Latest Odisha News

BREAKING NEWS

ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଭାବେ ପଦୋନ୍ନତି ଦେଲା ପାକିସ୍ତାନ

ଇସଲାମାବାଦ: ଆଜି ପର୍ଯ୍ୟନ୍ତ ଯେତେଥର ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହୋଇଛି ସେତେଥର ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନୀ ସେନା ନିଜ ୟୁନିଫର୍ମ ଉପରେ ଗୋଟେ ପରେ ଗୋଟେ ପଦକ ବଢ଼ାଇବାରେ ଲାଗିଛି। ତେବେ ଏହା ମଧ୍ୟରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ପଦୋନ୍ନତି ଦିଆଯାଇ ତାଙ୍କୁ ଫିଲ୍ଡ ମାର୍ଶାଲ କରି ଦିଆଯାଇଛି।

ଅପରେସନ ସିନ୍ଦୂର ସମୟରେ ମୁନିର ଏବଂ ତାଙ୍କ ସେନା ଭାରତୀୟ ସେନା ଦ୍ଵାରା ହୋଇଥିବା ଆକ୍ରମଣକୁ ରୋକିବା ପରିବର୍ତ୍ତେ କେବଳ ଦର୍ଶକ ହୋଇ ରହିଯାଇଥିଲେ। କେବଳ ସେତିକି ନୁହେଁ ସେମାନେ ନିଜ ଦେଶର ବାଲୁଚ୍ ମୁକ୍ତି ସେନାଙ୍କ ସମ୍ମୁଖରେ ମଧ୍ୟ ନିଜର ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି। ଏପରି ପରିସ୍ଥିତିରେ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ବନାଇବା ପାକିସ୍ତାନ ସରକାରଙ୍କ ସେନା ଉପରେ ଥିବା ପ୍ରଭାବକୁ ସିଧାସଳଖ ଭାବେ ଦର୍ଶାଉଛି।

ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଉପସ୍ଥିତିରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପାକିସ୍ତାନ ସରକାର ମଙ୍ଗଳବାର ଦିନ ମୁନିରଙ୍କୁ ଏହି ପଦବୀରେ ପଦୋନ୍ନତି ଦେଇଛନ୍ତି। ଦେଶର ସୁରକ୍ଷା ସୁନିଶ୍ଚିତ କରିବା ଏବଂ “ଅପରେସନ୍ ବନ୍ୟାନ-ଉମ୍-ମାର୍ସୁସ୍” ସମୟରେ ସଫଳ ରଣନୀତି ବନାଇଥିବାରୁ ଏବଂ ସାହାସର ସହ ଏପରି ପରିସ୍ଥିତିର ନେତୃତ୍ୱ ନେଇଥିବାରୁ ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ତେବେ ଫିଲ୍ଡ ମାର୍ଶାଲ ପାକିସ୍ତାନ ସେନାର ସର୍ବୋଚ୍ଚ ପଦବୀ ଅଟେ। ଯେଉଁଥିରେ ଫାଇଭ ଷ୍ଟାର ରାଙ୍କ ମିଳିଥାଏ। ପାକିସ୍ତାନ ସରକାର ସେନା ମୁଖ୍ୟଙ୍କ ଅବଦାନ ପାଇଁ ତାଙ୍କୁ ଏହି ପଦବୀ ପ୍ରଦାନ କରିଥାନ୍ତି। ଏହା ପୂର୍ବରୁ ଆୟୁବ ଖାନଙ୍କୁ ଏହି ପଦବୀରେ ସମ୍ମାନିତ କରାଯାଇଥିଲା।

ଏହି ପଦବୀ ସ୍ଥଳସେନାର ଜେନେରାଲ, ବାୟୁସେନାର ଏୟାର ଚିଫ୍ ମାର୍ଶାଲ ଏବଂ ନୌସେନାର ଆଡମିରାଲଙ୍କଠାରୁ ମଧ୍ୟ  ଉପରେ। ଏହା ସର୍ବୋଚ୍ଚ ପଦବୀ ହେବା ସତ୍ୱେ ମଧ୍ୟ ଏଥିରେ କୌଣସି ଅତିରିକ୍ତ ଦାୟିତ୍ୱ କିମ୍ବା ଦରମା ବୃଦ୍ଧି ହୁଏ ନାହିଁ।

 

Comments are closed.