ପାରାଦୀପ: ଏବେ ଆରମ୍ଭ ହୋଇଛି ମାଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା । ଏହି ସମୟରେ ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ବନ୍ଦର, ଷଣ୍ଢକୁଦରେ ମତ୍ସ୍ୟଜୀବୀଙ୍କ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି ।
ଏହି କଟକଣା ସମୟରେ ଯନ୍ତ୍ର ଚଳିତ ଡଙ୍ଗା ଓ ଟ୍ରଲର ସମୁଦ୍ର ମଧ୍ୟରେ ମାଛ ଧରି ପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ରୋକ୍ ଲଗା ଯାଇଛି । ମାଛ ମାନଙ୍କ ଏହି ଅଣ୍ଡାଦାନ ଋତୁରେ ପାରାଦୀପ ସମେତ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ମାଛ ନ ଧରିବାକୁ ମତ୍ସ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା କଟକ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ମାଛଙ୍କ ପ୍ରଜନନ ଋତୁରେ ସମୁଦ୍ରରେ ମାଛ ଅଣ୍ଡା ଓ ମାଛ ଜାଆଁଳ ନଷ୍ଟ ହେବା ଆଶଙ୍କାରେ ମାଛଧରାକୁ ଦୁଇ ମାସ ପାଇଁ ବନ୍ଦ ରଖିବାକୁ ମତ୍ସ୍ୟଜୀବୀ ମାନଙ୍କୁ କୁହାଯାଇଛି । ଓଡ଼ିଶା ସାମୁଦ୍ରିକ ଫିସିଂ ରେଗୁଲେସନ୍ ଆକ୍ଟ ୧୯୮୨ ଅନୁଯାୟୀ ମାଛ ଧରିବାକୁ ନିଷେଧ କରାଯାଇଛି । ଏହା ଦ୍ୱାରା ଜୀବିକା ନିର୍ବାହ କରୁଥିବା ପାରାଦୀପର ୫୦ ହଜାର ମତ୍ସ୍ୟଜୀବୀ ପ୍ରଭାବିତ ହେବେ । କିନ୍ତୁ ୮.୫ ମିଟର ଡଙ୍ଗାକୁ କେବଳ ସୀମିତ ଅଞ୍ଚଳରେ ମାଛ ଧରିବାକୁ ଅନୁମତି ଦିଆଯାଇଛି ।