ଦୁବାଇ: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ଜେଦାହରେ ଆରମ୍ଭ ହୋଇଛି । ନିଲାମରେ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି । ଏହା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୦୨୪ ନିଲାମରେ ୨୪.୭୫ କୋଟି ଟଙ୍କାରେ ନେଇ ଇତିହାସ ରଚିଥିଲା । ଏଥର ପ୍ରଥମେ ଶ୍ରେୟାଶ ଆୟାର ଏବଂ ପରେ ପନ୍ତ ଏହି ରେକର୍ଡ ଭଙ୍ଗ କରି ଦାମୀ ଖେଳାଳି ହୋଇଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କ୍ରୟ କରିଛି ।
ତାଙ୍କ ପୂର୍ବରୁ ଶ୍ରେୟାଶ ଆୟାରଙ୍କୁ ପଞ୍ଜାବ କିଙ୍ଗସ ୨୬.୭୫ କୋଟି ଟଙ୍କାରେ ନେଇଥିଲେ । ପନ୍ତଙ୍କ ବେସ ପ୍ରାଇସ ୨ କୋଟି ରହିଥିଲା । ଲକ୍ଷ୍ନୌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ତାଙ୍କୁ ନେବା ପାଇଁ ନିଲାମ ଡାକିଥିଲେ । ୧୦କୋଟିରେ ଡାକରା ପଂହଚିବା ପରେ ଏଥିରେ ହାଇଦ୍ରାବାଦ ସାମିଲ ହୋଇଥିଲା । ଲକ୍ଷ୍ନୌ ଓ ହାଇଦ୍ରାବାଦ ମଧ୍ୟରେ ଏହା ପରେ କଡା ଟକ୍କର ଦେଖିବାକୁ ମିଳିଥିଲା । ୨୦.୭୫ କୋଟି ପ୍ରାଇସରେ ଏହା ପଂହଚିବା ପରେ ହାଇଦ୍ରାବାଦ ଓହରି ଯାଇଥିଲା ।
ଦିଲ୍ଲୀ ଏହା ପରେ ଆରଟିଏମର ବ୍ୟବହାର କରିଥିଲା । ଲକ୍ଷ୍ନୌ ୨୭ କୋଟିର ପ୍ରସ୍ତାବ ଦେଇଥିଲା । ଶେଷରେ ଦିଲ୍ଲୀ ଓହରି ଯାଇଥିଲା । ଅନ୍ୟ ପ୍ରମୁଖ ଖେଳାଳିମାନଙ୍କ ମଧ୍ୟରେ ମହମ୍ମଦ ସିରାଜଙ୍କୁ ଗୁଜରାଟ ଟାଇଟାନ୍ସ ୧୨.୨୫ କୋଟିରେ ନେଇଥିଲା । ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ପଞ୍ଜାବ କିଙ୍ଗସ ଭଲ ପ୍ରାଇସରେ ନେଇଛି । ଚହଲଙ୍କୁ ନେବା ପାଇଁ ପଞ୍ଜାବ ୧୮ କୋଟି ବ୍ୟୟ କରିଥିଲା । ସେହିପରି ସନରାଇଜର୍ସ ହାଇଦ୍ରାବାଦ ମହମ୍ମଦ ସାମୀଙ୍କୁ ୧୦ କୋଟରେ କ୍ରୟ କରିଛି ।