ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଆଦି ଗାୟନ କରିବାରେ ଯେଉଁ କେତେଜଣ ପାଲା ଗାୟକ ଶିଖର ଛୁଇଁଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରଘୁନାଥ ନାଥଶର୍ମା । ନିର୍ଭୁଲ ଏବଂ ଶ୍ରୁତିମଧୁର ଗାୟନରେ ସେ ଏଭଳି ନିପୁଣ ଯେ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇଯାଆନ୍ତି ।
୧୯୩୭ ମସିହା ମହାଶିବରାତ୍ରି ଦିନ ସେ ଜନ୍ମ ଗ୍ରହଣ କରିଥିଲେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିବିଲ ଗ୍ରାମରେ । ବାପା ବଂଶୀଧର ନାଥଶର୍ମା ଏବଂ ମାଆ ସତ୍ୟଭାମା ଦେବୀ । ବଂଶୀଧର କଲିକତାରେ ଇଲେକ୍ଚ୍ରିସିଟି ବିଭାଗରେ ଚାକିରି କରିଥିଲେ ।
୧୯୪୭ ମସିହାରେ ଯେତେବେଳେ ରଘୁନାଥଙ୍କୁ ମାତ୍ର ୧୦ ବର୍ଷ ସେତେବେଳେ ବାପାଙ୍କର ଅକାଳ ବିୟୋଗ ହୋଇଥିଲା । ବଡ଼କଷ୍ଟରେ ଦୁଇ ପୁଅ ରଘୁନାଥ ଏବଂ ଭଗବାନଙ୍କୁ ବଡ଼ କରିଥିଲେ ମାଆ ସତ୍ୟଭାମା ।
ରଘୁନାଥଙ୍କ ମାମୁ କୈଳାସ ଚନ୍ଦ୍ର ନାଥ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ । ରମାଦେବୀ ଏବଂ ଗୋପବନ୍ଧୁ ଚୌଧୁରୀଙ୍କ ସହ ମିଶି ବିଭିନ୍ନ ସେବାକାର୍ୟ୍ୟ କରିବା ସହ ସ୍ଭାଧୀନତା ସଂଗ୍ରାମରେ ସେ ସାମିଲ ହୋଇଥିଲେ । କୈଳାସ ଚନ୍ଦ୍ର ରଘୁନାଥଙ୍କୁ ନିଜ ଘର ରାମଚନ୍ଦ୍ରପୁରକୁ ନେଇ ଯାଇଥିଲେ । ସେଠାରେ ସେ ଗାନ୍ଧିଜୀଙ୍କ ଆଦର୍ଶରେ ମୌଳିକ ଶିକ୍ଷା ଗ୍ରହଣ କରିବା ସହ ବାନରସେନାରେ ସାମିଲ ହୋଇଥିଲେ, ଗାଁ ଗାଁ ବୁଲି ଲୋକଙ୍କୁ ସ୍ବାଧୀନତାର ବାର୍ତ୍ତା ଦେଇଥିଲେ ।
ରାମଚନ୍ଦ୍ରପୁର ବେସିକ ସ୍କୁଲରେ ପଢ଼ା ଶେଷ ପରେ ରଘୁନାଥ ଗାଁକୁ ଫେରିଥିଲେ, କିଛିଦିନ ରହିବା ପରେ ଚାକିରି ସନ୍ଧାନରେ କଲିକତା ଯାଇଥିଲେ। ରଘୁନାଥ କଲିକତାରେ ବହୁତ ସଂଘର୍ଷ କଲେ, ହେଲେ ନିଜ ମନ ବୁଝିଲା ଭଳି ଚାକିରିଟିଏ ପାଇପାରିଲେ ନାହିଁ, ସବୁଆଡୁ ନିରାଶ ହେବା ପରେ ଘରକୁ ଫେରିବା ପାଇଁ ଇଛାକଲେ । ପାଖରେ ଟଙ୍କାଟିଏ ନଥିବାରୁ ରଘୁନାଥ ଚାଲି ଚାଲି ଦୀର୍ଘ ୬୦୦ କିଲୋମିଟର କଲିକତାରୁ ବରୀ ଫେରିଥିଲେ । ଫେରିବା ବେଳେ ଖାଇବା ପାଇଁ ବାଟରେ ଲୋକଙ୍କ ଜମିରେ କିଛି କିଛି କାମ କରୁଥିଲେ, ଏପରି କି ଛତିଆବଟରେ କିଛିଦିନ ପିଲାମାନଙ୍କୁ ପାଠ ପଢ଼ାଇଥିଲେ ।
କଲିକତାରୁ ନିରାଶ ହୋଇ ରଘୁନାଥ ଗାଁକୁ ଫେରିଲେ, ହେଲେ ଏତିକି ବେଳେ ତାଙ୍କୁ ସହାୟକ ହେଲେ ଗାଁର ଜମିଦାର ହରିକଣ୍ଠ । ସେଥିଲେ ଜଣେ କଳା, ସାହିତ୍ୟ ଏବଂ ସଂସ୍କୃତିପ୍ରେମୀ । ତାଙ୍କର ଗୋଟିଏ ଗୋଟିପୁଅ ନୃତ୍ୟ ଦଳ ଥିଲା, ନିଜେ ମଧ୍ୟ ଗାଁରେ ଗୋଟିଏ ସଂସ୍କୃତ ଟୋଲ୍ ସ୍ଥାପନା କରିଥିଲେ । ହରିକଣ୍ଠ ରଘୁନାଥଙ୍କୁ ନିଜ ଘରକୁ ନେଲେ, ପାଖରେ ରଖି ଗୋଟିପୁଅ ନୃତ୍ୟ ଦଳରେ ସାମିଲ କଲେ ଏବଂ ସଂସ୍କୃତ ଟୋଲରେ ପଢ଼ିବାର ବନ୍ଦୋବସ୍ତ ମଧ୍ୟ କଲେ । ଏହି ସମୟରେ ହରିକଣ୍ଠ ଚିନ୍ତାକଲେ ରଘୁନାଥଙ୍କୁ ପାଲା ଶିଖାଇବା ପାଇଁ, ତେଣୁ ସେ ପ୍ରଖ୍ୟାତ ଗାୟକ ହରି ନାଥଙ୍କୁ ନିଜ ଘରକୁ ଡକାଇଲେ ।
ମାତ୍ର ୨୦ ବର୍ଷ ବୟସ ବେଳେ ରଘୁନାଥ ପାଲା ଗାୟକ ହୋଇଥିଲେ । ହରିକଣ୍ଠଙ୍କ ଘର ଅଗଣାରେ ପ୍ରଥମ ପାଲା ପରିବେଷଣ କରିଥିଲେ ରଘୁନାଥ । ପରବର୍ତ୍ତୀ ସମୟରେ ରଘୁନାଥ ପ୍ରଖ୍ୟାତ ଗାୟକ ନରହରି ନାଥ ଏବଂ ଦିନବନ୍ଧୁ ନାଥଙ୍କ ଠାରୁ ସଙ୍ଗୀତ ଏବଂ ଶାସ୍ତ୍ର ଅଧ୍ୟୟନ କଲେ । ସୁମଧୁର କଣ୍ଠସ୍ବର ଏବଂ ଉଚ୍ଚକୋଟୀର ଗାୟନ ପାଇଁ ଖୁବ୍ କମ୍ ଦିନ ଭିତରେ ରଘୁନାଥ ନାଥଶର୍ମା ରାଜ୍ୟର ପୁରପଲ୍ଲୀରେ ଲୋକପ୍ରିୟ ହୋଇଗଲେ । ତତ୍କାଳୀନ ସମୟର ସମସ୍ତ ପ୍ରଖ୍ୟାତ ଗାୟକଙ୍କ ସହ ବାଦୀ ପାଲାରେ ଅବତୀର୍ଣ୍ଣ ହୋଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ରାଜ୍ୟର ପ୍ରମୁଖ ପାଲା ମଞ୍ଚ ସହ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଶ୍ରୀଯୁକ୍ତ ରଘୁନାଥ ନାଥଶର୍ମା ପାଲା ପରିବେଷଣ କରିଥିଲେ ।
ରଘୁନାଥ ଶର୍ମା ଏଭଳି ଜଣେ ଗାୟକ ସେ ଯାହା ଗାଉଥିଲେ ତାହା ଅତ୍ୟନ୍ତ ଶ୍ରୁତିମଧୁର ହେଉଥିଲା, ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ, ଏପରିକି ପ୍ରତିପକ୍ଷ ଗାୟକମାନେ ମଧ୍ୟ ପ୍ରଥମରୁ ଶେଷ ପର୍ୟ୍ୟନ୍ତ ତାଙ୍କ ପାଲାକୁ ଶୁଣୁଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ରଘୁନାଥ ଶର୍ମାଙ୍କ ଜୀବନ ଅତ୍ୟନ୍ତ ସରଳ ନିରାଡ଼ମ୍ବର, କୌଣସି ପ୍ରତିପକ୍ଷ ଗାୟକଙ୍କୁ ସେ କଟୁ ସମାଲୋଚନା କରନ୍ତି ନାହିଁ, ତେଣୁ ତାଙ୍କୁ ସମସ୍ତେ ସମ୍ମାନ ଓ ଆଦର କରିନ୍ତି । ଦୀର୍ଘ ୬ ଦଶନ୍ଧୀ ଧରି ରାଜ୍ୟର ପୁରପଲ୍ଲୀରେ ପାଲା ପରିବେଷଣ କରିବା ପରେ ବାର୍ଦ୍ଧକ୍ୟରେ ଉପନିତ ହୋଇ ଏବେ ସେ ପାଲାରୁ ଅବସର ନେଇଛନ୍ତି । ଶ୍ରୀଯୁକ୍ତ ନାଥଶର୍ମା ଏବେ ମଞ୍ଚରେ ଛିଡ଼ା ହୋଇ ପାଲା ଗାଇପାରୁନାହାଁନ୍ତି ସତ ହେଲେ ପାଲାକୁ ଛାଡ଼ି ପାରିନାହାଁନ୍ତି, ଆଜି ମଧ୍ୟ ତାଙ୍କ ଘରକୁ ବହୁ ବରିଷ୍ଠ ଗାୟକଙ୍କ ଆସୁଛନ୍ତି ତାଙ୍କଠାରୁ କିଛି ଶିଖିବା ପାଇଁ ।
ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଅଜସ୍ର ସମ୍ମାନ, ପୁରସ୍କାର, ସମ୍ବର୍ଦ୍ଧନା ଏବଂ ଉପାଧି । ସରକାରୀ ମାନ୍ୟତା ନମିଳିଲେ ମଧ୍ୟ ଲକ୍ଷ ଲକ୍ଷ ପାଲାପ୍ରେମୀ ଏବଂ ପାଲା ଗାୟକମାନଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ଗାୟକ ରତ୍ନାକର ଶ୍ରୀଯୁକ୍ତ ରଘୁନାଥ ନାଥଶର୍ମା।
Comments are closed.