Latest Odisha News

BREAKING NEWS

‘ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍’

କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜନଗର ବିଧାନସଭା ଅଞ୍ଚଳରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ଯୋରଦାର ପ୍ରଚାର । ଏହି ସମୟରେ ସେ ବିରୋଧୀଙ୍କୁ କୁମ୍ଭୀର ସହ ତୁଳନା କରିଛନ୍ତି । ଲୋକଙ୍କୁ ପଚାରିଛନ୍ତି ଆପଣ ଜାଣିଛନ୍ତି କୁମ୍ଭୀର କିଏ ! ଏ ଅଞ୍ଚଳରେ ଧଳା କଳା ସବୁ ପ୍ରକାର କୁମ୍ଭୀର ଅଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।

ପାଣ୍ଡିଆନ ଆହୁରି କହିଛନ୍ତି, ବାହାରୁ ନେତା ଆଣି ପ୍ରଚାର କରୁଛନ୍ତି, ବର୍ଷା, ବାତ୍ୟା, ବନ୍ୟା ବେଳେ ସେମାନେ କୋଉଠି ଥିଲେ ? ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍ । ବିଜେପି ଲୋକସଭା ପ୍ରାର୍ଥୀ ଟୁରିଷ୍ଟ ଭିସା ରେ ଆସିଛନ୍ତି । ପାଞ୍ଚ ବର୍ଷରେ ଥରେ ଏମାନଙ୍କର ଦେଖା ମିଳିବ । ନିର୍ବାଚନ ପରେ ଆଉ ଆସିବେନି । ବନ୍ୟା ଓ ବାତ୍ୟାରେ ଖୋଜିଲେ ବି ମିଳିବେନି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ସୁଖ ରେ ଦୁଃଖ ରେ ସବୁବେଳେ ସାଥିରେ ଅଛନ୍ତି ଓ ରହିବେ ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

ରାଜନଗର ଅଞ୍ଚଳରୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଜଣଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି, ଆପଣମାନେ ତାଙ୍କୁ ଲକ୍ଷାଧିକ ଭୋଟ୍ ରେ ଜିତାନ୍ତୁ, ମୁଖ୍ୟମନ୍ତ୍ରୀଙ୍କ, ଆପଣଙ୍କ ଅଞ୍ଚଳର ଓ ଆମ ସମସ୍ତଙ୍କର ସମ୍ମାନ ରଖନ୍ତୁ । ରାଜନଗର ଅଞ୍ଚଳରେ ବିଭିନ୍ନ ରୂପାନ୍ତର କାମ – ମଠ, ମନ୍ଦିର, ମସଜିଦ, ରାସ୍ତାଘାଟ ସବୁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପାଣ୍ଡିଆନ ହିସାବ ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ବିଜେପି ଦଳ ବଡ ବଡ ନେତା ଆଣୁଛନ୍ତି, ବହୁତ ବଡ ବଡ କଥା ବି କହୁଛନ୍ତି, ମିଠା ମିଠା କଥା ବି କହୁଛନ୍ତି । ୨୦୧୪ ବିଜେପି ଇସ୍ତାହାରରେ ସେମାନେ କହିଥିଲେ ଦରଦାମ କମାଇବେ, କମିଲା କି ? ପେଟ୍ରୋଲ, ଡିଜେଲ, ଏଲପିଜି ଦାମ୍‌ କମିଲା କି ବୋଲି ପ୍ରଶ୍ନ କରିଛନ୍ତି ।

ସେ ଦମ୍ଭ ଦେଖାଇ କହିଛନ୍ତି ସାରା ଓଡିଶା ଗୋଟିଏ ସ୍ୱରରେ କହୁଛି ଜୁନ୍ ୯ରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ, ଦ୍ୱିତୀୟ ଦସ୍ତଖତରେ ବିଏସକେଓ୍ବାଇ କାର୍ଡରେ ସମସ୍ତେ ସାମିଲ ହେବେ, ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମାଆ ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା କରିବେ ।

ସବୁ ପ୍ରଶ୍ନର ଗୋଟିଏ ଉତ୍ତର – ନବୀନ ପଟ୍ଟନାୟକ । ମିଶନ ଶକ୍ତି, ବିଏସକେଓ୍ବାଇ ଲକ୍ଷ୍ମୀ, ମଧୁବାବୁ ପେନ୍‌ସନ, ନୂଆ ଓ ଆଦି ସବୁ ଯୋଜନା କିଏ କରିଛି ବୋଲି ଶେଷରେ ଜନତାଙ୍କୁ ପ୍ରଶ୍ନ କଲେ ପାଣ୍ଡିଆନ ।

Comments are closed.