Latest Odisha News

BREAKING NEWS

ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ବେଳେ ପାରାଦୀପ-ହରିଦାସପୁର ମେମୁ ଟ୍ରେନ ସେବା ଆରମ୍ଭ ହେବ

ଭୁବନେଶ୍ୱର: ଭାରତୀୟ ରେଳବାଇ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ପାରାଦୀପରୁ ଯାଜପୁରର ହରିଦାସପୁର ପର୍ଯ୍ୟନ୍ତ ଏକ ନୂଆ ମେମୁ ଟ୍ରେନ୍ ସେବା ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଘୋଷଣା କରାଯାଇଛି। ପାରାଦୀପ-ହରିଦାସପୁର ରେଳଧାରଣା ସେକ୍ସନ ଯାଞ୍ଚ କରିବା ପରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) ଏଚ୍ ଏସ୍ ବାଜୱା ଏହି ସୂଚନା ଦେଇଛନ୍ତି।

ବାଜୱା କହିଛନ୍ତି ଯେ ଏହି ମାର୍ଗରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମେମୁ ଟ୍ରେନ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ରେଳ ସୁରକ୍ଷା ଆୟୋଗ ଦ୍ୱାରା ନିରାପତ୍ତା ଯାଞ୍ଚ କରାଯାଇଥିଲା ଏବଂ ଦୁଇ ଦିନ ପାଇଁ ଯାତ୍ରୀବାହୀ ଟ୍ରେନର ପରୀକ୍ଷାମୂଳକ ଚଳାଚଳ ପାଇଁ ଯୋଜନା କରାଯାଇଛି।

ଏହି ଟ୍ରେନ୍ ପାରାଦୀପ ଷ୍ଟେସନରୁ ବାହାରି କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଅଭିମୁଖେ ଯାତ୍ରା କରିବ। ସୁରକ୍ଷା କମିଶନରଙ୍କ ରିପୋର୍ଟ ପରେ ଟ୍ରେନ୍ ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବାଜୱା କହିଛନ୍ତି। ଚଣ୍ଡିଖୋଲ ଷ୍ଟେସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେମୁ ଟ୍ରେନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶା ଗସ୍ତ ସମୟରେ ସେ ୧୯,୬୦୦ କୋଟି ରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

Comments are closed.