Latest Odisha News

BREAKING NEWS

୯ ଦଫା ଦାବି ନେଇ ସୋନପୁରରେ ଡ୍ରାଇଭର ମହାସଂଘର ଦଣ୍ଡବତ ପ୍ରତିବାଦ

ସୋନପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡ୍ରାଇଭର ମହାସଂଘର ଦଣ୍ଡବତ ପ୍ରତିବାଦ ଜାରି ରହିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ସୋନପୁର ସହରର ସୁରେଶ୍ବରୀ ମନ୍ଦିରରୁ ଡ୍ରାଇଭର ମାନେ ଦଣ୍ଡବତ ଯାତ୍ରା କରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମହାସଂଘର କାର୍ଯ୍ୟକର୍ତ୍ତା ମାନେ ପ୍ରତିବାଦ କରିବା ସହ ୯ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ତଥା ଦୁର୍ଘଟଣାରେ ଅର୍କମଣ୍ୟ ହେଉଥିବା ଡ୍ରାଇଭରମାନଙ୍କୁ ୧୦ ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ କରିବା ସହିତ ୫୫ ବର୍ଷ ପରେ ପେନସନ ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଏପରିକି ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ମାନଙ୍କୁ ସୁରକ୍ଷା ଦେବା ସହିତ ରାଜ ରାସ୍ତାରେ ଡ୍ରାଇଭର ମାନଙ୍କୁ ହଇରାଣ କରା ନଯାଉ ବୋଲି ଦାବି କରିଛନ୍ତି । ୯ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଇଛି ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର ମହାସଂଘ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭରମାନେ ।

Comments are closed.