Latest Odisha News

BREAKING NEWS

ଉଦୀୟମାନ ପାଲା କଳାକାର : ସାରଦା ପ୍ରସନ୍ନ ନାୟକ

ଓଡ଼ିଶା ପାଲା ଜଗତରେ ବର୍ତ୍ତମାନ ପ୍ରତିଷ୍ଠାନ ଅର୍ଜନ କରିଥିବା ଯୁବ ଗାୟକମାନଙ୍କ ମଧ୍ୟରେ ଅନ୍ୟତମ ସାରଦା ପ୍ରସନ୍ନ ନାୟକ । ସୁନ୍ଦର ଆଲୋଚନା ଏବଂ ଶ୍ରୁତିମଧୁର ଗାୟନ ପାଇଁ ସେ ପାଲା ଦର୍ଶକମାନଙ୍କର ପ୍ରିୟପାତ୍ର ହୋଇପାରିିଛନ୍ତିି ।

୧୯୭୬ ମସିହା ଫେବ୍ରୁଆରି ୧୧ ତାରିଖରେ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଅରପୁର ଗ୍ରାମରେ ସାରଦା ପ୍ରସନ୍ନ ନାୟକଙ୍କ ଜନ୍ମ । ବାପା ଭିକାରି ନାୟକ ଏବଂ ମାଆ ପ୍ରମିଳା ନାୟକ । ଦୁଇ ଭାଇ ଏବଂ ଗୋଟିଏ ଭଉଣୀ ମଧ୍ୟରେ ସବୁଠୁ ସାନ ହେଉଛନ୍ତି ସାରଦା ।

ବାପା ଭିକାରି ନାୟକ ଥିଲେ ଜଣେ ପ୍ରସିଦ୍ଧ ମଂଚ କଳାକାର । ଏଥିସହ ସେ ସୁନ୍ଦର ଗୀତ ଗାଇପାରୁଥିଲେ । ବିଭିନ୍ନ ରାଗ, ରାଗିଣୀରେ ସେ ସଙ୍ଗୀତ ପରିବେଷଣ କରୁଥିଲେ, ଯାହାର ପ୍ରଭାବ ପିଲାଟି ଦିନରୁ ସାରଦାଙ୍କ ଉପରେ ପଡ଼ିଥିଲା । ଆଖପାଖ ଗ୍ରାମରେ ଅନୁଷ୍ଠିତ ବିଭିନ୍ନ ବାଦିପାଲା ମଂଚକୁ ଛୋଟବେଳୁ ପାଲା ଦେଖିବାକୁ ସାରଦା ଯାଇଥାନ୍ତି । ପିଲାଟି ଦିନରୁ ତାଙ୍କର ପାଲା ପ୍ରତି ରହିଥିଲା ଦୁର୍ବଳତା । ବାପା ମଧ୍ୟ ଏ କ୍ଷେତ୍ରରେ ତାଙ୍କୁ ପ୍ରେରଣା ଦେଇଥିଲେ । ବାପାଙ୍କଠାରୁ ବିଭିନ୍ନ ରାଗ, ରାଗିଣୀ କେମିତି ଗାଇବାକୁ ହୁଏ ସେ ଶିଖିଥିଲେ ।

ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ସାରଦା ଗ୍ରାମ ନିକଟସ୍ଥ ତାଳବସ୍ତ ହାଇସ୍କୁଲରେ ନାମ ଲେଖାଇଲେ । ସେଠାରୁ ମାଟ୍ରିକ ପାସ୍ ପରେ ଡମପଡା କଲେଜରେ ପଢିଲେ । ପାଠପଢା ଶେଷ ହେବା ପରେ ସେ ୧୯୯୮ ମସିହାରେ ପାଲା ଶିଖିଲେ । ସେହି ବର୍ଷ ରଥଯାତ୍ରା ଦିନ ମା ସାରଳାଙ୍କ ପୀଠରେ ଗୁରୁ ରଘୁନାଥ ଜେନାମଣିଙ୍କଠାରୁ ଚାମର ଗ୍ରହଣ କଲେ । ପ୍ରଖ୍ୟାତ ପାଲା ଗାୟକ ଲକ୍ଷ୍ମୀଧର ରାଉତ ହେଉଛନ୍ତି ସାରଦା ପ୍ରସନ୍ନ ନାୟକଙ୍କ ଆଦର୍ଶ ।

ନିଜ ଗ୍ରାମ ଅରପୁରର ରଘୁନାଥଙ୍କ ପୀଠରେ ସାରଦା ପ୍ରଥମେ ପାଲା ପରିବେଷଣ କରିଥିଲେ । ୧୯୯୯ ମସିହାରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବେଣୁପୁରଠାରେ ସେ ପ୍ରଥମ ବାଦିପାଲାରେ ଅବତୀର୍ଣ୍ଣ ହୋଇଥିଲେ ।

ରାମାୟଣ ଓ ମହାଭାରତ ସମୀକ୍ଷା ସହିତ, ରଘୁବଂଶ, କୁମାର ସମ୍ଭବ, ନୈଷଧ, ସେତୁବନ୍ଧ ପ୍ରତିଷ୍ଠା ଆଦି ଅନେକ ବିଷୟକୁ ସେ ଅତି ସରଳ ଭାବେ ପରିବେଷଣ କରି ସବୁ ବର୍ଗର ଶ୍ରୋତାଙ୍କୁ ଆକୃଷ୍ଟ କରିପାରନ୍ତି । ବର୍ତ୍ତମାନର ପ୍ରତିଷ୍ଠିତ ଯୁବ ଗାୟକମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ଜ୍ଞାନସୁଧା ସାରଦା ପ୍ରସନ୍ନ ନାୟକ ରାଜ୍ୟର କୋଣ ଅନୁକୋଣରେ ପାଲା ପରିବେଷଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.