Latest Odisha News

BREAKING NEWS

ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପ୍ରସଙ୍ଗ: ପାକିସ୍ତାନ ମନ୍ତ୍ରୀ ଅହସାନ ଇକବାଲଙ୍କ ବଡ଼ ବୟାନ

ନୂଆଦିଲ୍ଲୀ/ଇସଲାମାବାଦ: ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ନୋଟିସ୍ ଦିଆଯିବା ପରେ ପଡ଼ୋଶୀ ଦେଶରେ ହଟଚମଟ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ପାକିସ୍ତାନର ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଏକ ବଡ଼ ବୟାନ ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ଭାରତ ଜଳକୁ ପାକିସ୍ତାନ ବିରୋଧରେ ଏକ “ଅସ୍ତ୍ର” ଭାବରେ ବ୍ୟବହାର କରିପାରେ ।

ମନ୍ତ୍ରୀ ଇକବାଲଙ୍କ ମତରେ, ୧୯୬୦ ମସିହାରେ ସ୍ୱାକ୍ଷରିତ ହୋଇଥିବା ଏହି ଐତିହାସିକ ଚୁକ୍ତିର ସମ୍ମାନ ରକ୍ଷା ହେବା ଉଚିତ। ସେ କହିଛନ୍ତି ଯେ, ଏହି ଚୁକ୍ତି ଏପର୍ଯ୍ୟନ୍ତ ସଫଳତାର ସହ କାର୍ଯ୍ୟକାରୀ ହୋଇଆସୁଛି ଏବଂ ଏଥିରେ କୌଣସି ପରିବର୍ତ୍ତନ ଆଣିବା ଉଚିତ ନୁହେଁ। ତାଙ୍କ କହିବା ଅନୁଯାୟୀ, ଯଦି ଭାରତ ଜଳକୁ ଅସ୍ତ୍ର ଭାବରେ ବ୍ୟବହାର କରେ, ତେବେ ତାହା କେବଳ ପାକିସ୍ତାନ ପାଇଁ ନୁହେଁ ବରଂ ସମଗ୍ର ଅଞ୍ଚଳର ପରିବେଶ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ। ପାକିସ୍ତାନର କୃଷି ଏବଂ ଅର୍ଥନୀତି ମୁଖ୍ୟତଃ ସିନ୍ଧୁ ନଦୀ ବ୍ୟବସ୍ଥା ଉପରେ ନିର୍ଭରଶୀଳ ହୋଇଥିବାରୁ ଏଭଳି ପଦକ୍ଷେପ ଦେଶ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିର ଧାରା ୧୨(୩) ଅନୁଯାୟୀ ପାକିସ୍ତାନକୁ ଏକ ଔପଚାରିକ ନୋଟିସ୍ ପଠାଇଥିଲେ। କିଶନଗଙ୍ଗା ଏବଂ ରାଟଲେ ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ଦିଗରେ ପାକିସ୍ତାନର ଅସହଯୋଗ ମୂଳକ ମନୋଭାବ ଯୋଗୁଁ ଭାରତ ଏହି ପଦକ୍ଷେପ ନେଇଥିବା ଜଣାପଡିଛି। ଭାରତର କହିବା କଥା ଯେ, ପାକିସ୍ତାନ ବାରମ୍ବାର ଏହି ଚୁକ୍ତିର ନିୟମ ଉଲ୍ଲଂଘନ କରୁଛି ।

ଏହି ଘଟଣାକ୍ରମ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢିବାର ଆଶଙ୍କା ରହିଛି । ପାକିସ୍ତାନ ସରକାର ଏବେ ଅନ୍ତର୍ଜାତୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇବାକୁ ଯୋଜନା କରୁଥିବା ବେଳେ ଭାରତ ନିଜ ସ୍ଥିତିରେ ଅଟଳ ରହିଛି। ଆଗାମୀ ଦିନରେ ଏହି ଜଳ ବିବାଦ କି ମୋଡ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.