ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି । ଡାନିଏଲଙ୍କୁ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରିଛନ୍ତି ପ୍ରମୋଦ । ଅଲିମ୍ପିକ୍ସରେ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍ ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ନଥିବା ବେଳେ, ଏଭଳି କରି ଦେଖାଇଛନ୍ତି ପ୍ରମୋଦ ଭଗତ ।
ବିଶ୍ବର ୧ ନମ୍ବର ମାନ୍ୟତା ପ୍ରାପ୍ତ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ସେମିଫାଇନାଲରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ୪୫ ମିନିଟ୍ ଧରି ଏହି ଖେଳ ଚାଲିଥିଲା । ପ୍ରମୋଦ ପ୍ରଥମ ଗେମ୍ରେ ଆଗୁଆ ରହିବା ପରେ ଦ୍ବିତୀୟ ଗେମ୍ରେ ବି ନିଜର ଦବଦବା ବଜାୟ ରଖିବାରେ ସଫଳ ହୋଇଥିଲେ । ପ୍ରମୋଦ ଏବେ ପାରା ବ୍ୟାଡମିଣ୍ଟନରେ ଉଭୟ ବିଶ୍ବ ଓ ଏସୀୟ ଚାମ୍ପିଅନ ଅଛନ୍ତି ।
ମାତ୍ର ୫ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ ହୋଇଥିବା ବରଗଡ଼ର ପ୍ରମୋଦ ଏପର୍ଯ୍ୟନ୍ତ ହାତେଇଛନ୍ତି ମୋଟ ୪୫ଟି ଅନ୍ତର୍ଜାତୀୟ ମେଡାଲ । ସେ ମୋଟ ୪ଟି ବିଶ୍ବ ଚାମ୍ପିଅନସିପ ଓ ୨୦୧୮ ଏସୀୟ ପାରା ଗେମ୍ସରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ । ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Comments are closed.