ପବିତ୍ର ମୋହନ ଦାଶ
ଗାଁ ଓ ସହର ଉଭୟ ଜାଗାରେ ପଣା ସଂକ୍ରାନ୍ତି ଅନୁଭବିଛି । ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ ଏ ସବୁ ଧାର୍ମିକ ଦିଗ ଅପେକ୍ଷା ମୋତେ ବେଶୀ ଆକୃଷ୍ଟ କରିଛି ବିଭିନ୍ନ ପ୍ରକାରର ପଣାର କଳ୍ପନା ଓ ପ୍ରସ୍ତୁତି ପ୍ରଣାଳୀ । ଗାଁରେ ତୁଳସୀ ଚଉରା ଉପରେ ବନ୍ଧା ହୋଇଥିବା ନଡ଼ିଆ ବାହୁଙ୍ଗାରୁ ଝୁଲୁଥାଏ ଛୋଟ ଛିଦ୍ରଯୁକ୍ତ ମାଟି ଘଡି । ପଣା ଭୋଗ ହେବା ପରେ ଢାଳି ଦିଆଯାଏ ସେ ଘଡିରେ । ଟୋପା ଟୋପା ହୋଇ ପଣା ପଡୁଥାଏ ତଳକୁ । ବେଲ ପଣା, ଛତୁଆ ପଣା, କ୍ଷୀର ଆଉ କଦଳୀ ପଣା ଏମିତି ଗାଁର ଘରେ ଘରେ କେତେ ପ୍ରକାର ପଣା ଭୋଗ ହେଉଥିଲା । ନନା ଭୋଗ କରିବାକୁ ଯାଉଥିବାରୁ ସବୁ ପଣାର ସ୍ୱାଦ ମୋତେ ବି କିଛିକିଛି ମିଳୁଥିଲା ।
ପୁରୀକୁ ପାଠ ପଢିବାକୁ ଆସିବା ପରେ ପଣା ସଂକ୍ରାନ୍ତି ସହିତ ଯୋଡି ହୋଇଗଲା ସାହିତ୍ୟ । ସେତେବେଳକୁ ପୁରୀର ବଜାରରେ ଫ୍ରିଜରେ ଜୁସ ବୋତଲ ଏତେଟା ମିଳୁ ନଥାଏ । କିଛି ଦୋକାନୀ ହାତରେ ସର୍ବତ ପ୍ରସ୍ତୁତ କରନ୍ତି । ଲୋକ ଭାଷାରେ ସେଠି ହାତ ପାଣି ମିଳେ ।ପଣା ସଂକ୍ରାନ୍ତି ରେ ସେସବୁ ଦୋକାନରେ ଟିକେ ଅଧିକ ଭିଡ଼ ହୁଏ । ବାଦାମ ସର୍ବତ, ମିଶ୍ରି ଭୁଷି , ଗରୁଡ଼ ଗୋବିନ୍ଦ ସର୍ବତ , ବେଲ ଗୋଲ ମରିଚ ପଣା ର ବନ୍ୟା ହୁଏ । ଛେନା, ମରିଚ ଓ ଦହି ପଣା ସେଦିନ ବେଶୀ ଆକର୍ଷଣୀୟ ହୁଏ ।
ପୁରୀରେ ପଣା ସଂକ୍ରାନ୍ତିରେ ଗୋପାଳି ଜାଗା ତରଫରୁ ହେଉଥିବା ବିଷୁବ ଆସରର ଥାଏ ବଡ଼ ଚମକ । ସେଠି ପ୍ରସ୍ତୁତ ହୋଇଥିବା ପଣା ଓ କବିତା ପାଠର ସ୍ୱାଦ ଆଜି ସ୍ମୃତି । ପଣା ସଂକ୍ରାନ୍ତି ଦିନ ଯଦି କେହି ବିଶେଷ ଧରଣର ପଣା ପିଇଥାନ୍ତି ତେବେ କୌତୁକରେ ପଚରାଯାଏ “ନାଲି ନା ନେଳି “। ନେଳି ଭାଙ୍ଗ ପଣାକୁ ବୁଝାଏ ଆଉ ନାଲି କ’ଣ କହିବା ଦରକାର ନାହିଁ । ତେବେ ଗୋପାଳି ଜାଗା ବିଷୁବରେ କବି ଅନନ୍ତ ପଟ୍ଟନାୟକଙ୍କୁ ପ୍ରଥମ ଓ ଶେଷ ଥର ଦେଖିବା ଥିଲା ବଡ଼ ଉପଲବ୍ଧି । ସେ ତାଙ୍କ ବକ୍ତୃତାରେ ବିଷୁବର ପ୍ରଖର ସୂର୍ଯ୍ୟ ରଶ୍ମିକୁ ପ୍ରତୀକ କରି କବିତା ତେଜୋମୟ ହେଉ ବୋଲି କହିଥିଲେ । ତାହା ଆମ ପାଇଁ ବେଶ ପ୍ରେରଣାଦାୟୀ ଥିଲା । ସେ ମଞ୍ଚରେ କବିତାକୁ ନେଇ ଅନେକ ବିତର୍କ ହୁଏ ଓ ଅନେକ ରାତି ଯାଏଁ କବିତା ପାଠ ହୁଏ । ସେ ସବୁ ମୋ ପରି ଅନେକଙ୍କ ପାଇଁ ସ୍ମରଣୀୟ ।
ଇଂରାଜୀ ବିଭାଗ,
ଶାସ୍ତ୍ରୀସ୍ମୃତି ଡିଗ୍ରୀ ମହାବିଦ୍ୟାଳୟ,
ବାଲିପୁଟ, ପୁରୀ
Comments are closed.