Latest Odisha News

BREAKING NEWS

ପାରାଦୀପକୁ ଦେଶର ଏକ ବୃହତ୍ ଅର୍ଥନୈତିକ ଅଞ୍ଚଳରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ

ପାରାଦୀପ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ବୃହତ୍ ଶିଳ୍ପ ପ୍ରତିଷ୍ଠା ସଂପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଆଗାମୀ ଦିନରେ ପାରାଦୀପ ଭାରତର ଏକ ବଡ ଇକୋନୋମିକ ଜୋନ ହେବାକୁ ଯାଉଛି ବୋଲି ମତ ଦେଇ ଏହି ଅଞ୍ଚଳରେ ସ୍ଥାପିତ ହେବାକୁ ଥିବା ସମସ୍ତ ଭିତ୍ତିଭୂମି ଓ ଶିଳ୍ପ ପ୍ରକଳ୍ପ ଗୁଡ଼ିକ ଯେପରି ତୁରନ୍ତ ଆରମ୍ଭ ହେବ, ସେଥିପାଇଁ ପଦକ୍ଷେପ ନେବାକୁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ପାରାଦ୍ଵୀପ ପୋର୍ଟର ସମ୍ପ୍ରସାରଣ, ଜାହାଜ ନିର୍ମାଣ ଓ ମରାମତି କାରଖାନା,ବନ୍ଦର ବିକାଶ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକଳ୍ପ, IOCL ଏବଂ JSW ପକ୍ଷରୁ ବିକଶିତ ହେବାକୁଥିବା ଶିଳ୍ପାନୁଷ୍ଠାନ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ ରିଜନ, AMNS India ପକ୍ଷରୁ ପାରାଦୀପରେ ବିକଶିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ସହ ପାରାଦ୍ଵୀପ ପେଟ୍ରୋ କେମିକାଲ ପ୍ରକଳ୍ପ, ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ରୋଜେକ୍ଟ ପ୍ରତିଷ୍ଠା ସହିତ ଏସବୁ ପ୍ରକଳ୍ପ ଗୁଡିକର ଭୁମି ଅଧିଗ୍ରହଣ ଠାରୁ ଆରମ୍ଭ କରି ବିଭିନ୍ନ ଅନୁମୋଦନ ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।

ପଡିରହିଥିବା କାର୍ଯ୍ୟକୁ ଯଥାଶିଘ୍ର ସମାଧାନ କରି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କାମକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପ୍ରଶାସନ ଓ ଶିଳ୍ପାନୁଷ୍ଠାନ ର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଶିଳ୍ପାନୁଷ୍ଠାନରେ ଓଡ଼ିଶା ର ଯୁବପିଢୀ ବିଶେଷ କରି ସ୍ଥାନୀୟ ଯୁବଗୋଷ୍ଠୀ ଙ୍କୁ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଥିଲେ ।

ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଶିଳ୍ପ ଵିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଜଗତସିଂପୁର ଜିଲ୍ଲାପାଳ ଜେ ସୋନାଲ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଆଇଓସିଏଲ୍, ଜେଏସଡବ୍ଲୁ, ଏଏମଏନ୍ଏସ ଇଣ୍ଡିଆର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.