Latest Odisha News

BREAKING NEWS

ଆର ପାରିରେ ମହାନ ସନ୍ତୁର ବାଦକ ପଣ୍ଡିତ ଶିବକୁମାର

ମୁମ୍ବାଇ: ଭାରତର ମହାନ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଶିବକୁମାର ଶର୍ମାଙ୍କ ଆଜି ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଡନୀ ସମସ୍ୟା ଯୋଗୁ ସେ ୬ ମାସ ଅସୁସ୍ଥ ଥିଲେ ହଠାତ ହୃଦଘାତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଜମ୍ମୁ-କଶ୍ମୀରର ବାଦ୍ୟ ସନ୍ତୁରକୁ ସେ ଶାସ୍ତ୍ରୀୟ ସଙ୍ଗୀତ ସହ ଯୋଡି ଚର୍ଚ୍ଚାକୁ ଆସିଥିଲେ । ତାଙ୍କରି ଉଦ୍ୟମ ବଳରେ ସନ୍ତୁର ବାଦ୍ୟ ଆନ୍ତର୍ଜାତୀୟସ୍ତରରେ ପରିଚିତ ହୋଇଥିଲା ।

ପ୍ରିୟ ବନ୍ଧୁ ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ବଲିଉଡରେ ଅନେକ ମଧୁର ସଙ୍ଗୀତ ପ୍ରସ୍ତୁତ କରିଥିଲେ । ଶିବ-ହରି ଭାବେ ପରିଚିତ ଏହି ଯୋଡି ୟଶ ଚୋପ୍ରାଙ୍କ ଅତି ନିକଟତର ଥିଲେ । ଏହି କମ୍ବିନେଶନ ସିଲସିଲା, ଲମହେ, ଚାନ୍ଦିନୀ, ଫାସଲେ, ବିଜୟ, ପରମ୍ପରା, ସାହିବାନ ଓ ଡର ପରି ସୁପରହିଟ ଫିଲ୍ମରେ ସଙ୍ଗୀତ ଦେଇଥିଲେ । ଚଳିତ ମାସରେ ସେ ତାଙ୍କ ବନ୍ଧୁଙ୍କ ସହ ଏକ ଲାଇଭ କନସର୍ଟରେ ଯୋଗ ଦେବେ ବୋଲି କଥା ଦେଇଥିଲେ । ତେବେ ଏହା ଅଧୁରା ରହିଗଲା । ପଦ୍ମବିଭୂଷଣ ପଣ୍ଡିତ ଶର୍ମାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ନାମୀ ଦାମୀ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

ଜମ୍ମୁରେ ୧୩ ଜାନୁୟାରୀ ୧୯୩୮ରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ଶର୍ମା ୫ ବର୍ଷ ବୟସରୁ ସଙ୍ଗୀତ ପ୍ରତି ମନ ବଳାଇଥିଲେ । ତାଙ୍କ ବାପା ଉମାଦତ ଶର୍ମା ମଧ୍ୟ ଜଣେ ଉଚ୍ଚକୋଟୀର ସଙ୍ଗୀତକାର ଓ ଗାୟକ ଥିଲେ । ସେ ଶିବକୁମାରଙ୍କୁ ସଙ୍ଗୀତ ଶିଖିବା ପାଇଁ ପ୍ରୋତ୍ସାହିତ କରିଥିଲେ । ୧୯୫୫ରେ ୧୭ ବର୍ଷ ବୟସରେ ସେ ମୁମ୍ବାଇରେ ତାଙ୍କର ପ୍ରଥମ ଶୋ କରିଥିଲେ । ତାଙ୍କ ସହ ପଣ୍ଡିତ ହରି ପ୍ରସାଦ ଚୌରାଶିଆ ଏଠାରେ ଯୋଡି ହୋଇଥିଲେ । ସେବେଠାରୁ ଆଉ ସେମାନେ ପଛକୁ ଚାହିଁ ନ ଥିଲେ ।

Leave A Reply

Your email address will not be published.