । ସେହିପରି ଅନ୍ୟଜଣେ ବରିଷ୍ଠ ନେତ୍ରୀ ମରିୟମ ନବାଜ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ଧମକ ଦେଇଛନ୍ତି ଅନ୍ୟପକ୍ଷେ ପାକ ବିଦେଶ ମନ୍ତ୍ରୀ ଏକ ଟେଲିଭଜନକୁ ଲାଇଭ ଇଣ୍ଟରଭ୍ୟିୁ ଦେଉଥିବାବେଳେ ତାଙ୍କ ଘରୁ ବିଦ୍ୟୁତ କଟି ଯାଇଥିଲା । ଯେଉଁ ସମୟରେ ସେ ଇମ୍ରାନଙ୍କ ବିରୋଧରେ ବିଷୋଦଗାର କରୁଥିଲେ ଠିକ ସେହି ସମୟରେ ଲାଇନ କଟି ଯାଇଥିଲା । ଫଳରେ ତାଙ୍କୁ ଆଉ ଲାଇଭରେ ଦେଖି ପାରି ନ ଥିଲେ ଲୋକେ ।
ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ଏକ ପ୍ରେସ ମିଟରେ କହିଥିଲେ, ଆଜି ପାକିସ୍ତାନ ଜଳୁଛି । କାଲି ଯଦି କେହି ବିଚାରପତିଙ୍କ ଘରେ ପଶି ନିଆଁ ଲଗାଇ ଦିଏ ତେବେ ? ଆପଣ ନିଷ୍ପତ୍ତି ନିଅନ୍ତୁ । କାହାରି ଘର ବଞ୍ଚିବ ନାହିଁ। ସେ ଇମ୍ରାନ ଖାନକୁ ମୁକ୍ତି ନିର୍ଦ୍ଦେଶ ଦେଇଥିବା ସୁପ୍ରିମକୋର୍ଟ ବିଚାରପତିଙ୍କୁ ଆକ୍ଷେପ କରି ଏକଥା କହିଛନ୍ତି ।
ସେ ଆହୁରି କହିଛନ୍ତି, ‘କାହାରି ଘର ବଞ୍ଚିବ ନାହିଁ । ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ଘର ଜଳାଇ ଦିଆଗଲା । ଆମ୍ବୁଲାନ୍ସ ଜଳିଗଲା । ମସଜିଦ ଜଳିଗଲା । ସ୍କୁଲ ବି ଜଳିଗଲା । ଏହା କଣ ଦେଶର ନୁହେଁ ? ରେଡିଓ ପାକିସ୍ତାନ ଆପଣଙ୍କର ନୁହେଁ ? ଯଦି କୋର୍ଟ ଇମ୍ରାନଙ୍କୁ ସଜା ଦେଇଥାନ୍ତେ ତେବେ ଏପରି ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା । ଆଜି ମୋ ଦେଶ ଜଳୁ ନଥାନ୍ତା ।’
ସେହିପରି ମରିୟମ ନବାଜ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ଧମକ ଦେଇଛନ୍ତି । ସେ କହିଛନ୍ତି, ‘ପାକିସ୍ତାନର ସବୁଠାରୁ ମହତ୍ୱପୂର୍ଣ୍ଣ ସଂସ୍ଥା ଉପରେ ହେଉଥିବା ଆକ୍ରମଣ ପାଇଁ ମୁଖ୍ୟ ବିଚାରପତି ହିଁ ଦାୟୀ । ସେ ଏହି ପଦ ଛାଡି ନିଜ ଶାଶୂଙ୍କ ପରି ପିଟିଆଇରେ ସାମିଲ ହେବା ଉଚିତ ।’
ଅନ୍ୟଏକ ଘଟଣା କ୍ରମରେ ଦେଖିବାକୁ ମିଳିଛି, ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଗୁରୁବାର ଏକ ପ୍ରେସ କନଫରେନ୍ସ କରୁଥିଲେ ଯାହା ଲାଇଭ ଟିଭିରେ ପ୍ରସାରଣ କରାଯାଉଥିଲା । ଅଚାନକ ତାଙ୍କ ଘରର ବିଦ୍ୟୁତ କଟିଗଲା । ଟିଭିରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା । କେବଳ ତାଙ୍କ ସ୍ୱର ଶୁଣିବାକୁ ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଠିକ ଯେଉଁ ସମୟରେ ବିଲାବଲ ଇମ୍ରାନଙ୍କ ବିରୋଧରେ ବିଷୋଦଗାର କରୁଥିଲେ ସେହି ସମୟରେ ବିଜୁଳି କାଟ ହୋଇଥିଲା ।
ଅବଶ୍ୟ ଏହାକୁ ବିଲାବଲ ଅନ୍ୟ ଅର୍ଥରେ ଉପସ୍ଥାପନ କରିଥିଲେ । ସେ କହିଥିଲେ, ପାକିସ୍ତାନର ବଡ ବଡ ନେତାମାନେ ବିଦ୍ୟୁତ ସଙ୍କଟର ସାମ୍ନା କରୁଛନ୍ତି । ଏଠି କହି ରଖିବୁ, ପାକିସ୍ତାନର ଆର୍ଥିକ ସଙ୍କଟ ବିଗିଡି ଯାଇଛି । ଗୋଟିଏ ପଟେ ଦରଦମା ବୃଦ୍ଧି ଆକାଶ ଛୁଆଁ ହୋଇଥିବାବେଳେ ଏବେ ଲୋକଙ୍କୁ ନିୟମିତ ବିଦ୍ୟୁତ କାଟ ସଙ୍କଟକୁ ସାମ୍ନା କରିବାକୁ ପଡୁଛି ।
Comments are closed.