Latest Odisha News

BREAKING NEWS

ମାନସିକ ଚାପ ସହି ନପାରି ଆତ୍ମହତ୍ୟା କଲେ ୩ ଥରର ଏସୀୟ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବ !

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଓ ସ୍ତବ୍ଧକର ଖବର ସାମ୍ନାକୁ ଆସିଛି। ଏସୀୟ ପାରା ଗେମ୍ସରେ ୩ଟି ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ୪୨ ବର୍ଷୀୟ ପାରା-ଆଥଲେଟ୍ ନୀରଜ ଯାଦବଙ୍କର ପରଲୋକ ହୋଇଛି। ସେ ବିଷ ପାନ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଦିଲ୍ଲୀସ୍ଥିତ ନିଜ ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜିଟିବି ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଉଛି।

ଉତ୍ତର ପ୍ରଦେଶର ଗାଜିଆବାଦର ନିବାସୀ ନୀରଜ ୭ ବର୍ଷ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇପଡ଼ିଥିଲେ। ହେଲେ ହାର୍ ନମାନି ସେ ପ୍ରଥମେ ହୁଇଲଚେୟାର ଟେନିସ୍ ଓ ପରେ ପାରା-ଆଥଲେଟିକ୍ସ (F55 ବର୍ଗ) ଆପଣାଇଥିଲେ। ସେ ୨୦୧୮ ଜାକର୍ତ୍ତା ଏସୀୟ ପାରା ଗେମ୍ସରେ ଜାଭେଲିନ୍ ଥ୍ରୋ’ରେ ଏସୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ୨୦୨୩ ହାଙ୍ଗଝୋଉ ଏସୀୟ ପାରା ଗେମ୍ସରେ ଜାଭେଲିନ୍ ଓ ଡିସ୍କସ୍ ଥ୍ରୋ’ – ଉଭୟ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତି ନିଜ ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ।

ତେବେ ଡୋପିଂ ପରୀକ୍ଷାରେ ବିଫଳ ହେବା ପରେ ତାଙ୍କ ଉପରେ ବାସନ୍ଦାଦେଶ ଲାଗୁ ହୋଇଥିଲା, ଯାହା ଫଳରେ ହାଙ୍ଗଝୋଉରେ ଜିତିଥିବା ଦୁଇଟି ସ୍ୱର୍ଣ୍ଣ ପଦକ ରଦ୍ଦ ହୋଇଥିଲା। ତେବେ ନୀରଜ ନିଜକୁ ନିର୍ଦ୍ଦୋଷ ଦାବି କରି ଡିଏନଏ ପରୀକ୍ଷା ପାଇଁ ଆବେଦନ କରିଥିଲେ।

ମୁଖ୍ୟ ପାରା-ଆଥଲେଟିକ୍ସ କୋଚ୍ ଏସ. ସତ୍ୟନାରାୟଣ ନୀରଜଙ୍କ ମୃତ୍ୟୁ ଖବର ନିଶ୍ଚିତ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଷେଧାଦେଶ ଯୋଗୁଁ ଆଗାମୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନପାରିବା ଓ ମାନସିକ ଚାପ ଯୋଗୁଁ ସେ ଏହି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତାଙ୍କ ମୃତ୍ୟୁରେ ସମଗ୍ର ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.