Latest Odisha News

BREAKING NEWS

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୋଲିସ ଟିମ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙକ୍ ମୃତ୍ୟୁ ଏବେ ବି ରହସ୍ୟଘେରରେ ରହିଛି । କେମିତି ଓ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ନିଆଁ ଲାଗିଲା ? ମୃତ୍ୟୁ ପଛର କରାଣ କଣ ? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁ । ଅଧିକ ଖୋଳତାଡ ପାଇଁ ଗଜପତି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଆଜି ବାଲେଶ୍ୱର ଓ ମୟୂରଭଞ୍ଜ ଗସ୍ତ କରିଛି ।

ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ସୌମ୍ୟରଞ୍ଜନଙ୍କ ଘର । ତାଙ୍କ ମାଆ ଓ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରିବ । ସୌମ୍ୟରଞ୍ଜନଙ୍କ ବାପା ଅଭିଯୋଗ କରିଛନ୍ତି, ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବୈବାହିକ ଜୀବନରେ ଅଶାନ୍ତି ଥିବା ସେ ମାଆ ଓ ମାଇଁଙ୍କୁ ଫୋନ୍ କରି ଜଣାଇଥିଲେ । ଘଟଣା ସମ୍ପର୍କରେ ସେମାନଙ୍କୁ ପୋଲିସ ପଚରାଉଚରା କରିବ ।

ସେହିପରି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବେ ତାଙ୍କ ବାପା ଘରେ ରହୁଥିବାରୁ ତାଙ୍କୁ ଓ ପରିବାର ଲୋକଙ୍କୁ ପଚରାଉଚରା ପାଇଁ ଯାଇଛି ପୋଲିସ ଟିମ୍ । ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ପାଇଁ ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଛି ।

ସୌମ୍ୟରଞ୍ଜନଙ୍କ ପରିବାର ଲୋକ ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି । ସୌମ୍ୟଙ୍କ ବାପାଙ୍କ ଏତଲା ଆଧାରରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କ ନାଁରେ ରୁଜୁ ହୋଇଛି ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା । ଗତକାଲି ରୋଷେୟାକୁ ଦୁର୍ଘଟଣା ଘଟିଥିବା କ୍ୱାର୍ଟର ପରିସରକୁ ନେଇ ପୋଲିସ ଡେମୋ କରିଥିଲା । ନିଆଁ ଲାଗିବା ପରେ ସେଠାକୁ ଆସିଥିଲେ ରୋଷେୟା ।

ସେ କଣ ଦେଖିଥିଲେ ଓ ନିଆଁ ଲିଭାଇବାକୁ କଣ କରିଥିଲେ କହିଥିଲେ ରୋଷେୟା । ଡେମୋ ଦେଖାଇବା ବେଳେ ଉପସ୍ଥିତ ଥିଲେ ଗଜପତି ଏସପି । ପୂର୍ବରୁ ସେହି କ୍ୱାର୍ଟରରୁ ସାଇଣ୍ଟିଫିକ୍ ଟିମ୍ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି । ସାକ୍ଷ୍ୟ ପ୍ରମାଣ ବି ଏକାଠି କରୁଛି ପୋଲିସ ।

Leave A Reply

Your email address will not be published.