Latest Odisha News

BREAKING NEWS

ଶ୍ରୀମନ୍ଦିରରେ ପଞ୍ଚୁକ ବ୍ରତ, ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିବା ବେଳେ ଦୀର୍ଘ ଦୁଇ ବର୍ଷର ପ୍ରତୀକ୍ଷା ପରେ ଏହି ଦୁର୍ଲଭ ବେଶ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।

ସକାଳୁ ସକାଳୁ ଦ୍ୱାରଫିଟା ପରେ ମଙ୍ଗଳ ଆଳତି, ମଇଲମ,ତଡପଲାଗି ଓ ଅବକାଶ ନୀତି ଶେଷ ହେବାପରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥିଲା । ପୁଷ୍ପାଳକ ସେବକ ଶ୍ରୀଜୀଉଙ୍କୁ ଏହି ଦୁର୍ଲଭ ବେଶରେ ବିଭୂଷିତ କରିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀଭୂଜ, ଶଙ୍ଖଚକ୍ର ଓ ବଡଭାଇ ବଳଭଦ୍ର ହଳ ମୂଷଳ ଧାରଣ କରିଥିଲେ ।

ଆଷାଢ଼ ଶୁଳ୍କ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥିବା ବେଳେ କାର୍ତ୍ତିକ ଶୁଳ୍କ ପକ୍ଷ ଏକାଦଶୀ ବା ବଡ଼ ଏକାଦଶୀ ଆଜିର ତିଥିରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଥାନ୍ତି । ଯାହାକୁ ହରିଉଥାପ୍ପନ ଏକାଦଶୀ କୁହାଯାଏ । ସେପଟେ ଗତ ୨୫ ଦିନଧରି ରାଇଦାମୋଦରଙ୍କୁ ପୂଜା କରୁଥିବା ହବିଷ୍ୟାଳି ଆଜିଠାରୁ ଚଉରା ମୂଳେ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରିଛନ୍ତି । ମୁରୁଜରେ କପୋତ କପୋତି ସ୍ଥାନରେ ବଗବଗୁଲି ଆଙ୍କି ପଞ୍ଚକ ବ୍ରତ ପାଳୁଛନ୍ତି ହବିଷ୍ୟାଳି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ବେଶ୍ ଖୁସି ପ୍ରକଟ କରିଛନ୍ତି ହବିଷ୍ୟାଳି ଓ ଶ୍ରଦ୍ଧାଳୁ ।

ଆଜି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଠେଲା ପେଲା ଯୋଗୁଁ ଅନେକ ଦର୍ଶନରୁ ବଞ୍ଚିତ ହୋଇ ଥିଲେ । କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଥିବା ବେଳେ ଅନ୍ୟ ୩ ଦ୍ୱାର ଦେଇ ଛଡ଼ା ଯାଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ମରଚିକୋଟ ଛକଠାରୁ ଅସ୍ଥାୟୀ ବ୍ୟାରିକେଡ ମଧ୍ୟ ଦେଇ ଶ୍ରଦ୍ଧାଳୁ ମାନଙ୍କୁ ଛଡ଼ାଯାଇଥିଲା । ଆସନ୍ତାକାଲି ବାଙ୍କଚୂଡ଼ ବେଶ, ବୁଧବାର ଡାଳିକିଆ ବା ତ୍ରିବିକ୍ରମ ବେଶ, ଗୁରୁବାର ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ ।

Leave A Reply

Your email address will not be published.