Latest Odisha News

BREAKING NEWS

ଫିଲ୍ମ ପୋଷ୍ଟରକୁ ନେଇ ବିବାଦରେ ପପୁ ପମପମ୍, ଥାନାକୁ ଗଲା ମାମଲା

ଭୁବନେଶ୍ୱର: ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମ୍ କାଷ୍ଟିଂ କାଉଚ୍ ବିବାଦରେ ଫସି ପୂର୍ବରୁ ଚର୍ଚ୍ଚାରେ ରହିଥିବା ସମୟରେ ଏବେ ପୁଣି ଏକ ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ଚର୍ଚ୍ଚାରେ ।

ମିଳିଥିବା ସୂଚନାନୁଯାୟୀ, ପପୁଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର୍ କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦ ଉପୁଜିଛି । ଏହି ସିନେମା ପୋଷ୍ଟରରେ ନାୟକ ପପୁ ୭ ଜଣ ଝିଅଙ୍କୁ ଦଉଡ଼ିରେ ବାନ୍ଧି ଟାଣୁଥିବାର ଦୃଶ୍ୟ ରହିଛି, ଯାହାକି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ମହିଳା ଥାନାରେ ସମାଜସେବୀ ଲିଙ୍କନ୍ ସୁବୁଦ୍ଧି ଏନେଇ ଏକ ଲିଖିତ ଅଭିଯୋଗ କରିଥିବା ସୂତ୍ରରୁ ଜଣାପଡ଼ିଛି ।

ଏହି ପୋଷ୍ଟରକୁ ନେଇ ସୋସିଆଲ୍ ମିଡ଼ିଆରେ ବହୁ ବରିଷ୍ଠ ବୁଦ୍ଧିଜୀବୀମାନେ ନାପସନ୍ଦ କରିଥିବା ବେଳେ ପପୁଙ୍କର ଏହି ପୋଷ୍ଟର୍ ଫଟୋଟିକୁ ନେଇ ନିନ୍ଦା ମଧ୍ୟ କରିଛନ୍ତି । ଏହି ପୋଷ୍ଟରଟିକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଦାବି ସାଧାରରଣରେ ଦାବି ହେଉଛି ।

ଏହାକୁ ନେଇ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲ୍ଲି କହିଛନ୍ତି, ରିଲିଜ୍ ପୂର୍ବରୁ ଏହି ପୋଷ୍ଟରଟିକୁ ବାହାର କରିଦେବା ଉଚିତ୍ । “ନିକଟରେ ପପୁ ପମପମ୍ କାଷ୍ଟିଂ କାଉଚ୍ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିଲେ, ପୁଣି ଥରେ ସେହିପରି ଏକ ବିବାଦରେ ସେ ଛନ୍ଦି ହୋଇପଡ଼ିଛନ୍ତି । ରାଜ୍ୟ ସରକାର ତାଙ୍କ ବିରୋଧରେ ଏବଂ ଏହି ଫିଲ୍ମର ପ୍ରଡ୍ୟୁସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।”

ବିଶିଷ୍ଟ ସମାଜସେବୀ ନମ୍ରତା ଚଢା ଏସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏପରି ଏକ ଅଭଦ୍ରୋଚିତ ଫଟୋ ଯାହାକି ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବିରୋଧୀ ତାହାକୁ ପୋଷ୍ଟରରେ କିପରି ସ୍ଥାନଦେଇ ସାଧାରଣରେ ପ୍ରକାଶିତ କରିପାରିଲେ ।

ଏହି ବିବାଦୀୟ ପୋଷ୍ଟରକୁ ନେଇ ପପୁ କିମ୍ବା ଏହି ଫିଲ୍ମର ପ୍ରଡ୍ୟୁସରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହି ଚଳଚ୍ଚିତ୍ରଟି ସିଦ୍ଧାର୍ଥ ମ୍ୟୁଜିକ ଦ୍ୱାରା ପ୍ରଯୋଜିତ ହୋଇଥିବା ବେଳେ ପପୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଛନ୍ତି । ଅଭିନେତ୍ରୀ ଝିଲିକ୍ ତାଙ୍କ ସହିତ ହିରୋଇନ୍ ଭାବେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୨ ତାରିଖ ଗଣେଶ ପୂଜା ଦିନ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.