ନୂଆଦିଲ୍ଲୀ: ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ବଡ଼ ଖୁଲାସା । ବିଦେଶ ଯାତ୍ରା, ଦାମୀ ହୋଟେଲରେ ରହଣୀ, ଅର୍ଥ ବର୍ଷା ! ପ୍ରଥମେ ପାକିସ୍ତାନ ଓ ପରେ କାଶ୍ମୀର ଯାଇଥିଲେ ଜ୍ୟୋତି । ପାକିସ୍ତାନରେ ଡିନର ପାର୍ଟି, ଆଇଏସଆଇ ଏଜେଣ୍ଟ ସହ ଅନ୍ତରଙ୍ଗ ସଂପର୍କ ! ଶତ୍ରୁ ଦେଶ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ସାମନାକୁ ଆସିଛି ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ। ଭାରତର ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନର ଗୁଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଥିଲେ । ଜ୍ୟୋତି ଗତ ସେପ୍ଟେମ୍ବର ମାସରେ ପୁରୀ ଆସିଥିବା ବେଳେ ପ୍ରିୟଙ୍କା ସେନାପତିଙ୍କ ସହ ତାଙ୍କ କନେକ୍ସନ୍ ନେଇ ତନାଘନା ଚାଲିଛି । ଜ୍ୟୋତି ମଲହୋତ୍ରାଙ୍କୁ ନେଇ ପଦାକୁ ଆସିଛି ଅନେକ ସତ ।
ଶତ୍ରୁ ଦେଶର ଗୁପ୍ତଚର !
ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ ଜ୍ୟୋତି ମଲହୋତ୍ରା । ପାକିସ୍ତାନ ଓ ଚୀନର ବିଭିନ୍ନ ସ୍ଥାନକୁ ବି ଯାତ୍ରା କରିଥିଲେ । ୨୨ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମେ ୭ତାରିଖ ବେଳକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତଜେନା ଚରମରେ ଥିଲା । ଉଭୟ ପକ୍ଷରୁ ଆକାଶମାର୍ଗରେ ଆକ୍ରମଣ ହେଉଥିଲା । ଏହି ସମୟରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂପର୍କରେ ଥିଲେ ଜ୍ୟୋତି । ଏପରିକି ପାକିସ୍ତାନ ହାଇକମିଶନରେ ଥିବା ଜଣେ ଅଧିକାରୀଙ୍କୁ ବି ସେ ଯୋଗାଯୋଗ କରିଥିଲେ ।
ପାକିସ୍ତାନ ଅଧିକାରୀଙ୍କ ସହ ସଂପର୍କ
୨୦୨୩ରେ ପାକିସ୍ତାନ ଭିସା ପାଇଁ ଜ୍ୟୋତି ଆବେଦନ କରିବା ସମୟରେ ଦାନିଶ ନାମକ ପାକିସ୍ତାନ ଅଧିକାରୀଙ୍କ ସହ ସଂପର୍କରେ ଆସିଥିଲେ। ପରେ ଦାନିଶଙ୍କୁ ପାକିସ୍ତାନ ଦୂତାବାସରେ ସେ ଅନେକ ଥର ଭେଟିଥିଲେ । ପାକିସ୍ତାନରେ ଜ୍ୟୋତି ରହିବା ନେଇ ଅଲ୍ଲୀ ଅହବାନ ନାମକ ଜଣେ ବ୍ୟକ୍ତି ବ୍ୟବସ୍ଥା କରିଥିଲେ । ଅଲ୍ଲୀ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ସହ ସଂପର୍କିତ ବୋଲି କୁହାଯାଉଛି । ଜ୍ୟୋତି ପାକିସ୍ତାନରେ ଗୁଇନ୍ଦା ସଂସ୍ଥାର ଅଧିକାରୀଙ୍କୁ ଭେଟିଥିଲେ । ପାକ୍ ଗୁଇନ୍ଦା ଅଧିକାରୀ ଶାକିରର ନମ୍ବର ଜଟ୍ ରାନ୍ଧଓ୍ବା ନାଁରେ ସେଭ୍ କରିଥିବା ଜଣାପଡିଛି । ଜ୍ୟୋତିଙ୍କ ଗସ୍ତ କୌଣସି ସାଧାରଣ ବ୍ଲଗର ଭାବେ ଯାତ୍ରା ନଥିଲା, ବରଂ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଗମ୍ଭୀର ଷଡ଼ଯନ୍ତ୍ର ବୋଲି ହରିୟାଣା ପୋଲିସ କହିଛି ।
ଏମିତି ପଠାଉଥିଲେ ଗୁପ୍ତ ସୂଚନା
ଭାରତ ଫେରିବା ପରେ ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ଏଜେନ୍ସିକୁ ହ୍ବାଟସ ଆପ, ସ୍ନାପଚାଟ୍, ଟେଲିଗ୍ରାମ ସହ ଅନ୍ୟ ମାଧ୍ୟମରେ ଗୋପନୀୟ ସୂଚନା ପଠାଉଥିଲେ । ତେବେ ସେ ପାକିସ୍ତାନକୁ କେଉଁ କେଉଁ ସୂଚନା ଦେଇଛନ୍ତି, ସେନେଇ ସ୍ପଷ୍ଟ ହୋଇନି । ପୋଲିସ ଜ୍ୟୋତିଙ୍କ ମୋବାଇଲ୍, ଲାପଟପ୍ ସହ ସମସ୍ତ ସାମଗ୍ରୀ ଜବତ କରିଛି । ଜ୍ୟୋତିଙ୍କୁ ସୋସିଆଲ୍ ମିଡିଆରେ ପାକିସ୍ତାନର ସକାରାତ୍ମକ ଛବି ଦେଖାଇବାର ଦାୟିତ୍ବ ଦିଆଯାଇଥିଲା । ତାଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଜଣେ ଏଜେଣ୍ଟ ସହ ଘନିଷ୍ଠ ସଂପର୍କ ରହିଥିଲା । ଉଭୟ ଗତ କିଛି ଦିନ ତଳେ ଇଣ୍ଡୋନେସିଆର ବାଲି ଦ୍ବୀପରେ ଏକାଠି ସପ୍ତାହେ ରହିଥିଲେ । ପାକିସ୍ତାନର ନ୍ୟାସନାଲ ଡେ ରେ ବି ତାଙ୍କୁ ପାକ୍ ହାଇକମିଶନ ନିମନ୍ତ୍ରଣ କରିଥିଲେ । ପହଲଗାମ ଆକ୍ରମଣର କିଛି ଦିନ ପୂର୍ବରୁ ଜ୍ୟୋତି ମାର୍ଚ୍ଚରେ ପାକିସ୍ତାନ ଓ ଏପ୍ରିଲରେ କାଶ୍ମୀର ଯାଇଥିଲେ। ତେଣୁ ପହଲଗାମ ନରସଂହାର ସହ ତାଙ୍କର କିଛି କନେକ୍ସନ୍ ରହିଛି କି ନାହିଁ ସେନେଇ ତନାଘନା କରାଯାଉଛି । ଏହାସହ ଜ୍ୟୋତିଙ୍କ ଆର୍ଥିକ ନେଣ ଦେଣ ଓ କେଉଁଠିକୁ ଯାତ୍ରା କରିଛନ୍ତି ସେନେଇ ମଧ୍ୟ ଖୋଳତାଡ କରାଯାଉଛି ।
ପୁରୀ ଆସିଥିଲେ ଜ୍ୟୋତି
ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀ କାଳିକାଦେବୀ ସାହିର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ନେଇ ତଦନ୍ତ ଚାଲିଛି । ଜ୍ୟୋତି ଓ ପ୍ରିୟଙ୍କାଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ବନ୍ଧୁତା ହୋଇଥିଲା । ଗତ ସେପ୍ଟେମ୍ବରରେ ଜ୍ୟୋତି ପୁରୀ ଆସିଥିବା ବେଳେ ପ୍ରିୟଙ୍କାଙ୍କ ସହ ଶ୍ରୀମନ୍ଦିର, ବେଳାଭୂମି, କୋଣାର୍କ ପରି ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିଥିଲେ । ମାତ୍ର ୯ମାସ ସଂପର୍କ ମଧ୍ୟରେ ଜ୍ୟୋତି ପୁରୀ ଆସିବା ଓ ପ୍ରିୟଙ୍କା ପାକିସ୍ତାନ ଯିବା ନେଇ ଖୋଳତାଡ ଚାଲିଛି । ତେବେ ସୋସିଆଲ୍ ମିଡିଆରେ ଦେଶ ଆଗ ବୋଲି ପୋଷ୍ଟ କରିଛନ୍ତି ପ୍ରିୟଙ୍କା । ଏହାସହ ଜ୍ୟୋତି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜାଣିବା ପରେ ସେ ମର୍ମାହତ ବୋଲି ଲେଖିଛନ୍ତି ।
Comments are closed.