Latest Odisha News

BREAKING NEWS

ଗାୟକ ଅଳଂକାର ଶ୍ୟାମସୁନ୍ଦର ତ୍ରିପାଠୀ

ବରିଷ୍ଠ ପାଲା ଗାୟକ ଶ୍ୟାମସୁନ୍ଦର ତ୍ରିପାଠୀ । ଜଣେ ପ୍ରତିଷ୍ଠିତ ମର୍ଯ୍ୟାଦାବନ୍ତ, ମିଷ୍ଟଭାଷୀ ଆଦର୍ଶ ପାଲା ଗାୟକ । ପାଲାର ମୌଳିକତାକୁ ବଜାୟ ରଖି ସେ ରାଜ୍ୟର କୋଣ ଅନୁକୋଣରେ ପାଲା ପରିବେଷଣ ଜାରି ରଖିଛନ୍ତି ।

୧୯୫୬ ମସିହା ଜୁନ ୬ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡ଼ାଡ଼ିହ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଶ୍ୟାମସୁନ୍ଦର ତ୍ରିପାଠୀ । ବାପା ଜଗନ୍ନାଥ ତ୍ରିପାଠୀ ଓ ମାଆ ନୟନ ଦେବୀଙ୍କ ଦୁଇ ସନ୍ତାନ ମଧ୍ୟରେ ସାନ ହେଉଛନ୍ତି ଶ୍ୟାମସୁନ୍ଦର । ପିଲାଦିନରୁ କଳା, ସଙ୍ଗୀତ ପ୍ରତି ଶ୍ୟାମସୁନ୍ଦରଙ୍କର ଅହେତୁକ ଆଗ୍ରହ ରହିଥିଲା । ତୃତୀୟ ଶ୍ରେଣୀରୁ ସେ ପାଲା ପ୍ରତି ଆକୃଷ୍ଟ ହୋଇଥିଲେ । ଗାଁ ନିକଟରେ ରାମଲୀଳା ଅନୁଷ୍ଠିତ ହୁଏ, ପ୍ରତିବର୍ଷ ସେ ରାମଲୀଳା ଦେଖିବାକୁ ଯାଆନ୍ତି । ଥରେ ରାମଲୀଳାର ଏକ କାହାଣୀ ତାଙ୍କୁ ତିନି ଦିନ ପର୍ଯ୍ୟନ୍ତ ଆଚ୍ଛନ୍ନ କରି ରଖିଥିଲା । ସେ ପାଠ ପଢିବାକୁ ଇଛା କରୁନଥିଲେ, ଭାବୁଥିଲେ ସେ ସବୁବେଳେ ରାମଲୀଳା ହିଁ ଶୁଣୁଥାଆନ୍ତେ କି । ଏହାରି ମଧ୍ୟରେ ସେ ପାଲା ଦେଖିବାକୁ ଆଖପାଖ ଗାଁକୁ ଯାଆନ୍ତି । ପିଲାଦିନେ ବିଶ୍ୱନାଥ ପଟ୍ଟଯୋଶୀ, ବୈଷ୍ଣବ ପ୍ରଧାନ, ନିରଞ୍ଜନ କର ଆଦି ବରିଷ୍ଠ ଗାୟକଙ୍କ ପାଲା ଦେଖି ସେ ନିଜେ ଜଣେ ଗାୟକ ହେବାକୁ ସ୍ଥିର କରିଥିଲେ ।

ଶ୍ୟାମସୁନ୍ଦର ଏକାଦଶ ଶ୍ରେଣୀରେ ପଢୁଥିବା ବେଳେ ପାଖ ଗାଁର ଅନନ୍ତ କିଶୋର ଗଢେଇ ନାମକ ଗାୟକ ତାଙ୍କ ଗାଁ ଭାଗବତ ଟୁଙ୍ଗୀରେ ପାଲା ଆଖଡା କରୁଥିଲେ । ସେହି ଆଖଡା ଦେଖିବା ପାଇଁ ଯାଉଥିଲେ ଶ୍ୟାମସୁନ୍ଦର । ଏଭଳି ପାଲା ଦେଖା ଭିତରେ ମାଟ୍ରିକ ପରୀକ୍ଷା ସରିଲା । ମାଟ୍ରିକ ପରେ ଆଉ ପାଠ ପଢିବାକୁ ସେ ଆଗ୍ରହୀ ହୋଇନଥିଲେ । ନିଜେ ଗାଁର କିଛି କୀର୍ତନ ଗାୟକଙ୍କୁ ଧରି ଗାଁମୁଣ୍ଡ ଭାଗବତ ଘରେ ଆଖଡା ଆରମ୍ଭ କଲେ । ୧୫ ଦିନ ପରେ ବାପା ଯେତେବେଳେ ଜାଣିଲେ ପୁଅ ପାଲା ଶିଖୁଛିି, ସେ ଖୁସି ହୋଇଥିଲେ । ପାଖ ଗାଁର ଗାୟକ ପଦ୍ମଚରଣ ମହାପାତ୍ରଙ୍କୁ ପ୍ରଥମେ ଗୁରୁ ଭାବେ ଗ୍ରହଣ କରିଥିଲେ ଶ୍ୟାମସୁନ୍ଦର । ତିନି ମାସର ଆଖଡା ପରେ ସେ ସ୍ୱନକ୍ଷତ୍ର ପାଲା ଗାଇବା ଆରମ୍ଭ କଲେ ।

ଜଣେ ଭଲ ପାଲା ଗାୟକ ହେବା ପାଇଁ ଶ୍ୟାମସୁନ୍ଦରଙ୍କୁ ତାଙ୍କ ଗାଁର ଲୋକମାନେ ମଧ୍ୟ ଉତ୍ସାହିତ କରିବା ସହିତ ବହୁତ ସାହାଯ୍ୟ କରିଥିଲେ । ପାଲା ଶିଖିବାର ବର୍ଷକ ବେଳକୁ ତାଙ୍କ ଗାଁକୁ ପାଲା ଗାଇବାକୁ ଆସିଥିଲେ ବିଶିଷ୍ଟ ଗାୟକ ପ୍ରହଲ୍ଲାଦ ସାହୁ । ସେ ଗରୁଡ ଜନ୍ମ ବିଷୟକୁ ଏଭଳି ପରିବେଷଣ କରିଥିଲେ ଯେ, ଦର୍ଶକ ପୂରା ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ପ୍ରହଲ୍ଲାଦ ସାହୁଙ୍କ ପାଲା ଦେଖିବା ପରେ ତାଙ୍କୁ ଗୁରୁ କରିବାକୁ ଶ୍ୟାମସୁନ୍ଦର ସ୍ଥିର କରିଥିଲେ । ଦୁଇ ଗୁରୁଙ୍କ ଆଶୀର୍ବାଦ ଏବଂ କଠିନ ଅଧ୍ୟବସାୟ ବଳରେ ଶ୍ୟାମସୁନ୍ଦର ତ୍ରିପାଠୀ ପାଲା ଜଗତରେ ନିଜର ଏକ ପରିଚୟ ସୃଷ୍ଟି କଲେ ।
ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ପାଲାରେ ଅଳଂକାର ସାହିତ୍ୟ ପୂରି ରହିଥାଏ । ସେ କୌଣସି ପରିସ୍ଥିତିରେ ମଧ୍ୟ ପାଲାର ମୌଳିକତାଠାରୁ ଦୂରେଇ ନଥାନ୍ତି । ବିଷୟବସ୍ତୁ ମାଧ୍ୟମରେ ସେ ଶ୍ରୋତାଙ୍କୁ ବାନ୍ଧି ରଖିଥାନ୍ତି । ଜଣେ ଶାନ୍ତ, ସରଳ ଏବଂ ସଂଗଠକ ଭାବେ ସେ ପରିଚିତ । ବର୍ତ୍ତମାନ ସୁଦ୍ଧା ୫ ଜଣ ଗାୟକ ଏବଂ ଜଣେ ଗାୟିକାଙ୍କୁ ପାଲା ଶିକ୍ଷା ଦେଇସାରିଲେଣି । ପାଲାର ପ୍ରଚାର ପ୍ରସାର ଏବଂ ବିକାଶ ଦିଗରେ ମଧ୍ୟ ତାଙ୍କର ଉଦ୍ୟମ ଜାରି ରହିଛି । ପାଲାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ ଉପାଧି, ମାନପତ୍ର ଓ ସମ୍ମାନ ପାଇଛନ୍ତି । ପତ୍ନୀ ମାନସୀ ତ୍ରିପାଠୀ ମଧ୍ୟ ତାଙ୍କୁ ସବୁବେଳେ ସହଯୋଗ କରି ଆସିଛନ୍ତି ।

Leave A Reply

Your email address will not be published.