Latest Odisha News

BREAKING NEWS

ବିଜୁ ବାବୁଙ୍କ ଛାତ୍ର ଜୀବନର ଅଭୂଲା କାହାଣୀ; ବ୍ରିଟିଶ୍ ଫୌଜକୁ ଫିଙ୍ଗିଲେ ଟେକା !

ଭୁବନେଶ୍ୱର: ପିଲାଟି ବେଳୁ ହିଁ ଭାରତର ସ୍ୱାଧୀନତା ହାସଲ ଲାଗି ବିଜୁ ବାବୁ ସ୍ୱପ୍ନ ଦେଖିଚାଲିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଅବଦାନ ପ୍ରକୃତରେ ଅତୁଳନୀୟ । ବିଜୁ ପଟ୍ଟନାୟକଙ୍କ ସାହସୀକତା ଯୋଗୁଁ ଆଜି କାଶ୍ଚୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିପାରିଛି । ନିଜ ଜୀବନକୁ ପାଣି ଛଡ଼ାଇ ଦେଶମାତୃକା ଲାଗି ବିଜୁ ବାବୁ ଅସମ୍ଭବ କାର୍ଯ୍ୟ ସମ୍ପାଦନ କରିଛନ୍ତି । ସେ ଅନେକ ଥର ପଣ୍ଡିତ ଜବାହାର ଲାଲ ନେହେରୁ ହୁଅନ୍ତୁ କି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ବିଜୁ ବାବୁଙ୍କ ପରଲୋକ ହେବାର ଅନେକ ବର୍ଷ ବିତିଗଲାଣି ମାତ୍ର ଭାରତ ରତ୍ନ ପରି ସର୍ବୋଚ୍ଚ ସମ୍ମାନର ହକଦାର୍ ଥିବା ଏହି ପ୍ରବାଦ ପୁରୁଷଙ୍କୁ ଏପର୍ଯ୍ୟନ୍ତ ସମ୍ମାନିତ କରାଯାଇ ପାରିନାହିଁ । ଏହା ପ୍ରତ୍ୟେକ ଓଡ଼ିଆ ତଥା ଭାରତୀୟଙ୍କ ଲାଗି ପରିତାପର ବିଷୟ । ବିଜୁ ପଟ୍ଟନାୟକଙ୍କୁ ମରୋଣତ୍ତର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଅନେକ ବୁଦ୍ଧୀଜୀବୀ ଦାବି କରିବା ପ୍ରକୃତରେ ଯଥାର୍ଥ ଅଟେ ।

ବିଜୁ ବାବୁଙ୍କ ଛାତ୍ରଜୀବନର ଏକ ଘଟଣାରୁ ଜାଣିହୁଏ ଯେ, ପିଲାଟି ଦିନରୁ ହିଁ ତାଙ୍କ ଭିତରେ ଭରି ରହିଥିଲା ଦେଶମାତୃକା ପ୍ରତି ଭକ୍ତି । ୧୯୨୪ ମସିହାର ଘଟଣା । ସେତେବେଳେ ବିଜୁ ପଟ୍ଟନାୟକ ଖୁବ୍ ଛୋଟଥିଲେ । ମହାତ୍ମା ଗାନ୍ଧୀ କଟକ ଆସିଥାଆନ୍ତି । ଏକ ବିଶାଳ ଜନସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ଗାନ୍ଧୀ । କଟକ ଗସ୍ତ ସମୟରେ ମହାତ୍ମା ଗାନ୍ଧୀ ରେଭେନ୍ସା କଲଜିଏଟ୍ ସ୍କୁଲରେ ଅବସ୍ଥାନ କରୁଥାଆନ୍ତି । ତାଙ୍କୁ ଦେଖିବାକୁ ପ୍ରବଳ ଜନ ସମାଗମ ହେଉଥାଏ । ଛାତ୍ର ଭାବେ ବିଜୁ ମଧ୍ୟ ଚାହୁଁଥିଲେ ମହାତ୍ମା ଗାନ୍ଧୀଙ୍କୁ ଅତି ନିକଟରୁ ଦେଖିବାକୁ ।

ସ୍କୁଲ ପରିସରରେ ହଜାର ହଜାର ପୁରୁଷ ଓ ମହିଳା ରୁଣ୍ଡ ହୋଇ ମହାତ୍ମାଙ୍କୁ ଟିକେ ଦେଖିବାକୁ ଭିଡ଼ ଜମାଇଥାଆନ୍ତି । ପ୍ରବଳ ଭିଡ଼ ଯୋଗୁଁ ପୋଲିସ ଲୋକମାନଙ୍କୁ ଲାଠି ପ୍ରହାର କରି ଘଉଡ଼ାଇବାକୁ ଲାଗିଲା । କୋମଳମତି ଛାତ୍ର ବିଜୁ ମଧ୍ୟ ପୋଲିସଠୁ ମାଡ଼ ଖାଇଲେ । ବିଜୁ ପୋଲିସକୁ ପାନେ ଦେବାକୁ ଉପାୟ ପାଞ୍ଚିଲେ । ବିଜୁ ବାବୁ ସବୁବେଳେ ମଉକା ଖୋଜୁଥାଆନ୍ତି । ବ୍ରିଟିଶ୍ ସୈନ୍ୟଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ସବୁବେଳେ ସୁଯୋଗ ଉଣ୍ଡୁଥାଆନ୍ତି ।

କଟକ ବାରବାଟୀ ଦୂର୍ଗ ନିକଟରେ ବ୍ରିଟିଶ୍ ଫଉଜଙ୍କ ଛାଉଣୀ ପଡ଼ିଥାଏ । ବ୍ରିିଟିଶ୍ ସୈନ୍ୟଙ୍କୁ ଲକ୍ଷ୍ୟ କରି ବିଜୁ ଟେକା ପକାଇଥିଲେ । ବ୍ରିଟିଶ୍ ପୋଲିସଠାରୁ ମାଡ଼ ଖାଇବାର ରାଗ ତାଙ୍କର ସେଦିନ ସୁଝି ଯାଇଥିଲା ।

 

Leave A Reply

Your email address will not be published.