Latest Odisha News

BREAKING NEWS

ପଞ୍ଚୁକର ପ୍ରଥମ ଦିନ; ଖାଁ ଖାଁ ଧବଳେଶ୍ବର ପୀଠ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ଭାବରେ ପାଳନ କରାଯାଏ। ପ୍ରତିବର୍ଷ ପଞ୍ଚୁକ ଓ ବଡଓଷା ପାଳନ କରିବାକୁ ଧବଳେଶ୍ଵର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳେ। ପ୍ରତିବର୍ଷ ଏହି ଶୈବ ପୀଠରେ ବେଶ୍ ଧୁମଧାମର ସହ ପଞ୍ଚୁକ ଓ ବଡଓଷା ପାଳନ କରାଯାଏ। ଲକ୍ଷାଧିକ ଭକ୍ତଙ୍କର ଏଠାରେ ଜନସମାଗମ ଘଟେ। ଜନ ସମୁଦ୍ର ହୋଇଯାଏ ବାବାଙ୍କ ପୀଠ।

ମାତ୍ର ଚଳିତ ଥର ସବୁ ଖାଁ ଖାଁ। କୋଭିଡ କଟକଣା ଯୋଗୁଁ ଖାଲି ପଡ଼ିଛି ବାବା ଧବଳେଶ୍ବରଙ୍କ ପୀଠ। ପୂଜାପର୍ବ ସିନା ହେଉଛି ମାତ୍ର ମନରେ ସେହି ଖୁସି ଆଉ ନାହିଁ।

କୋଭିଡ ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ଚଳିତ ଥର ବିନା ଭକ୍ତରେ ଏଠାରେ ପଞ୍ଚୁକ ଯାତ୍ରା ଅନୁଷ୍ଠିତ ହେବ।

ଚଳିତବର୍ଷ ବାବାଙ୍କର ପ୍ରସିଦ୍ଧ ପଞ୍ଚୁକ ଓ ବଡ଼ଓଷା ପର୍ବର ସମସ୍ତ ନୀତିକାନ୍ତି, ଠାକୁରଙ୍କ ବେଶ ଆଦି ପୂଜକ ସମିତି ସଦସ୍ୟ ଓ ଦେବୋତ୍ତର ବିଭାଗ ସହଯୋଗରେ କୋଭିଡ୍‌ କଟକଣା ମଧ୍ୟରେ ବିନା ଭକ୍ତରେ ପାଳନ କରାଯିବ।

ଶ୍ରଦ୍ଧାଳୁମାନଙ୍କୁ ପୀଠକୁ ଆସିବା ନେଇ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ପୀଠ, ପୀଠ ଚତୁଃପାର୍ଶ୍ୱ, ପୀଠକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ ଏବଂ ପାଇକେରାପୁର ଭୂୟାଁ ଯୋରଠାରୁ ବିଦ୍ୟାଧରପୁର ଛକ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ। ଏହା ୩୦ତାରିଖ ପବିତ୍ର ରାସପୂର୍ଣ୍ଣିମା ପର୍ଯ୍ୟନ୍ତ ବଳବତ୍ତର ରହିବ।

ପଞ୍ଚୁକ ଓ ବଡ଼ଓଷା ବ୍ରତଧାରୀ ଭକ୍ତମାନେ ଘରେ ରହି  ଧବଳେଶ୍ୱରଙ୍କୁ ଆରାଧନା କରିବା ପାଇଁ ଏହି ଅବସରରେ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି।

ଏଥିସହ ଗଜଭୋଗକୁ ରାସ୍ତାପାର୍ଶ୍ବ କିମ୍ବା ଅନ୍ୟ ସ୍ଥାନରେ ଯେପରି ବିକ୍ରି କରା ନ ଯିବ ସେଥିପ୍ରତି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି। ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି ସମ୍ପନ୍ନ କରିବା, ଆଇନଶୃଙ୍ଖଳା ଓ ୧୪୪ଧାରା ଜାରି ସ୍ଥାନଗୁଡ଼ିକରେ କଡ଼ା ପୁଲିସ ପ୍ରହରା ବ୍ୟବସ୍ଥା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ୯ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.