Latest Odisha News

ପାରାଅଲିମ୍ପିକ୍ସ : ଟୋକିଓ ସଫଳତା ଟପିବା ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପରେ ଏବେ ପାରାଅଲିମ୍ପିକ୍ସ ନେଇ କ୍ରୀଡା ଜଗତରେ ଚର୍ଚ୍ଚା । ଅଗଷ୍ଟ ୨୮ରୁ ପ୍ୟାରିସରେ ଆରମ୍ଭ ହେବ ପାରାଅଲିମ୍ପିକ କ୍ରୀଡାର ସପ୍ତଦଶ ସଂସ୍କରଣ । ୧୭୦ ଦେଶର ପାରା ଆଥଲେଟମାନେ ପ୍ୟାରିସ ଅଲିମ୍ପିକ କ୍ରୀଡାରେ ଭାଗ ନେବେ ।  ଭାରତ ମଧ୍ୟ ଏଥର ପାରାଅଲିମ୍ପିକ କ୍ରୀଡାରେ ଭାଗ  ନେଉଛି । ଅଲିମ୍ପିକ୍ସରେ ତ ଭାରତର ପ୍ରଦର୍ଶନ ଆଶାନୁରୂପକ ନଥିଲା । ଏବେ ଆମ ପାରା ଆଥଲେଟମାନେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି । ଏଥର ପାରାଅଲିମ୍ପିକ୍ସରେ ଭାରତର ୮୪ ଜଣିଆ ଆଥଲେଟ ଟିମ୍ ଭାଗ ନେଉଛନ୍ତି । ଏଥିରୁ ୩୨ ଜଣ ହେଉଛନ୍ତି ମହିଳା ।

ଭାରତର ଆଶା ଓ ସମ୍ଭାବନା

କିଛି ପରିଚିତ ପାରା ଆଥଲେଟଙ୍କୁ ଏଥର ପ୍ୟାରିସ ପାରାଅଲିମ୍ପିକ୍ସରେ ଦେଖିବାକୁ ମିଳିବ ନାହିଁ । ବ୍ୟାଡମିଂଟନ ପାରାଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିଅନ ପ୍ରମୋଦ ଭଗତ ଶୃଙ୍ଖଳାଗତ କାରଣରୁ ଭାଗ ନେବେ ନାହିଁ । ବ୍ୟାଡମିଂଟନ ୱାର୍ଲଡ ଫେଡେରେସନର ଡୋପିଂ ନିରୋଧୀ ନିୟମ ଭଙ୍ଗ କରିଥିବାରୁ ତାଙ୍କୁ ସସପେଣ୍ଡ କରାଯାଇଛି । ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପର ମହିଳା କ୍ଲବ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିବା ଏକତା ଭାୟନଙ୍କୁ ମଧ୍ୟ ଦେଖିବାକୁ ମିଳିବ ନାହିଁ । କାରଣ ତାଙ୍କ ଇଭେଂଟ ଏଥର ସ୍ଥାନ ପାଇନାହିଁ ।

୨୦୨୧ ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତର ୫ କ୍ରୀଡାବିତଙ୍କ ମଧ୍ୟରୁ ଚାରି ଜଣ ଏଥର ପ୍ୟାରିସରେ ପ୍ରତିଦ୍ୱନ୍ଦିତା କରିବେ । ସୁଟର ଅଭନୀ ଲେଖରା ଓ ମନୀଷ ନରୱାଲ, ବ୍ୟାଡମିଂଟନ ତାରକା କ୍ରିଷ୍ଣା ନାଗର ଓ ଜାଭେଲିନ ଷ୍ଟାର ସୁମିତ ଅନ୍ତିଲ ।  ତିନିବର୍ଷ ପୂର୍ବେ ଟୋକିଓରେ ଇତିହାସ ରଚିଥିଲେ ଅଭନୀ ଲେଖରା । ୧୦ ମିଟର ଏୟାର ରାଇଫଲ ଇଂଭେଟରେ ନୂଆ ପାରାଅଲିମ୍ପିକ୍ସ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ଜିତିଥିଲେ ଲେଖରା । ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ ଅଭନୀ ଲେଖରା । ବ୍ୟାଡମିଂଟନରେ କ୍ରିଷ୍ଣା ନାଗର, ଆଥଲେଟିକ୍ସରେ ଜାଭେଲିନ ତାରକା ସୁମିତ ଅନ୍ତିଲ, ହାଇଜମ୍ପ ତାରକା ମାରିୟାପ୍ପାନ ଥଙ୍ଗାଭେଲୁଙ୍କଠାରୁ ନିଶ୍ଚିତ ପଦକର ଆଶା ରହିଛି ।

ଶୀତଲ ଦେବୀଙ୍କ ଉପରେ ରହିବ ନଜର

ଏଥର ପାରାଅଲିମ୍ପିକ୍ସରେ ଭାରତୀୟ କ୍ରୀଡାପ୍ରେମୀଙ୍ଗ ନଜର ରହିବ ୧୭ ବର୍ଷିୟା ତୀରନ୍ଦାଜ ଶୀତଲ ଦେବୀଙ୍କ ଉପରେ । ଦୁଇ ହାତ ନଥିଲେ ମଧ୍ୟ ବିଶ୍ୱ ପାରା ତୀରନ୍ଦାଜୀରେ ଶୀତଲ ଦେବୀ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ପ୍ରଥମ ଥର ପାଇଁ ପାରାଅଲିମ୍ପିକ୍ସରେ ଭାଗ ନେଉଛନ୍ତି ଶୀତଲ । ୨୦୨୩ ବିଶ୍ୱ ପାରା ତୀରନ୍ଦାଜୀ ଚାମ୍ପିଅନସିପରେ ରୌପ୍ୟ ସହ ୨୦୨୨ ଏସିଆନ ପାରା ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ ଶୀତଲ । ମହିଳା ତୀରନ୍ଦାଜୀର  କମ୍ପାଉଣ୍ଡ ଓପନ ଶ୍ରେଣୀରେ ଶୀତଲ ଦେବୀ ବର୍ତ୍ତମାନ ବିଶ୍ୱର ଏକ ନମ୍ବର ମହିଳା ତୀରନ୍ଦାଜ । ୨୦୨୩ରେ ଶୀତଲ ଶ୍ରେଷ୍ଠ ମହିଳା ପାରା ତୀରନ୍ଦାଜ ଭାବେ ବିବେଚିତ ହୋଇଥିଲେ ।

ଟୋକିଓରେ ଶ୍ରେଷ୍ଠ ପ୍ରଦର୍ଶନ

ଭାରତ ୧୯୬୮ ମସିହାରେ ପ୍ରଥମ ଥର ପାଇଁ ପାରାଅଲିମ୍ପିକ୍ସରେ ଭାଗ ନେଇଥିଲା । ୧୯୮୪ରୁ ନିୟମିତ ଭାବେ ଭାଗ ନେଇଆସୁଛି ଭାରତ । ୧୯୭୨ କ୍ରୀଡାରେ ମୁରଲୀକାନ୍ତ ପେଟକର୍ ଭାରତ ପାଇଁ ଜିତିଥିଲେ ପ୍ରଥମ ପଦକ । ସନ୍ତରଣରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ମୁରଲୀକାନ୍ତ । ୨୦୨୧ ଟୋକିଓ ପାରାଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ଭାରତ । ଟୋକିଓରେ ଭାରତ ୫ଟି ସ୍ୱର୍ଣ୍ଣ , ୮ ରୌପ୍ୟ ଓ ୬ ବ୍ରୋଞ୍ଜ ସହ ମୋଟ ୧୯ ପଦକ ପାଇ ତାଲିକାରେ ୨୪ତମ ସ୍ଥାନରେ ରହିଥିଲା । ଟୋକିଓ ପୂର୍ବରୁ ଭାରତର ମୋଟ ପଦକ ସଂଖ୍ୟା ଥିଲା ୧୨ ।

 

Comments are closed.