Latest Odisha News

BREAKING NEWS

ମହାନଦୀରେ ବନ୍ୟା ଆଶଙ୍କା ନାହିଁ: ଓଡିଶା ସରକାର

ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ୍ ଶନିବାର ଦିନ ବନ୍ଦ କରାଯାଇଥିବା ବେଳେ ମହାନଦୀର ତଳମୁଣ୍ଡରେ ଆଉ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଓଡିଶା ସରକାର ।

ପ୍ରାପ୍ତ ସୂଚନାନୁଯାୟୀ ଗତ ଗୁରୁବାର ଦିନ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଲାଗି ୨୦ଟି ଗେଟ୍ ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ଶୁକ୍ରବାର ଦିନ ୧୦ଟି ଗେଟ୍ ବନ୍ଦ କରାଯାଇଥିଲା । ପରେ ଆଜି ତଥା ଶନିବାର ଦିନ ଆଉ ୫ଟି ଗେଟ୍ ବନ୍ଦ କରାଯାଇଥିବା ନେଇ ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଡ୍ୟାମରେ ପାଣିର ପ୍ରବାହକୁ ଦୃଷ୍ଟିରେ ରଖି ଏବେ ୫ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ କରାଯିବ । ପରବର୍ତ୍ତୀ ସମୟରେ ଆବଶ୍ୟକସ୍ଥଳେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟକୁ ବନ୍ଦ କରାଯାଇପାରେ ।

ଆହୁରି ମଧ୍ୟ “ନିୟମ ଅନୁସାରେ ଆମକୁ ଅଗଷ୍ଟ ୨୧ ସୁଦ୍ଧା ଡ୍ୟାମର ଜଳସ୍ତରକୁ ୬୧୯ରୁ ୬୨୦ ଘନଫୁଟ ମଧ୍ୟରେ ରଖିବାକୁ ପଡିବ” ବୋଲି ସେ କହିଛନ୍ତି ।

ଅପରପକ୍ଷରେ ୫ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ମହାନଦୀର ତଳମୁଣ୍ଡରେ ଆଉ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି ।

ଏହାର ଜଳସ୍ତର ଆଜି ଦିନ ୧୨ଟା ସୁଦ୍ଧା ୬୨୦.୦୮ ଫୁଟକୁ ଛୁଇଁଥିବା ବେଳେ ଜଳ ଭଣ୍ଡାର ମଧ୍ୟକୁ ସେକେଣ୍ଡ ପିଛା ୯୫,୯୦୫ କ୍ୟୁସେକ୍ ଜଳ ପ୍ରବେଶ ସହ ନିଷ୍କାସିତ ମଧ୍ୟ ହେଉଥିବା ନେଇ ରାଜ୍ୟ ଜରୁରିକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ଶନିବାର ଦିନ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.