Latest Odisha News

ଗାୟକ ବାଣୀଭୂଷଣ ଗୋପାଳକୃଷ୍ଣ ଜେନା

ଯେଉଁ କେତେଜଣ ଯୁବ ଗାୟକଙ୍କ ମଧ୍ୟରେ ପାଲାର ବଳିଷ୍ଠତା, ଉଚ୍ଚମାନର ପରିବେଷଣ, ସାହିତ୍ୟର ମୁର୍ଚ୍ଛନା ଦେଖିବାକୁ ମିଳେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗୋପାଳକୃଷ୍ଣ ଜେନା । ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ପାଲାର ଗରିମା ଏବଂ ଗାରିମାକୁ ବଜାୟ ରଖି ସେ ଯୁଗୋପଯୋଗୀ ପାଲା ପରିବେଷଣ କରିବାରେ ବେଶ୍ ସିଦ୍ଧହସ୍ତ । ସାଧାରଣ ଦର୍ଶକଙ୍କଠାରୁ ଜ୍ଞାନୀ, ଗୁୁଣି, ପଣ୍ଡିତମାନଙ୍କ ମନ ଜିଣିବା ଭଳି ପାଲା ସେ ପରିବେଷଣ କରିଥାନ୍ତି ।

୧୯୭୨ ମସିହା ଜାନୁଅ।ରି ୨୬ ତାରିଖ ଦିନ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିିଆ ଗ୍ରାମରେ ଗୋପାଳକୃଷ୍ଣ ଜନ୍ମଗ୍ରହଣ କରିଥିଲେ । ବାପା ବିଶିଷ୍ଟ ପାଲା ଗାୟକ ଲକ୍ଷ୍ମୀଧର ଜେନା ଏବଂ ମାଆ ପାର୍ବତୀ ଜେନା । ବାପା ପାଲା ଗାୟକ ଥିବାରୁ ପରିବାରରେ ସାହିତ୍ୟ ଓ ସଙ୍ଗୀତର ଚର୍ଚ୍ଚା ନିୟମିତ ହୁଏ, ଯାହାର ପ୍ରଭାବ ପିଲାଦିିନରୁ ପଡିଥିଲା ଗୋପାଳଙ୍କ ଉପରେ । ବାପା ଚାହୁଁଥିଲେ ତାଙ୍କ ପରିି ପୁଅ ମଧ୍ୟ ଗାୟକ ହେଉ, ତେଣୁ ସେ ପିଲା ଦିନରୁ ଗୋପାଳଙ୍କୁ ଏଥିପ୍ରତିି ପ୍ରେରଣା ଦେଉଥିଲେ ।

ନିଜ ଗ୍ରାମ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଗୋପାଳକୃଷ୍ଣ ପିଉସୀଙ୍କ ଗାଁ ଖୋର୍ଦ୍ଧାର ନାଚୁଣୀକୁ ଚାଲିଯାଇଥିଲେ, ସେଠାରେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ପଢା ଶେଷ କରିଥିଲେ । ଏହାପରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପଢା ଶେଷ କରିବା ପରେ ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆଚାର୍ଯ୍ୟ ପଢିଥିଲେ । ପାଠ ପଢା ମଧ୍ୟରେ ସେ ୧୯୯୦ ମସିହାରେ ପାଲା ଜଗତରେ ପାଦ ଦେଇଥିଲେ । ସେହିବର୍ଷ ଦଶହରା ଦିନ ମାମୁଘର ଗାଁ ତିତିପ ସ୍ଥିତ ମାଆ ରାମଚଣ୍ଡିଙ୍କ ପୀଠରେ ବାପାଙ୍କଠାରୁ ଚାମର ଗ୍ରହଣ କରିଥିଲେ । ବାପା ହୋଇଥିଲେ ଗୋପାଳକୃଷ୍ଣଙ୍କ ପ୍ରଥମ ପାଲା ଗୁରୁ । ପରବର୍ତ୍ତୀ ସମୟରେ ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟଙ୍କ ପାଲାରେ ଆକୃଷ୍ଟ ତାଙ୍କୁ ଦ୍ୱିତୀୟ ଗୁରୁଭାବେ ଗ୍ରହଣ କରିଥିଲେ ।

ଗୋପାଳକୃଷ୍ଣ ନିରାକାରପୁର ନିକଟସ୍ଥ ଜଙ୍କିଆଠାରେ ପ୍ରଥମେ ଯୁଦ୍ଧିଷ୍ଠିର ମହାପାତ୍ରଙ୍କ ସହ ବାଦିପାଲାରେ ଅବତୀର୍ଣ୍ଣ ହୋଇଥିଲେ । ଏଠାରେ ୫ ଦିନ ପାଲା ପରିବେଷଣ କରିବା ପରେ ତାଙ୍କ ଖ୍ୟାତି ବଢିବାକୁ ଲାଗିଲା, ଏହାପରଠାରୁ ଆଉ ସେ ପଛକୁ ଫେରିନାହାଁନ୍ତି । ଆଜି ଯେଉଁ କେତେଜଣ ଯୁବ ଗାୟକ ପାଲା ଜଗତରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତନ ଗୋପାଳକୃଷ୍ଣ । ବିଶେଷ କରି ସେ ନିଜସ୍ୱ ଶୈଳୀରେ ପାଲା ପରିବେଷଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛନ୍ତି ।

ଗୋପାଳକୃଷ୍ଣଙ୍କ ପାଲାରେ ପୁରାତନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାହିତ୍ୟ ପରିବେଷଣ ଦେଖିବାକୁ ମିଳେ । ଗୋକୁଳାନନ୍ଦ ପଟ୍ଟନାୟକଙ୍କ ଜାନକୀବଲ୍ଲଭ ବିଳାସ କାବ୍ୟକୁ ଜନମାନସରେ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିଶେଷ କରି ଏହି କାବ୍ୟର ସାବଲୀଳତା, ସର୍ବଜନ ବୋଧଗମ୍ୟ ଶବ୍ଦ ସଂଯୋଜନା ତାଙ୍କୁ ଅନୁପ୍ରାଣିତ କରିଛି, ଯାହାକୁୁ ସେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରନ୍ତି ।

୨୦୧୩ ମସିହାରେ ବାପାଙ୍କ ଦେହାନ୍ତ ପରେ ଚିଲିକା ସ୍ଥିତ ରୁକ୍ମିଣୀଦେବୀ ମହାବିଦ୍ୟାଳୟରେ ସଂସ୍କୃତ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ଗୋପାଳକୃଷ୍ଣ ଜେନା । ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ତାଙ୍କର ବେଶ୍ ପାରଦର୍ଶିତା ରହିଛି । ଯଦିଓ ସମୀକ୍ଷାଧର୍ମୀ ପାଲା ପରିବେଷଣ କରିବାକୁ ସେ ପସନ୍ଦ କରନ୍ତି, କିନ୍ତୁ କେବେ ମଧ୍ୟ ପ୍ରାଚୀନ ସାହିତ୍ୟ, ପୁରାତନ ଛାନ୍ଦ, ଚମ୍ପୂ, ଚଉପଦୀ ଗାଇବାରେ ସେ କୁଣ୍ଠାପ୍ରକାଶ କରିନଥାନ୍ତି । ସେଥିପାଇଁ ତ ସବୁ ବର୍ଗର ଦର୍ଶକ ତାଙ୍କ ପାଲା ପାଖରେ ବାନ୍ଧି ହୋଇରହନ୍ତି । ଉଚ୍ଚକୋଟିର ପାଲା ପରିବେଷଣ କରି ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ଜେନା ଅନେକ ପୁରସ୍କାର, ମାନପତ୍ର ଓ ଉପାଧି ପାଇଛନ୍ତି, କିନ୍ତୁ ସେ ଏଥିପ୍ରତି ତିଳେମାତ୍ର ଧ୍ୟାନ ନ ଦେଇ ପାଲାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.