Latest Odisha News

ପଦ୍ମପୁର ରେଞ୍ଜରେ ଗାଈକୁ ମାରି ଖାଇଲା ମହାବଳ ବାଘ, ଆତଙ୍କିତ ଲୋକେ

ରାୟଗଡ଼ା: ପୁଣି ରାୟଗଡାରେ ଆତଙ୍କ ଖେଳେଇଲା ମହାବଳ ବାଘ । ଜିଲ୍ଲାର ପଦ୍ମପୁର ରେଞ୍ଜ ର ଆମ୍ବଖୁଲା ଗ୍ରାମ ନିକଟରେ ଆଜି ଏକ ଗାଈକୁ ଘୋଷାଡି ଖାଇଛି ବାଘ କିନ୍ତୁ ବାଘକୁ ବର୍ତ୍ତମାନ ସୁଦ୍ଧା କାବୁ କରିବାରେ ଅସଫଳ ରହିଛି ବନ ବିଭାଗ ।

ସୂଚନା ମୁତାବକ, ଆମ୍ବଖୁଲା ଗ୍ରାମର ଜଣଙ୍କ ଗାଈ ଆଜି ସକାଳୁ ନିଖୋଜଥିଲା । ତେବେ ଗାଈକୁ ଖୋଜିବାରେ ବିଫଳ ହେବା ପରେ ସେ ସନ୍ଦେହ କରିଥିଲେ ଯେ ବାଘଟି ଏହାକୁ ନେଇଥାଇପାରେ ବୋଲି । ଏନେଇ ଗ୍ରାମବାସୀ ଘଟଣା ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଗାଈର ଦୁଇଟି ଗୋଡ଼ ପଡ଼ିଥିବା ବନ ବିଭାଗ କର୍ମଚାରୀ ଦେଖିଥିଲେ । ଉକ୍ତ ରେଞ୍ଜରେ ବାଘର ପାଦ ଚିହ୍ନ ଠାବ ହୋଇଛି ।

ଗତ କିଛି ଦିନ ହେବ ଜିଲ୍ଲାର ଗୁଡାରୀ, ପଦ୍ମପୁର, ମୁନିଗୁଡା ଏବଂ ଗୁଣୁପୁର ରେଞ୍ଜ ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳରେ ଏହି ବାଘଟି ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଡିସେମ୍ବର 12 ରେ ଏହା ତେମ୍ବାଗୁଡା ଗ୍ରାମ ନିକଟରେ ଏକ ବାଛୁରୀକୁ ମାରି ଖାଇଥିଲା ​​। ଭୋକିଲା ଥିବାରୁ ଗୃହପାଳିତ ପଶୁକୁ ଟାର୍ଗେଟ କରୁଛି । ବର୍ତ୍ତମାନ ପଦ୍ମପୁର ଏବଂ ଗୁଣୁପର ରେଞ୍ଜ ଭିତରେ ବାଘ ବୁଲୁଥିବା ବନ ବିଭାଗ ଜାଣିପାରିଛି ।

କେବଳ ବାଘର ପାଦ ଚିହ୍ନ ନଦୀତଟରେ ଏବଂ ଜଙ୍ଗଲ ଭିତରେ ମିଳୁଛି । ବାଘ ବୁଲୁଥିବା ସ୍ଥାନରେ ରହିଥିବା ଗ୍ରାମଗୁଡିକରେ ବନ ବିଭାଗ ପକ୍ଷରୁ ସତର୍କତା ବାର୍ତ୍ତା ଦିଆଯାଉଥିବା ଦେଖିବାକୁ ମିଳିଛି । ରାତିରେ ଯେତେ କାମ ଥିଲେ ମଧ୍ୟ ଘରୁ ପଦାକୁ ବାହାରିବାକୁ ମନା କରାଯାଇଛି। ରାତିରେ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଉଛି । ସେହିପରି ଦିନରେ ମଧ୍ୟ ଜଙ୍ଗଲରେ ନପଶିବାକୁ ଅନୁରୋଧ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗାଁରେ ମଣିଷ ଉପରେ ବାଘ ଆକ୍ରମଣ କରନଥିବାରୁ ହୁଏତ ବାଘ ମଣିଷର ସଂସ୍ପର୍ଶରେ ଆଜି ପର୍ଯ୍ୟନ୍ତ ଆସିପାରି ନାହିଁ ।

Leave A Reply

Your email address will not be published.