ମୁମ୍ବାଇ: ରିଷଭ ପନ୍ତ ଓ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ (ଏଲଏସଜି) ଚଳିତ ଆଇପିଏଲ ସିଜନରେ ଦର୍ଶକଙ୍କ ଆଶା ପୂରଣ କରିପାରି ନାହାନ୍ତି। ଚାରୋଟି ମ୍ୟାଚ୍ ଖେଳିସାରିଥିବା ଏଲଏସଜିର ଅଧିନାୟକ ପନ୍ତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ବିଫଳ ହୋଇଛନ୍ତି। ମୁମ୍ବାଇର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଚମତ୍କାର ବଲରେ ପନ୍ତଙ୍କୁ ଆଉଟ କରି ଦେଇଛନ୍ତି। ଏହି ମ୍ୟାଚ ପୂର୍ବରୁ ତିନୋଟି ମ୍ୟାଚରେ ପନ୍ତ ଭଲ ପ୍ରଦର୍ଶନ କରିପାରି ନଥିଲେ। ୨୭ କୋଟି ଟଙ୍କାରେ କିଣା ହୋଇଥିବା ଏହି ଖେଳାଳିଙ୍କ ପ୍ରଦର୍ଶନ ଭଲ ନାହିଁ । ତେଣୁ ସେ ଏବେ ଚାପରେ ରହିଥିବା ଜଣାପଡ଼ୁଛି।
ମୁମ୍ବାଇ ବିପକ୍ଷରେ ହାର୍ଦ୍ଦିକ ଏକ ସର୍ଟ ଲେଙ୍ଗଥ୍ ବଲ ଫିଙ୍ଗିଥିଲେ। ପନ୍ତ କିନ୍ତୁ ଖେଳିବାକୁ ଚେଷ୍ଟା କରିବାରୁ ମିଡ୍-ଅଫରେ ଏହା ଉଠିଯାଇଥିଲା । ଫଳରେ ପାଖରେ ଥିବା ଫିଲ୍ଡର ସେହି କ୍ୟାଚକୁ ସହଜରେ ଧରି ନେଇଥିଲେ। ପନ୍ତ ଆଉଟ ହେବା ପରେ ଏଲଏସଜି ମାଲିକ ସଞ୍ଜୀବ ଗୋଏଙ୍କାଙ୍କୁ ବଡ଼ ପରଦାରେ ଦେଖାଯାଇଥିଲା। ସେ ନିରାଶ ଓ ଅସନ୍ତୁଷ୍ଟ ଦେଖାଯାଉଥିଲେ।
ଏଲଏସଜି ମେଗା ନିଲାମରେ ୨୭ କୋଟି ଟଙ୍କା ଖର୍ଚ୍ଚ କରି ପନ୍ତଙ୍କୁ କିଣିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପନ୍ତ କୌଣସି ମ୍ୟାଚରେ ଭଲ ପ୍ରଦର୍ଶନ କରି ନାହାନ୍ତି। ପ୍ରଥମ ମ୍ୟାଚରେ ତାଙ୍କ ପୁରୁଣା ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ଶୂନରେ ଆଉଟ ହୋଇଥିଲେ। ତା’ପରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମଧ୍ୟ ସେ କମ ରନ୍ କରି ପାଭିଲିୟନକୁ ଫେରିଥିଲେ। ମୁମ୍ବାଇ ବିପକ୍ଷ ମ୍ୟାଚରେ ସମସ୍ତେ ତାଙ୍କଠାରୁ ବଡ଼ ଇନିଂସର ଆଶା ରଖିଥିଲେ, କିନ୍ତୁ ସେ ପୁଣି ନିରାଶ କରିଛନ୍ତି।
ତେବେ ପନ୍ତଙ୍କ ବିଫଳତା ସତ୍ତ୍ୱେ ଏଲଏସଜି ୨୦୦ ରନ୍ ପାର କରି ୨୦୩/୮ ସ୍କୋର କରିବାରେ ସଫଳ ହୋଇଥିଲା। ଆଉ ଦଳ ୧୨ ରନରେ ବିଜୟୀ ହୋଇଛି । ମିଚ୍ ମାର୍ଶ ପୁଣି ଏକ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ଏଲଏସଜିକୁ ଶକ୍ତ ଆରମ୍ଭ ଦେଇଥିଲେ। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ପାଞ୍ଚଟି ୱିକେଟ ନେଇଥିଲେ । ତେବେ ଟାର୍ଗେଟ ପିଛା କରି ମୈଦାନକୁ ଓହ୍ଲାଇଥିବା ମୁମ୍ବାଇ ଖରାପ ପ୍ରଦର୍ଶନ ପାଇଁ ହାରିଯାଇଛି ।
Comments are closed.