Latest Odisha News

BREAKING NEWS

ଖୋର୍ଦ୍ଧା ବନଖଣ୍ଡର ସଫଳତା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଚଢ଼ାଉ, ୨ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଖୋର୍ଦ୍ଧା ବନଖଣ୍ଡ ଟିମର ଅତର୍କିତ ଚଢ଼ାଉ । ଏଥିରେ ନଗଦ ବାହାର କରାଯାଇଥିବା ମାଂସ ଲଗା ୪କିଲୋଗ୍ରାମ କାତି ଜବତ କରାଯାଇଛି । ଚଢ଼ାଉବେଳେ ଦୁଇଜଣ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ଧଳା ପଥର ଅଞ୍ଚଳରେ ହୋଇଛି ଚଢ଼ାଉ । ଏହି ସମୟରେ ବନ କର୍ମଚାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।

ସୂଚନା ଅନୁସାରେ, ଗତ ୩ଦିନ ହେଲା ଖୋର୍ଦ୍ଧା ବନଖଣ୍ଡ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବସେଇଥିଲା । ପ୍ରଥମେ ଜୀବନ୍ତ ବଜ୍ରକାପ୍ତା ପାଇଁ ଡ଼ିଲ ହୋଇଥିଲା । ବଜ୍ରକାପ୍ତାଟି ମରିଯିବାରୁ ଅଭିଯୁକ୍ତମାନେ ମୃତ ଦେହକୁ କାଟି କାତିକୁ ବାହାର କରି ଏକ ସିମେଣ୍ଟ ଅଖା ଭିତରେ ପୁରାଇ ଆଣିଥିଲେ । ଖୋର୍ଦ୍ଧା ଡ଼ିଏଫଓଙ୍କ ନିର୍ଦ୍ଦେଶକ୍ରମେ ୩ଟି ଟିମ୍ ଗଠନ ହୋଇଥିଲା । ଏହି ୩ଟି ଟିମ୍ରେ ଖୋର୍ଦ୍ଧା ଏସିଏଫ୍ ଅରବିନ୍ଦ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବାଧାରକ ଶୁଭେନ୍ଦୁ ମଲ୍ଲିକ, ଖୋର୍ଦ୍ଧା ଏସିଏଫ୍ ଗୋବିନ୍ଦ ବିଶ୍ୱାଳ, ଖୋର୍ଦ୍ଧା ରେଞ୍ଜର ଅସିତ ମିଶ୍ର ରହି ଯୋଜନା ପ୍ରସ୍ତୁତ କରିଥିଲେ ।

ଅଭିଯୁକ୍ତ ଦୁଇଜଣ କିଛି ସହଯୋଗୀଙ୍କ ସହିତ ଏକ ସିମେଣ୍ଟ ଅଖାରେ ବଜ୍ରକାପ୍ତା କାତି ଆଣି ଅରବିନ୍ଦ ମହାନ୍ତିଙ୍କ ଟିମକୁ ଦେଖାଇଥିଲେ । ଏହି ସମୟରେ ଚଢ଼ାଉ କରାଯାଇଥିଲା । ଜଣେ ଅଭିଯୁକ୍ତ ଧାନ ବିଲରେ ପଶି ଦୌଡ଼ି ପଳେଇବା ପାଇଁ ଚେଷ୍ଟା କରିଥିଲେ । ତେବେ ସବୁ ପ୍ରତିରୋଧ ସତ୍ତେ୍ୱ ଖୋର୍ଦ୍ଧା ବନଖଣ୍ଡ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତମାନେ କେଉଁଠୁ ଜୀବନ୍ତ ବଜ୍ରକାପ୍ତାଟି ଆଣିଥିଲେ, କେମିତି ମରିଗଲା ଓ କିଏ ତାକୁ କାଟି ତାର କାତି ସବୁକୁ ବାହାର କଲା ତାହାକୁ ନେଇ ତଦନ୍ତ କରାଯିବ ।

Leave A Reply

Your email address will not be published.