ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍କବାଦୀଙ୍କ ଦ୍ୱାରା ୨୬ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟା ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କୂଟନୈତିକ ଓ ସାମରିକ ପଦକ୍ଷେପ ଗ୍ରହଣ କରିଛି। ସିନ୍ଧୁ ଜଳ ସନ୍ଧି ନିଲମ୍ବନ, ସାର୍କ ଭିସା ଛାଡ଼ ବନ୍ଦ ପରେ ଏବେ ଆତଙ୍କୀ ରାଷ୍ଟ୍ରରେ ଚହଳରେ ପଡ଼ିଛି।
ଭାରତର ଏପରି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନର କିଛି ନେତା ପ୍ରଥମେ ସିଂହ ଭଳି ଗର୍ଜନ ଛାଡ଼ୁଥିଲେ ହେଲେ ଏବେ କୁଆଡ଼େ ଲୁଚିବାକୁ ଲାଗିଛନ୍ତି। ପାକିସ୍ତାନୀ ନେତାଙ୍କ ବଡ଼ ବଡ଼ ବୟାନ ଏବେ ବାହାସ୍ଫୋଟ ବୋଲି ପ୍ରମାଣିତ ହେଉଛି। ପହଲଗାମ ଆତଙ୍କୀ ହମଲା ପରେ ଭାରତର ଏପ୍ରକାର କାର୍ଯ୍ୟାନୁଷ୍ଠାନ ଦେଖି ପାକିସ୍ତାନରେ ଆତଙ୍କ ଖେଳିଯାଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜରଦାରୀ ନିଜ ପରିବାର ସହ ଦେଶ ଛାଡ଼ି କାନାଡ଼ାକୁ ପଳାଇଛନ୍ତି। ମାତ୍ର ଦୁଇ ଦିନ ପୂର୍ବେ ବିଲାୱାଲ ଏକ ଜନସଭାରେ ଭାରତକୁ ଧମକ ଦେଇ କହିଥିଲେ, “ସିନ୍ଧୁ ନଦୀରେ ପାଣି ବହିବ, ନଚେତ୍ ଭାରତର ରକ୍ତ ବହିବ।” କିନ୍ତୁ ଏବେ ତାଙ୍କର ଏହି ବୟାନ ଖାଲି ଗର୍ଜନ ବୋଲି ପ୍ରମାଣିତ ହୋଇଛି। ପାକିସ୍ତାନରେ ମଧ୍ୟ ବିଲାୱାଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି।
ଭାରତର କଠୋର ଜବାବ
ପହଲଗାମ ହମଲା ପରେ ଭାରତ ପାକିସ୍ତାନକୁ କଡ଼ା ଶିକ୍ଷା ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ କୂଟନୈତିକ ଓ ସାମରିକ ସ୍ତରରେ ପାକିସ୍ତାନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସିନ୍ଧୁ ଜଳ ସନ୍ଧି ନିଲମ୍ବନ, ସାର୍କ ଭିସା ଛାଡ଼ ବନ୍ଦ କରିଛି। ଅଟାରୀ ଚେକପୋଷ୍ଟ ବନ୍ଦ କରି ୧ ମେ ସୀମାପାର ଫେରିବା ପାଇଁ ଅନ୍ତିମ ସମୟ ନିର୍ଦ୍ଧାରଣ କରାଯାଇଛି।
ନୂଆଦିଲ୍ଲୀରେ ରଣନୀତି ପ୍ରସ୍ତୁତି
ନୂଆଦିଲ୍ଲୀ ଏବେ ଦେଶର ନଜରରେ। ପହଲଗାମର ପ୍ରତିଶୋଧ ପାଇଁ ରଣନୀତି ପ୍ରସ୍ତୁତ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ତିନି ସେନା ମୁଖ୍ୟ ଦିନରାତି ଏକ କରି ଯୋଜନା କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ସେନା ମୁଖ୍ୟ ଓ ସିଡିଏସ ଅନିଲ ଚୌହାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କୁ ସାମରିକ ଯୋଜନା ଅବଗତ କରାଇଛନ୍ତି। ସୀମାରେ ପ୍ରତ୍ୟେକ ଗତିବିଧି ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରତିରକ୍ଷା ଓ ଗୃହ ମନ୍ତ୍ରଣାଳୟର ତୀକ୍ଷ୍ଣ ନଜର ରହିଛି।
ସୀମାରେ ଉତ୍ତେଜନା
ହାଜିପୁର ନିୟନ୍ତ୍ରଣ ରେଖା (LoC)ରେ ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକ ଭାରତୀୟ ସୁରକ୍ଷା ବାହିନୀର ସ୍କାନରରେ। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପାହାଡ଼ ତଳେ ଥିବା ପାକିସ୍ତାନୀ ସେନା ପୋଷ୍ଟ ଦୃଶ୍ୟମାନ ହୋଇଛି। ଉଭୟ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ରାଜସ୍ଥାନର ଜୈସଲମେରରେ ବିଏସଏଫ ଯବାନମାନେ ଆଲର୍ଟ ଅବସ୍ଥାରେ। ପୂର୍ବ ଯୁଦ୍ଧରେ ଜୈସଲମେରରେ ପାକିସ୍ତାନକୁ ଜବରଦସ୍ତ ଝଟକା ମିଳିଥିଲା। ଏଥର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ ଥିବା ବେଳେ ବିଏସଏଫ ନିର୍ଦ୍ଦେଶର ଅପେକ୍ଷାରେ ରହିଛି।
ବିଲାୱାଲଙ୍କୁ ଶଶି ଥାରୁରଙ୍କ ଜବାବ
ବିଲାୱାଲଙ୍କ ଧମକକୁ କଂଗ୍ରେସ ସାଂସଦ ଶଶି ଥାରୁର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, “ଯଦି ରକ୍ତ ବହିବ, ତାହା ଏପଟେ ନୁହେଁ, ଆରପଟେ ବହିବ।” ଏହା ପାକିସ୍ତାନକୁ ଭାରତର ଦୃଢ଼ ମନୋଭାବକୁ ସ୍ପଷ୍ଟ କରିଛି।
ପାକିସ୍ତାନରେ ନେତାଙ୍କ ପଳାୟନ
ଭାରତର କଠୋର ପଦକ୍ଷେପ ଓ ସାମରିକ ପ୍ରସ୍ତୁତି ଦେଖି ପାକିସ୍ତାନୀ ନେତା ଓ ସେନା ଅଧିକାରୀମାନେ ଧୀରେ ଧୀରେ ଦେଶ ଛାଡ଼ି ପଳାୟନ କରୁଛନ୍ତି। ବିଲାୱାଲଙ୍କ କାନାଡ଼ା ପଳାୟନ ଏହାର ଏକ ଜ୍ୱଳନ୍ତ ଉଦାହରଣ। ପାକିସ୍ତାନରେ ଆତଙ୍କ ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି।
Comments are closed.