Latest Odisha News

BREAKING NEWS

ପାଲା ଆକାଶର ଦୀପ୍ତିମନ୍ତ ସୂର୍ଯ୍ୟ – ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତ

ଭୁବନେଶ୍ୱର: ବର୍ତ୍ତମାନ ପାଲା ଆକାଶରେ ସେ ହେଉଛନ୍ତି ଦୀପ୍ତିମନ୍ତ ସୂର୍ଯ୍ୟ ସଦୃଶ । ସୂର୍ଯ୍ୟ ଯେପରି ସକଳ ଶକ୍ତିର ଆଧାର, ସେ ସେହିପରି ପାଲାର ସମସ୍ତ ବିଭାଗରେ ସମୃଦ୍ଧ । ତାଙ୍କ ଗାୟନ ଯେପରି ସୁମଧୁର, ଭାଷା ସେହିପରି ଉନ୍ନତ ଓ ପ୍ରାଞ୍ଜଳ । ସାଧାରଣ ନିରକ୍ଷର ମହିଳାଟିଏ ଠାରୁ ବିଦ୍ୱାନ ଜ୍ଞାନୀଗୁଣି ପଣ୍ଡିତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ତାଙ୍କ ପାଲା ବାନ୍ଧି ରଖିଥାଏ । ବିଭିନ୍ନ ରସରେ ସେ ଏପରି ପାଲା ପରିବେଷଣ କରିଥାନ୍ତି ଯେ, ଯିଏ ଥରେ ମଞ୍ଚ ନିକଟରେ ପହଞ୍ଚି ଯାଏ ଶେଷ ପର୍ଯ୍ୟନ୍ତ ଉଠିନଥାଏ । ଛୋଟଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ତାଙ୍କ ପାଲା ଆକୃଷ୍ଟ କରିଥାଏ । ପାଲାରେ ପୁରାଣ, ଦର୍ଶନ, ସାହିତ୍ୟ, ଆଲୋଚନା ଓ ସମାଲୋଚନା ଏତେ ବଳିଷ୍ଠ ଯେ, ସାଧାରଣ ଗାୟକଟିଏ ତାଙ୍କ ସହ ବାଦୀପାଲାରେ ପ୍ରତିଦ୍ୱନ୍ଦ୍ୱିଭାବେ ଅବତୀର୍ଣ୍ଣ ହେବାକୁ ଭୟଭିତ ମନେକରେ ।
୭୫ ବର୍ଷରେ ପାଦ ଦେଇଥିବା ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତ ଏବେବି ରାଜ୍ୟର କୋଣ ଅନୁକୋଣରେ ବର୍ଷକୁ ୩୦୦ରୁ ଅଧିକ ରାତି ପାଲା ପରିବେଷଣ କରୁଛନ୍ତି । ଏଥିମଧ୍ୟରେ ପୁଣି ଅଧିକାଂଶ ହେଉଛି ବାଦୀପାଲା । ଯେତେବେଳେ କୌଣସି ମଂଚ ଗାୟକ ଖୋଜିଥାନ୍ତି ପ୍ରଥମେ ଯାଇଥାନ୍ତି ଲକ୍ଷ୍ମୀଧର ରାଉତଙ୍କ ନିକଟକୁ ।

ପାଲାଜଗତରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଲକ୍ଷ୍ମୀଧର ରାଉତ ୨୦୧୬ ମସିହା ପାଇଁ କେନ୍ଦ୍ରସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି । ପାଲା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୪ ମସିହାରେ ସେ ରାଜ୍ୟସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇସାରିଛନ୍ତି । ଏଥିସହ ରାଜ୍ୟ ତଥା ରାଜ୍ୟବାହାରର ୫୦ରୁ ଅଧିକ ଅନୁଷ୍ଠାନ ଦ୍ୱାରାସେ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ।

୧୯୪୬ ମସିହା ଫେବ୍ରୁଆରି ୨ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ନିକିରାଇ ପଂଚାୟତ ଅନ୍ତର୍ଗତ ଚରପଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର ରାଉତ । ପିଲାଟି ଦିନରୁ ପାଲା ପ୍ରତି ଥିଲା ପ୍ରଚଣ୍ଡ ଆଗ୍ରହ । ମାତ୍ର ୧୧ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ତାଙ୍କ ପାଲାଜୀବନ । ଷଷ୍ଠଶ୍ରେଣୀରେ ପଢୁଥିବା ବେଳେ ଗୁରୁ ଦାମୋଦର ଷଡଙ୍ଗୀ ତାଙ୍କୁ ଚାମର ଦାନ କରିଥିଲେ । ପରେ ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନଙ୍କ ଠାରୁ ସେ ପାଲା ଶିଖିଥିଲେ । ଥରେ ସେ ଗାୟକ ରତ୍ନହରି ନାଥଙ୍କ ସହ ଠାକୁର ଅଭିରାମ ପରମହଂସଙ୍କ କରମଳା ଆଶ୍ରମକୁ ଯାଇଥିଲେ । ସେଠାରେ ଠାକୁର ଲକ୍ଷ୍ମୀଧରଙ୍କୁ ଆଶୀର୍ବାଦ କରିଥିଲେ, ଭବିଷ୍ୟତରେ ସେ ଜଣେ ପ୍ରତିଷ୍ଠିତ ପାଲାଗାୟକ ହେବେ ବୋଲି । ଆଜି ଠାକୁର ଅଭିରାମ ପରମହଂସଙ୍କ ଆଶୀର୍ବାଦ ପୂରଣ ହୋଇଛି । ଜଣେ ସ୍ୱନାମଧନ୍ୟ ପାଲା ଗାୟକଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ଲକ୍ଷ୍ମୀଧର ରାଉତ । ଏଥିସହ ସେ ବର୍ତମାନ ସୁଦ୍ଧା ୫୦ରୁ ଅଧିକ ଗାୟକ, ଗାୟିକାଙ୍କୁ ପ୍ରଶିକ୍ଷଣ ଦେଇ ସାରିଲେଣି ।
ଜଣେ ଦାୟିତ୍ୱବାନ ଗାୟକ ଭାବେ ଲକ୍ଷ୍ମୀଧର ରାଉତ ଯେଭଳି ନିଜର କର୍ତବ୍ୟ ପାଳନ କରିଛନ୍ତି, ସେହିପରି ପାଲାର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ତାଙ୍କରି ନେତୃତ୍ୱରେ ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ କରାଯାଇଛି ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ । ଏହି ଅନୁଷ୍ଠାନର ଅଧ୍ୟକ୍ଷ ରହିଛନ୍ତି ଲକ୍ଷ୍ମୀଧର ରାଉତ । ପାଲାକୁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପରିଚିତ କରାଇବା ସହ ବିଦେଶରେ କିପରି ଏହାର ପ୍ରଚାର ପ୍ରସାର ହୋଇପାରିବ ଏଥିପାଇଁ ସେ ମାର୍ଗ ଦର୍ଶନ କରୁଛନ୍ତି । ପାଲା ପାଇଁ ସାରା ଜୀବନ ଉତ୍ସର୍ଗ କରିଥିବା ଲକ୍ଷ୍ମୀଧର ରାଉତ କହନ୍ତି, ପାଲାହିଁ ମୋଜୀବନ, ଯେତେଦିନ ବଂଚିଥିବି ହାତରେ ଚାମର ଧରି ପାଲା ଗାଉଥିବି ।

Leave A Reply

Your email address will not be published.